ଅଭିଶାପ ପାଲଟିଛି ପେଟାନାଳ, ସ୍ବପ୍ନ ଦେଖାଇ ଅଧାରେ ଛାଡ଼ିଦେଲେ

Advertisment
ଅଭିଶାପ ପାଲଟିଛି ପେଟାନାଳ, ସ୍ବପ୍ନ ଦେଖାଇ ଅଧାରେ ଛାଡ଼ିଦେଲେ

Sambad

କଟକ: ମର୍କତନଗର ବିକାଶରେ ଯୋଡ଼ି ହେବ ଆଉ ଏକ ଫର୍ଦ। ପରିତ୍ୟକ୍ତ ପେଟାନାଳର ବିକାଶ ‌ହେବ। ଏଥିପାଇଁ ୧୧୧କୋଟି ଟଙ୍କା ଖର୍ଚ୍ଚ କରାଯାଇ ଦୀର୍ଘ ୨.୫ କିମି ପରିବ୍ୟାପ୍ତ ପେଟାନାଳର ଚିତ୍ର ବଦଳାଯିବ। ପେଟାନାଳର ପୁନରୁଦ୍ଧାର ହେବ, ଏଠା‌ରେ ବୋଟିଂ ହେବ, ପେଟାନାଳ ଦୁଇପାର୍ଶ୍ବରେ ପଥର ପ୍ୟାକିଂ, ଫୁଟପାଥ୍‌ ଓ ପାର୍କ ନିର୍ମାଣ ହେବ। ଦୁଇପଟ ରାସ୍ତା ମଧ୍ୟ ନିର୍ମାଣ ସଂପୂର୍ଣ୍ଣ କରାଯିବ, ଫୁଲ ଗଛ ଲାଗିବ, ଜଳନିଷ୍କାସନ ବ୍ୟବସ୍ଥିତ କରିବା ସହିତ ଏହା ଏକ ଅବସର ବିନୋଦନ କେନ୍ଦ୍ର ହେବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ପଦକ୍ଷେପ ନିଆଯିବ ଇତ୍ୟାଦି.., ଇତ୍ୟାଦି..। ପେଟାନାଳକୁ ନେଇ ଏଭଳି ଅନେକ ସୁନେଲି ସ୍ବପ୍ନ ଦେଖାଯାଇଛି।

ଏ ନେଇ ବହୁବାର ବୈଠକ ମଧ୍ୟ ହୋଇଛି। ସ୍ଥିତି ଅନୁଧ୍ୟାନ କରାଯାଇ ଏହାର ପ୍ରାରମ୍ଭିକ କାମ ମଧ୍ୟ ଆରମ୍ଭ ହୋଇଛି। ନିଜେ ବାରବାଟୀ-କଟକର ପୂର୍ବତନ ବିଧ‌ାୟକ ଦେବାଶିଷ ସାମନ୍ତରାୟ ଏହାକୁ ନେଇ ଯଥେଷ୍ଟ ଆନ୍ତରିକତା ଦେଖାଇଛନ୍ତି। ହେଲେ, ଦୀର୍ଘଦିନ ପରେ ଆରମ୍ଭ ହୋଇଥିବା ଏହାର ପୁନରୁଦ୍ଧାର କାମ ଅଧାରେ ଅଟକିଛି। ଯେତିକି ପଙ୍କ-ଦଳ ସଫା କରାଯାଇଥିଲା ପୁନର୍ବାର ସେତିକି ପଙ୍କ ଭର୍ତ୍ତି ହୋଇଯାଇଛି। ଅନ୍ୟପକ୍ଷ‌ରେ ପେଟାନାଳକୁ ଅଧାରୁ ଅବ‌‌ରୋଧ କରାଯାଇଛି। ଏହି ନାଳ ଉପରେ ଘର ନିର୍ମାଣ କରାଯାଇଛି। ଏହା ଆଗାମୀ ଦିନ‌ରେ ବିପଦକୁ ଡାକି ଆଣିବ। ଏହାକୁ ବ୍ୟବସ୍ଥିତ କରିବା ସହିତ ଏହାର ଜଳନିଷ୍କାସନ ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି। ସାଟେଲାଇଟ୍‌ ସହର ମର୍କତନଗରେ ପାଇଁ ପେଟାନାଳ ଏବେ ପରିତ୍ୟକ୍ତ ହୋଇପଡିଛି।

publive-image Sambad

ଏହାର ରୂପରେଖ ବଦଳିବା ବଦଳ‌ରେ ଏହା ଏବେ ଅଭିଶାପ ପାଲଟିଛି। ମର୍କତନଗରରେ ମଶାବଂଶ ବୃଦ୍ଧି ହେବା ସହିତ ପେଟାନାଳ ନର୍କକୁଣ୍ଡ ପାଲଟିଛି। ପରିତ୍ୟକ୍ତ ନର୍କକୁଣ୍ଡ‌ରେ ପଙ୍କ-ଆବର୍ଜନା ଭର୍ତ୍ତି ହୋଇ ରହିଛି ଓ ଜଳ ନିଷ୍କାସନରେ ବାଧା ସୃ୍‌ଷ୍ଟି କରିଛି। ଏହାର ସମାଧାନ କରାଯାଉ ନଥିବାରୁ ସିଡିଏରେ ମଶାବୃଦ୍ଧି କ୍ଷେତ୍ରରେ ଏହି ନାଳ ହିଁ ପ୍ରମୁଖ କାରଣ ହୋଇଛି। ‘ଚକ‌େ ଗଲେ ବାର ହାତ’ ନ୍ୟାୟରେ ବହୁ ବିଳମ୍ବରେ ଆରମ୍ଭ ହୋଇଥିବା ପେଟାନାଳ ପୁନରୁଦ୍ଧାର କାମ ପୁଣି ଅଟକି ରହିଛି। ପ୍ରକଳ୍ପକୁ ସେଭଳି କିଛି ସୁଫଳ ମିଳି ନାହିଁ। ପୂର୍ବରୁ ପେଟାନାଳ ଏକ ପ୍ରାକୃତିକ ନାଳ ଥିଲା। ଉଦବୃତ୍ତ ଜଳସବୁ ନଦୀରେ ମିଶୁଥିଲା। ମାତ୍ର ମର୍କତନଗର ବିକାଶ ପରେ ଧୀରେଧୀରେ ନାଳଟି ଅବରୋଧ ହୋଇଗଲା। ରାସ୍ତା ଓ କୋଠା ନିର୍ମାଣ ପାଇଁ ଏହା ଅବରୋଧ କରାଗଲା। ମର୍କତନଗର ପାଇଖାନା ମଇଳା ସବୁ ସିଧାସଳଖ ନାଳକୁ ଛଡ଼ାଗଲା। ସ୍ବେରେଜ ବ୍ୟବସ୍ଥା ପରେ ବି ଏବେ ଆବର୍ଜନା ପେଟାନାଳ‌ ମିଶୁଛି। ସିଡିଏରେ ବର୍ଷା ହେଲେ ଏହାର ଉଦବୃତ୍ତ ଜଳ ଆଉ ନିଷ୍କାସନ ହୋଇ ପାରୁ ନାହିଁ। ପେଟାନାଳକୁ ସଫା କରି ଏହି ଯୋଜନାକୁ କାର୍ଯ୍ୟକାରୀ କରାଗଲେ ସିଡିଏର ଜଳ ନିଷ୍କାସନ ସମସ୍ୟା ମଧ୍ୟ ଦୂର ହୋଇପାରିବ ବୋଲି ସ୍ଥାନୀୟ ବାସିନ୍ଦା ଆଶାପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe