କଟକ: ଆବୁ ଭର୍ତ୍ତି ମୁହଁ। ନିଜେ ବି ଭୟରେ ଆଇନାରେ ଦେଖୁନଥିଲେ ନିଜ ମୁହଁକୁ। କେବେ ଭାବିନଥିଲେ ସେ ପୁଣି ଫେରି ପାଇବେ ନୂଆ ମୁହଁ। ହେଲେ ଏଭଳି ଏକ ବିରଳ ଅସ୍ତ୍ରୋପଚାର କରି ବାଲେଶ୍ବର ଜିଲ୍ଲା ରେମୁଣାର ଉଦୟପୁର ଗ୍ରାମର ହରିଶ୍ ଚନ୍ଦ୍ର ତରାଇଙ୍କୁ ଆବୁ ଭର୍ତ୍ତି ମୁହଁରୁ ମୁକ୍ତି ଦେଇଛନ୍ତି ବିଶେଷଜ୍ଞ। ୭ବର୍ଷ ହେଲା କବକଜନିତ ବା ଫଙ୍ଗାଲ ସଂକ୍ରମଣ ଯୋଗୁଁ ହରିଶ୍ଙ୍କ ମୁହଁ ସାରା ଏଭଳି ଆବୁ ସବୁ ଭର୍ତ୍ତି ହୋଇଯାଇଥିଲା। ହରିଶ୍ଙ୍କ ଏଭଳି ରୋଗ ସଂପର୍କରେ ଖବରପାଇ ବାଲେଶ୍ବର ଜିଲ୍ଲାର କିଛି ସ୍ବେଚ୍ଛାସେବୀ ତାଙ୍କୁ ଏସ୍ସିବି ଆଣି ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ଭର୍ତ୍ତି କରିଥିଲେ।
ସେଠାରେ ପ୍ରଫେସର ଡାକ୍ତର ବିଭୂତି ଭୂଷଣ ନାୟକଙ୍କ ନେତୃତ୍ବରେ ଗଠିତ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ବିଭିନ୍ନ ପରୀକ୍ଷା ପରେ ନାକ, ଉପର ଓଠ, ତଳ ଉଠ ଓ କପାଳ ଉପରେ ହୋଇଥିବା ଆବୁର ଦୀର୍ଘ ୫ଘଣ୍ଟାର ଅସ୍ତ୍ରୋପଚାର କରାଯାଇଥିଲା। ଏଭଳି ସଫଳ ଅସ୍ତ୍ରୋପଚାର ପରେ ନୂଆ ରୂପ ପାଇଥିଲେ ହରିଶ୍। ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟାନାୟକଙ୍କ ତତ୍ବାବଧାନରେ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ରଶ୍ମିରଞ୍ଜନ ମହାନ୍ତି, ଡାକ୍ତର ମହେଶ କୁମାର ମଣ୍ଡଳ, ଡାକ୍ତର ବିଷ୍ଣୁପଦ ନାୟକ, ଡାକ୍ତର ରୋଜାଲଇନ୍ ମିଶ୍ର, ଡାକ୍ତର ତନ୍ମୟ ମହାପାତ୍ର ପ୍ରମୁଖ ଏହି ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ ।
Follow Us