କରୋନା ପରେ ସହରରେ ଏବେ ମଶା ଆତଙ୍କ; ଉପରଠାଉରିଆରେ ଚାଲିଛି ସିଏମ୍‌ସିର ମଶା ନିୟନ୍ତ୍ରଣ

Advertisment

କରୋନା ପରେ ସହରରେ ଏବେ ମଶା ଆତଙ୍କ; ଉପରଠାଉରିଆରେ ଚାଲିଛି ସିଏମ୍‌ସିର ମଶା ନିୟନ୍ତ୍ରଣ

Sambad

କଟକ: ସହରରେ କରୋନା ସଂକ୍ରମଣର ଆତଙ୍କ ଥମି ନଥିବା ବେଳେ ଏବେ ମଶାଙ୍କ ଉତ୍ପାତରେ ସାଧାରଣ ଲୋକେ ଅତିଷ୍ଠ। ଗତ ଏକ ସପ୍ତାହ ହେବ ମଶା ବଂଶ ବଢ଼ି ଚାଲିଥିବାବେଳେ ମଶା ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ସିଏମ୍‌ସିର ସ୍ବାସ୍ଥ୍ୟ ବିଭାଗ। ସିଏମ୍‌ସି ପକ୍ଷରୁ ଏବେ ସହରର ବିଭିନ୍ନ ଡ୍ରେନରେ ମଶାମରା ତେଲ ପକାଯିବା ସହିତ ନାଳ ସଫେଇ, ବୁସ୍ କଟିଙ୍ଗ କାମ କରାଯାଉଥିବା ମହାନଗର ନିଗମ ପକ୍ଷରୁ କୁହାଯାଉଛି। ହେଲେ ସବୁ କାମ କେବଳ ଧର୍ମକୁ ଆଖିଠାର ମାରିବା ପରି କରାଯାଉଛି। ମଶାତେଲ ପକାଇବା ନାଁରେ ଲକ୍ଷାଧିକ ଟଙ୍କା ଲୁଟ ହେଉଥିବାବେଳେ ନିଗମର ଅଧାରୁ ଅଧିକ ଟିଫା ମେସିନ୍‌ ଅଚଳ ହୋଇପଡିଛି।

ସହରରେ ଗତ ଏପ୍ରିଲରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ଅଧିକ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇଥିଲେ। କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟ ଓ ଆଶଙ୍କାର ବାତାବରଣ ରହିଛି। ଏଭଳି ସ୍ଥିତିରେ ଗତ ଏକ ସପ୍ତାହ ହେବ ମଶାବଂଶ ଅଧିକ ମାତ୍ରାରେ ବଢି ଯାଇଛି। ମଶାଙ୍କ ପ୍ରାଦୁଭାବରେ ଲୋକେ ଅତିଷ୍ଠ ହୋଇଥିବା ବେଳେ ସିଏମ୍‌ସି ମଶା ନିୟନ୍ତ୍ରଣ କ୍ଷେତ୍ରରେ ହାତ ଟେକି ଦେଇଛି। ମହାନଗର ନିଗମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିବର୍ଷ ମଶା ନିୟନ୍ତ୍ରଣ ପାଇଁ ବିଭିନ୍ନ ଯୋଜନା କରାଯାଉଛି। ଯୋଜନା ପରେ ଯୋଜନା ହେଉଥିଲେ ବି ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ।

ଅନ୍ୟପଟେ ଗତ କିଛିଦିନ ଧରି ସହରର ବିଭିନ୍ନ ଡ୍ରେନରେ ମଶାତେଲ ପକାଯିବା ସହିତ ବୁସ୍ କଟିଙ୍ଗ ଓ ନାଳ ସଫେଇ କାମ କରାଯାଉଥିବା ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ସହରରେ ମଶାବଂଶର ସ୍ଥିତିକୁ ଦେଖିଲେ ଏହି କାମ କେଉଁ ଢଙ୍ଗରେ କରାଯାଉଛି ତାହା ସହଜରେ ଅନୁମାନ କରିହେବ। ସେପଟେ ମଶା ଧୂଆଁ ପାଇଁ ସିଏମ୍‌ସିରେ ୮୦ରୁ ଅଧିକ ଟିଫା ମେସିନ ଥିବାବେଳେ ସେଥିରୁ ମାତ୍ର ୩୫ଟି କାମ ଦେଉଛି। ଗୋଟିଏ ୱାର୍ଡ ପାଇଁ ସିଏମ୍‌ସି ନିକଟରେ ଗୋଟିଏ ଟିଫ‌ା ମେସିନ ବି ନାହିଁ। ଆବଶ୍ୟକ ସଂଖ୍ୟାର ମେସିନ ନଥିବାରୁ ଏବେ ମଶାଧୂଆଁ ଦିଆଯାଉ ନଥିବା ବେଳେ ୱାର୍ଡର ଡ୍ରେନ୍‌ଗୁଡିକରେ ନିୟମିତ ଭାବେ ତେଲ ପକାଯାଉ ନାହିଁ କି ସେଗୁଡିକ ସଫେଇ କରାଯାଉ ନାହିଁ। ଅଭିଯୋଗ କିମ୍ବା ଦାବି ହେଲେ ଲୋକଦେ‌ଖାଣିଆ ଭାବେ ସହରର ତିନି ଚାରଟି ସ୍ଥାନରେ ମଶା ତେଲ ପକାଇ ଓ ଅଳ୍ପ କିଛି ବୁସ୍‌ କାଟି ଦେଇ ନିଜ ଦାୟିତ୍ବକୁ ସାରି ଦେଉଛି ସିଏମ୍‌ସିର ସ୍ବାସ୍ଥ୍ୟ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe