ଅବହେଳିତ ପିଏମ୍ ଏକାଡେମି, ନାମକୁ ସ୍ମାର୍ଟ ସ୍କୁଲ୍‌; ୬ମାସ ହେଲା ପ୍ରଧାନଶିକ୍ଷକ ନାହାନ୍ତି, ଶ୍ରେଣୀଗୃହ-ଶିକ୍ଷକ ଅଭାବ

Advertisment
ଅବହେଳିତ ପିଏମ୍ ଏକାଡେମି, ନାମକୁ ସ୍ମାର୍ଟ ସ୍କୁଲ୍‌; ୬ମାସ ହେଲା ପ୍ରଧାନଶିକ୍ଷକ ନାହାନ୍ତି, ଶ୍ରେଣୀଗୃହ-ଶିକ୍ଷକ ଅଭାବ

Sambad

କଟକ: ପୁଣ୍ୟାତ୍ମା ପ୍ୟାରୀମୋହନ ଆଚାର୍ଯ୍ୟ ଯାହାର ପ୍ରତିଷ୍ଠାତା, ସ୍ବାଧୀନତା ସଂଗ୍ରାମୀ ବିପିନ ଚନ୍ଦ୍ର ପାଲ୍‌ ଯାହାର ପ୍ରଥମ ପ୍ରଧାନଶିକ୍ଷକ, ଆଉ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନବିଚାରପତି ଜଷ୍ଟିସ୍ ରଙ୍ଗନାଥ ମିଶ୍ର ଓ ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଓ ବୀରେନ୍ ମିତ୍ର, ଜଷ୍ଟିସ୍ ଚୌଧୁରୀ ପ୍ରତାପ ‌କେଶରୀ ମିଶ୍ର, ଜଷ୍ଟିସ୍ ପ୍ରଦ୍ୟୁମ୍ନ ମହାନ୍ତି, ଶିକ୍ଷାବିତ ସଦାଶିବ ମିଶ୍ର, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ର, ଗୁରୁଜୀ ଚନ୍ଦ୍ରଭାନୁ ପଟ୍ଟନାୟକ(ଆଇପିଏସ୍‌), ଅରୁପ ପଟ୍ଟନାୟକ(ଆଇପିଏସ୍‌)ଙ୍କ ଭଳି ଛାତ୍ର ସୃଷ୍ଟି କରିଥିବା ଶିକ୍ଷାୟତନ ‘ପ୍ୟାରୀମୋହନ ଏକାଡେମି’ ଏବେ ଅବହେଳିତ। ଦୀର୍ଘ ଦିନ ହେଲା ପ୍ରଧାନଶିକ୍ଷକ ପଦ ଖାଲି। ଆବଶ୍ୟକୀୟ ଶିକ୍ଷକ ଓ ଶ୍ରେଣୀଗୃହ ବି ନାହିଁ। ୮ମାସ ହେଲା ୫-ଟି ରୂପାନ୍ତର କାମ ସରୁନି। ୧୮୭୫ରେ ପ୍ୟାରୀମୋହନ ଆଚାର୍ଯ୍ୟ ଗଢ଼ିଥିବା ଏହି ସ୍କୁଲ ଥିଲା ଓଡ଼ିଶାର ପ୍ରଥମ ଘରୋଇ ହାଇସ୍କୁଲ। ଏହି ଶିକ୍ଷାନୁଷ୍ଠାନ ଗଢ଼ିବାରେ କର୍ମବୀର ଗୌରୀଶଙ୍କରଙ୍କ ଭଳି ବହୁ ବରପୁତ୍ରଙ୍କ ସହଯୋଗ ଓ ସମର୍ଥନ ଥିଲା। ଉତ୍ତମ ଶିକ୍ଷାଦାନ ସହ ପିଲାଙ୍କ ରହିବାପାଇଁ ଦ୍ବିତଳବିଶିଷ୍ଟ ଗୌରୀଶଙ୍କର ଛାତ୍ରାବାସ, ବଡ଼ ପ୍ରେକ୍ଷାଳୟ ଆଦି ବ୍ୟବସ୍ଥା ରହିଥିଲା। ଅନେକ କୃତୀ ଛାତ୍ରଛାତ୍ରୀ ଗଢ଼ି ଅନ୍ୟ ଶିକ୍ଷାନୁଷ୍ଠାନ ପାଇଁ ଉଦାହରଣ ସାଜିଥିବା ଏହି ଅନୁଷ୍ଠାନ ରାଜ୍ୟ ସରକାରଙ୍କ ଅବହେଳା ପାଇଁ ଧୀରେ ଧୀରେ ଅବକ୍ଷୟ ଆଡ଼କୁ ମୁହାଁଇଛି। ଡିସେମ୍ବର ମାସରୁ ପ୍ରଧାନଶିକ୍ଷକ ବିଭୂତି ଭୂଷଣ ବେହେରାଙ୍କ ପଦୋନ୍ନତି ଓ ବଦଳି ପରେ ପ୍ରଧାନଶିକ୍ଷକ ପଦ ଖାଲି ପଡ଼ିଛି। ଶ୍ରୀ ବେହେରା ଏବେ ବାରଙ୍ଗ ବ୍ଲକ୍ ଶିକ୍ଷାଧିକାରୀ ରହିଥିଲେ ମଧ୍ୟ ତାଙ୍କ ହାତରେ ପିଏମ୍ ଏକାଡେମିର କେବଳ ଡିଡିଓ(ଅର୍ଥ ଉଠାଣ କ୍ଷମତା) ରହିଛି।

ବରିଷ୍ଠ ଶିକ୍ଷୟିତ୍ରୀ ନସିମ୍‌ ବାନୁ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ରହିଛନ୍ତି। ବିଦ୍ୟାଳୟ ପରିଚାଳନା ସମିତି ନଥିବାରୁ ପିଲାଙ୍କୁ ପୋଷକ ବଣ୍ଟନ କରାଯାଇନାହିଁ। ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୮ଶହ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ୪ର୍ଥ ଶ୍ରେଣୀରେ ୧ଟି, ୫ମରେ ୧ଟି, ୬ଷ୍ଠରେ ୩ଟି, ୭ମରେ ୩ଟି, ୮ମରେ ୪ଟି, ୯ମରେ ୪ଟି ୧୦ମରେ ୩ଟି ସେକ୍ସନ୍‌ ମିଶାଇ ଏହିପରି ୧୯ଟି ସେକ୍ସନ୍‌ ଚାଲିଛି। ଏସବୁ ସେକ୍ସନ୍‌ ପାଇଁ ୧୯ଜଣ ଶିକ୍ଷକ ରହିଛନ୍ତି। ସେଥିରୁ ୨ଜଣ ଦୀର୍ଘଦିନ ହେଲା ଛୁଟିରେ। ଶିକ୍ଷକ ଅଭାବ ରହିଥିବା ବ‌େଳେ ୨ଜଣ ଶିକ୍ଷକଙ୍କୁ ଜିଲ୍ଲାଶିକ୍ଷାଧିକାରୀଙ୍କ ପକ୍ଷରୁ ଡେପୁଟେସନ୍‌ରେ ପଠାଯାଇଛି। ଜଣେ ପୁଲିସ୍ ହାଇସ୍କୁଲରେ ଓ ଆଉ ଜଣେ ରତ୍ନାକର ବିଦ୍ୟାମନ୍ଦିର, ବିରିବାଟିରେ କାର୍ଯ୍ୟ କରୁଛନ୍ତି। ୱାଚ୍‌ମ୍ୟାନ ନାହାନ୍ତି। ୫ଜଣ ପିଅନରୁ ଅଛନ୍ତି ୨ଜଣ। ବିଦ୍ୟାଳୟ ୫-ଟିରେ ସାମିଲ ହୋଇଛି। ୫-ଟି ରୂପାନ୍ତର କାର୍ଯ୍ୟ ଚାଲୁଥିବାରୁ କିଛି ଶ୍ରେଣୀଗୃହ ଏବେ ବନ୍ଦ ପଡ଼ିଛି। ସରକାରୀ ବିଦ୍ୟାଳୟ‌ରେ ପିଲା ସଂଖ୍ୟା କମୁଥିବା ବ‌େଳେ ଏଠାରେ କିନ୍ତୁ ବଢ଼ୁଛନ୍ତି। କିନ୍ତୁ ସରକାରଙ୍କ ଏହି ବିଦ୍ୟାଳୟ ପ୍ରତି ଅବହେଲା କରୁଥିବା ଅଭିଯୋଗ ହୋଇଛି। ଜଣେ ବରିଷ୍ଠ ଶିକ୍ଷକଙ୍କ କହିବା ଅନୁସାରେ, ୬ମାସ ହେଲା ପ୍ରଧାନଶିକ୍ଷକ ପଦ ଖାଲିପଡ଼ିଛି। ସ୍ଥାୟୀ ପ୍ରଧାନଶିକ୍ଷକ ନଥିବାରୁ ପାଠପଢ଼ା ସହ ଅନ୍ୟ ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସେହିପରି କ୍ଲାସ୍ ରୁମ୍, ଶିକ୍ଷକ ଅଭାବ ରହିଥିବା ବେଳେ ୫-ଟି କାର୍ଯ୍ୟ ପାଇଁ କ୍ଲାସ୍ ଓ ସ୍କୁଲରୁ ଦୁଇ ଶିକ୍ଷକ ଡେପୁଟେସନରେ ଯିବାକୁ ଏହା ସମସ୍ୟାକୁ ଅଧିକ ଜଟିଳ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe