୪୧ ଡିଗ୍ରି ଖରାରେ ରୋଗୀଙ୍କ ଭରସା ଗଛ ଛାଇ, ଏପଟେ ରୋଗ ଯନ୍ତ୍ରଣା, ସେପଟେ ସୂର୍ଯ୍ୟଙ୍କ କୋପ

Advertisment

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅଭାବନୀୟ ଚିତ୍ର

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅଭାବନୀୟ ଚିତ୍ର

୪୧ ଡିଗ୍ରି ଖରାରେ ରୋଗୀଙ୍କ ଭରସା ଗଛ ଛାଇ, ଏପଟେ ରୋଗ ଯନ୍ତ୍ରଣା, ସେପଟେ ସୂର୍ଯ୍ୟଙ୍କ କୋପ

Sambad

କଟକ: ଦିନ ପ୍ରାୟ ଗୋଟାଏ। ଡହଡହ ଖରା। ପାଦ ଭୂଇଁରେ ରଖିଲେ ତତଲା କଡେଇ ପରି ଲାଗୁଛି। ୪୧ ଡିଗ୍ରି ତାପମାତ୍ରାରେ ଘରେ ଏସି ବି କାମ କରୁନି। କିନ୍ତୁ ଏମାନଙ୍କ ଭିତରୁ କେହି ମାସେ ହେଲା ତ’ ଆଉ କେହି ୨୦ଦିନ ହେଲାଣି ଖରାରେ ସଢ଼ୁଛନ୍ତି। ରୋଗ ଯନ୍ତ୍ରଣାରେ ଛଟପଟ ହୋଇ ଗଛତଳେ ଖଣ୍ଡିଏ ସଉପ ଉପରେ ଶୋଇ ସରକାରଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥାକୁ ଚାହିଁ ବସିଛନ୍ତି। କେତେବେଳେ ତାଙ୍କ ରିପୋର୍ଟ ଆସିବ ଓ ଚିକିତ୍ସା ପାଇଁ ୱାର୍ଡରେ ବେଡ୍‌ ଖଣ୍ଡିଏ ମଳିବ, ତାକୁ ଅପେକ୍ଷା କରି ପଡ଼ି ରହିଛନ୍ତି। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଦେଖିବାକୁ ମିଳିଛି ମାଗଣା ସ୍ବାସ୍ଥ୍ୟସେବାର ଏଭଳି ଦୟନୀୟ ଚିତ୍ର। ପାଖାପାଖି ୫୦ରୁ ଅଧିକ ରୋଗୀ ଗଛ ଛାଇରେ ପଡ଼ି ରହିଛନ୍ତି। ଦିନରେ ଗଛ ଛାଇ ଓ ରାତିରେ ଡାକ୍ତରଖାନାର ସମ୍ମୁଖ ଭାଗ ଅସ୍ଥାୟୀ ‘ସେଡ୍‌’ ପାଲଟିଛି ଅନେକ ରୋଗୀଙ୍କ ଡାକ୍ତରଖାନାର ବେଡ୍‌। କାଳାହାଣ୍ଡିର ଲୋଚନ ମାଝୀ ମାସେ ହେଲା ଚିକିତ୍ସା ପାଇଁ କର୍କଟ କେନ୍ଦ୍ରକୁ ଆସିଲେଣି। ଅର୍ଥାଭାବରୁ ବାରମ୍ବାର କଳାହାଣ୍ଡିରୁ କଟକ ଆସିବା ସମ୍ଭବ ହେଉ ନଥିବା ବେଳେ ଏପଟେ ଡାକ୍ତର ବିଭିନ୍ନ ପରୀକ୍ଷା ପାଇଁ ଲେଖିଛନ୍ତି। ସବୁ ପରୀକ୍ଷାର ରିପୋର୍ଟ ଠିକ୍‌ ସମୟରେ ଆସିପାରୁ ନଥିବା ବେଳେ ସବୁ ରିପୋର୍ଟ ଆସିଲେ ଯାଇ ତାଙ୍କ ଚିକିତ୍ସା ଆରମ୍ଭ ହେବ।

publive-image Sambad

ତେଣୁ କର୍କଟ କେନ୍ଦ୍ର ସମ୍ମୁଖରେ ଥିବା ସେଡ୍‌ରେ ରହୁଛନ୍ତି। ପ୍ରବଳ ଗରମ ଓ ଖରା ସାଙ୍ଗକୁ ପଙ୍ଖା ନଥିବାରୁ ସେଠାରେ ରହୁଥିବା ରୋଗୀମାନେ ସକାଳେ ଆହାର କେନ୍ଦ୍ର ପାଖ ଗଛମୂଳରେ ସଉପ ପାରି, ବିଞ୍ଚଣା ଖଣ୍ଡିଏ ଅଥବା କାଗଜ ପେଟି ଧରି ବିଞ୍ଚୁଥିବା ଦେଖିବାକୁ ମିଳିଛି। ସେହିପରି ୧୦ଦିନ ହେଲା କର୍କଟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିବା କେନ୍ଦୁଝରର ସୁରି ପିଙ୍ଗୁଆଙ୍କ ଅବସ୍ଥା ବି ସମାନ। କର୍କଟ କେନ୍ଦ୍ରରେ ରିପୋର୍ଟକୁ ଆସିବାରେ ବିଳମ୍ବ ହେଉଥିବାରୁ ଅନେକ ଗୁରୁତର ରୋଗୀ ଚିକିତ୍ସା ପାଇଁ ଆସୁଥିବାବେଳେ ବାହାରେ ରହି ସେମାନଙ୍କ ଅବସ୍ଥା ଅଧିକ ଗୁରୁତର ହୋଇପଡୁଛି। ଏପରିକି ରିପୋର୍ଟ ଅପେକ୍ଷାରେ ଅନେକ ଆଖି ବି ବୁଜିଦେଉଛନ୍ତି। ସରକାର ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଚିକିତ୍ସା ବ୍ୟବସ୍ଥାର ସୁଧାର ଓ ଏଭଳି ପ୍ରବଳ ଗ୍ରୀଷ୍ମପ୍ରବାହରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କଲେ ହୁଏତ ଅନେକ ରୋଗୀ ଓ ସଂପର୍କୀୟ ଉପକୃତ ହୋଇପାରନ୍ତେ। ସ୍ବେଚ୍ଛାସେବୀ ସଂଗଠନ ହେଲ୍‌ପିଂ ହ୍ୟାଣ୍ଡର ସଭାପତି ସୌମିତ୍‌ ସାମଲ୍‌ ଏଭଳି ଗ୍ରୀଷ୍ମପ୍ରବାହ ସମୟରେ ଆଚାର୍ଯ୍ୟ ହରିହରର ରୋଗୀ ବେଡ୍‌ ନପାଇ ଗଛ ଛାଇରେ ରହିବାକୁ ନେଇ ଚିନ୍ତା ପ୍ରକଟ କରିବା ସହ ବାହାରେ ଖରାରେ ରହୁଥିବା ରୋଗୀ ଓ ସଂପର୍କୀୟଙ୍କ ପାଇଁ କର୍ତ୍ତୃପକ୍ଷ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe