ଏସ୍‌ସିବିରେ ସିଟି ସ୍କାନ୍‌, ଥାଇରଏଡ୍‌, ଥାଲାସେମିଆ ପରୀକ୍ଷା ମେସିନ୍‌ ଅଚଳ; ମାସ ମାସ ଧରି ହନ୍ତସନ୍ତ ହେଉଛନ୍ତି ରୋଗୀ

Advertisment
ମହିଳାଙ୍କୁ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

image source--scbmch.nic.in

କଟକ: କଟକ ବଡ ଡାକ୍ତରଖାନାରେ ମାସ ମାସ ହେଲା ଅଚଳ ହୋଇପଡ଼ିଛି ମେସିନ୍‌। ବାରମ୍ବାର ଚିଠି ଲେଖାଯାଉଛି। ହେଲେ କେହି ଶୁଣୁ ନାହାନ୍ତି। ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ସଂପର୍କୀୟ। ମାଗଣା ବ୍ୟବସ୍ଥାର ଲାଭ ପାଇବା ବଦଳରେ ରୋଗୀ ଘରୋଇ ପାଥୋଲାବ୍‌ ଭରସାରେ ରହିବାକୁ ବାଧ୍ୟ। ଏସ୍‌ସିବିରେ ୬ମାସ ହେବ ରକ୍ତକର୍କଟ ନିରୂପଣ, ମଲ୍‌ଟିପୁଲ ମାଇଲୋମା, ସିକିଲ‌ସେଲ, ଥାଲାସେମିଆ ରୋଗ ଚିହ୍ନଟ ପାଇଁ ଥିବା ମେସିନ୍‌, ମାସେ ହେଲା ହରମୋନାଲ ଅଟୋ ଆନାଲାଇଜର ମେସିନ୍‌ ଓ ଦୁଇଟି ସିଟି ସ୍କାନ୍‌ ମେସିନ୍‌ ଅଚଳ। ଫଳରେ ହନ୍ତସନ୍ତ ହେଉଛନ୍ତି ରୋଗୀ। ବାରମ୍ବାର ମେସିନ୍‌ ସଜଡ଼ା ଯିବାକୁ ଚିଠି ଯାଉଛି, ହେଲେ ସଜଡା ହୋଇପାରୁନି।

ଏସ୍‌ସିବି ରଞ୍ଜନରଶ୍ମୀ ବିଭାଗରେ ଦୁଇଟି ସିଟି ସ୍କାନ୍‌ ମେସିନ୍‌ ଥିଲା। ସେଥିରୁ ଗୋଟିଏ ମେସିନ୍‌ ପାଖାପାଖି ବର୍ଷେ ହେଲା ଅଚଳ ଥିବାବେଳେ ଏବେ ଗତମାସ ୨୧ରୁ ଅନ୍ୟ ମେସିନ୍‌ଟି ମଧ୍ୟ ଅଚଳ ହୋଇପଡିଛି। ଏସ୍‌ସିବି ସିଟି ସ୍କାନ ସେମିନ୍‌ ଅଚଳ ହୋଇଥିବାବେଳେ ଘରୋଇ ସଂସ୍ଥା ଦ୍ବାରା ପରିଚାଳିତ ଅନ୍ୟଏକ ସିଟି ସ୍କାନ୍‌ ମେସିନ୍‌ କାମ କରୁଛି। ଫଳରେ ଘରୋଇ ସଂସ୍ଥାକୁ ପୋଷୁଛନ୍ତି ସରକାର। ଏଭଳି ବାରମ୍ବାର ଓ ବିଭିନ୍ନ ସମୟରେ ଏସ୍‌ସିବିର ବିଭିନ୍ନ ମେସିନ୍‌ ଅଚଳ ହୋଇ ପଡୁଥିବାବେଳେ ତାକୁ ସଜାଡିବାକୁ ଦିନ ଦିନ ବିତୁଛି। ଅନ୍ୟପଟେ ଏହାଦ୍ବାରା ଲାଭବାନ ହେଉଛନ୍ତି ଘରୋଇ ସଂସ୍ଥା। ଦଶଦିନ ହେଲା ମେସିନ୍‌ ଅଚଳ ହୋଇ ପଡିଥିଲେ ସୁଦ୍ଧା ମରାମତି ହୋଇପାରୁ ନଥିବାରୁ ରୋଗୀମାନେ ଗୋଟିଏ ସିଟି ସ୍କାନ୍‌ ମେସିନ୍‌ ଉପରେ ନିର୍ଭର କରୁଛନ୍ତି।

ଏମିତିରେ ସିଟି ସ୍କାନ୍‌ ପାଇଁ ଏସ୍‌ସିବିରେ ଦିନ ଦିନ ଅପେକ୍ଷା କରିବାକୁ ପଡୁଥିଲା। ଏବେ ଗୋଟିଏ ମେସିନ୍‌ ଅଚଳ ହୋଇ ପଡ଼ି ରହିବା ଫଳରେ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ହରମୋନାଲ ଅଟୋ ଆନାଲାଇଜର ମେସିନ୍‌ ଯାହା ମାସେ ହେଲାଣି ଅଚଳ। ଏହି ମେସିନ୍‌ ଦ୍ବାରା ବିଭିନ୍ନ ହରମନ୍‌ର ସମସ୍ତ ପରୀକ୍ଷା, ଥାଇରଏଡ୍‌, କୋଭିଡ୍‌-୧୯ର ଆଣ୍ଟିବଡି ପରୀକ୍ଷା, ଫେରି‌ଟିନ୍‌, ହୃଦ୍‌ଘାତର ଟ୍ରପ୍ଟି ପରୀକ୍ଷା ଆଦି ସବୁ ବନ୍ଦ ରହିଛି। ଅନ୍ୟପଟେ ୬ମାସ ହେଲା ହେମାଟୋଲୋଜିର ଇଲୋଟ୍ରା ଫ୍ଲୋରେସିସ୍‌ ସେମିନ୍‌ ଅଚଳ ହୋଇ ପଡିଛି। ଯା’ଫଳରେ ରକ୍ତକର୍କଟ, ମଲ୍‌ଟିପୁଲ ମାଇଲୋମା, ସିକିଲସଲ, ଥାଲାସେମିଆ ଆଦି ପରୀକ୍ଷା ବି ବନ୍ଦ ରହିଛି। ଫଳରେ ରୋଗୀ ଘ‌ରୋଇ ପାଥୋଲାବ୍‌ ଉପରେ ନିର୍ଭର କରି ଦତାଶ ହେଉଛନ୍ତି। ଅନ୍ୟପଟେ କୋଭିଡ୍‌ ପରେ ଏବେ ଦିନକୁ ଦିନ ଏସ୍‌ସିବିରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe