Sambad
କଟକ: ବାତ୍ୟା ଆଶଙ୍କା ପାଇଁ ଆଳୁ ଦର ବଢ଼ିଯାଇଛି। ପୂର୍ବରୁ ଖୁଚୁରାରେ କିଲୋ ପିଛା ୧୬/୧୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି କିଲୋ ପିଛା ୩/୪ଟଙ୍କା ବଢ଼ିଛି। ସହରର ପ୍ରମୁଖ ପରିବା ମଣ୍ଡି ଛତ୍ରବଜାରରେ ପୂର୍ବରୁ ଧଡା (ତିନି କିଲୋ)କୁ ୫୦ ଟଙ୍କା ରହିଥିବା ବେଳେ ଆଜି ଧଡା ୬୦ ଟଙ୍କା ଦରରେ ଖାଉଟିଙ୍କୁ ବିକ୍ରି ହୋଇଥିବା ସୂଚନା ମିଳିଛି। କିନ୍ତୁ ପିଆଜ ଦର ପୂର୍ବ ଭଳି ରହିଥିବା ଜଣାପଡ଼ିଛି। ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷା ଆଶଙ୍କା ପାଇଁ ଶୁକ୍ରବାର ସକାଳେ ଛତ୍ରବଜାରରେ ଅପେକ୍ଷାକୃତ ଭିଡ ପରିଲକ୍ଷିତ ହୋଇଥିଲା। ଲୋକେ ଅନ୍ୟ ପରିବା ସହିତ ଆବଶ୍ୟକଠାରୁ ଅଧିକ ଆଳୁ, ପିଆଜ କିଣୁଥିବା ଦେଖାଯାଇଥିଲା। କିନ୍ତୁ ଗତକାଲି ପର୍ଯ୍ୟନ୍ତ ଆଳୁ ଧଡା(ତିନି କିଲୋ)କୁ ୫୦ଟଙ୍କାରେ ବିକ୍ରି ହୋଇଥିବା ବେଳେ ଆଜି ସକାଳେ ଧଡା ୬୦ ଟଙ୍କାରେ ବିକ୍ରି ହୋଇଥିଲା। ଜଣେ ଖୁଚୁରା ବ୍ୟବସାୟୀଙ୍କ କହିବା ଅନୁସାରେ ପୂର୍ବରୁ ଆଳୁ ପ୍ୟାକେଟ୍(୫୦କିଲୋ)କୁ ୬୫୦ ଟଙ୍କା କିଣା ପଡ଼ୁଥିବା ବେଳେ ଶୁକ୍ରବାର ଆଳୁ ପ୍ୟାକେଟ୍(୫୦ କିଲୋ)କୁ ୮୫୦ ଟଙ୍କା କିଣା ପଡ଼ିଥିଲା।
ସେହି ଅନୁସାରେ, ଧଡା ପିଛା ୬୦ ଟଙ୍କାରେ ଖାଉଟିଙ୍କୁ ବିକ୍ରି କରାଯାଉଛି। କିନ୍ତୁ ପିଆଜ ଛୋଟ କିଲୋକୁ ୩୦ରୁ ୩୫ଟଙ୍କା ଓ (ବଡ଼) କିଲୋକୁ ୪୦ଟଙ୍କାରେ ବିକ୍ରି କରାଯାଉଛି ବୋଲି ସଂପୃକ୍ତ ଖୁଚୁରା ବ୍ୟବସାୟୀ କହିଛନ୍ତି। ଏ ସଂକ୍ରାନ୍ତରେ ଛତ୍ରବଜାର ବ୍ୟବସାୟୀ ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ରନାଥ ସାହୁ କହିଛନ୍ତି, ବାତ୍ୟା ପାଇଁ ବେଙ୍ଗଲରେ ଆଳୁ ଦର ବଢ଼ିଯାଇଛି। ଏଥି ସହ ଛତ୍ରବଜାରକୁ ଆଳୁ ଯୋଗାଣ ମଧ୍ୟ କମ୍ ରହିଛି। ୩/୪ଦିନ ପୂର୍ବରୁ ଆଳୁ ହୋଲସେଲ୍ରେ କ୍ବିଣ୍ଟାଲ୍(ଶହେ କିଲୋ) ପିଛା ୧୩୦୦/୧୪୦୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଶୁକ୍ରବାର ସକାଳୁ କ୍ବିଣ୍ଟାଲ୍ ପିଛା ୧୬୫୦/୧୭୦୦ ଟଙ୍କାରେ ବିକ୍ରି ହୋଇଛି। ସେହିପରି ପୂର୍ବରୁ ଛତ୍ରବଜାରକୁ ଦିନକୁ ୭/୮ଟ୍ରିପ୍ ଆଳୁ ଆସୁଥିବା ବେଳେ ଶୁକ୍ରବାର ମାତ୍ର ୩ ଟ୍ରିପ୍ ଆଳୁ ଆସିଛି ବୋଲି ସଂପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ସେହିପରି ପିଆଜ କ୍ବିଣ୍ଟାଲକୁ ୨୪୦୦/୨୫୦୦ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରାଯାଉଥିଲା। ସେହି ଅନୁସାରେ ଖୁଚୁରା ବ୍ୟବସାୟୀମାନେ ଖାଉଟିଙ୍କୁ ପିଆଜ କିଲୋ ପିଛା ୩୦ଟଙ୍କାରେ ବିକ୍ରି କରୁଥିଲେ। କିନ୍ତୁ ଆଜି ପିଆଜ ଗାଡ଼ି ଆସିନାହିଁ। ଆସନ୍ତାକାଲି ଛାତ୍ରବଜାର ବନ୍ଦ ହେତୁ ଆଳୁ, ପିଆଜ ଗାଡ଼ି ଆସିବ ନାହିଁ। ରବିବାର ମାଲ୍ ଆସିଲେ, ଦର କ’ଣ ରହିବ ଜଣାପଡ଼ିବ ବୋଲି ସଂପାଦକ ଶ୍ରୀ ସାହୁ କହିଛନ୍ତି।
Follow Us