କେବଳ ଖୁଚୁରା ଦୋକାନରେ ପଲିଥିନ୍‌ ଚଢ଼ାଉ; ପ୍ରସ୍ତୁତକାରୀ କମ୍ପାନିକୁ ଆଖି ବୁଜିଛି ସିଏମ୍‌ସି

Advertisment
କେବଳ ଖୁଚୁରା ଦୋକାନରେ ପଲିଥିନ୍‌ ଚଢ଼ାଉ; ପ୍ରସ୍ତୁତକାରୀ କମ୍ପାନିକୁ ଆଖି ବୁଜିଛି ସିଏମ୍‌ସି

Sambad

କଟକ: ସହରର ପ୍ରତି ଦୋକାନରେ ଏବେ ମିଳୁଛି ପଲିଥି୍‌। ରାସ୍ତାକଡ଼ର ଫଳ ଦୋକାନରୁ ଆରମ୍ଭ କରି ବଡ଼ବଡ଼ ଦୋକାନ ପର୍ଯ୍ୟନ୍ତ; ସବୁଠି ଯାହାକୁ ଯେତେ ପଲିଥିନ୍‌ ମିଳୁଛି। ଚଳିତବର୍ଷ ଆରମ୍ଭରୁ ସିଏମ୍‌ସି ପକ୍ଷରୁ ପଲିଥିନ ଚଢ଼‌ାଉ ବନ୍ଦ ଥିବାବେଳେ ଏବେ ଗତ ଦୁଇଦିନରେ ନିଗମ ପକ୍ଷରୁ ପଲିଥିନ ଚଢ଼ାଉ କାମ ଆରମ୍ଭ ହୋଇଛି। ମାତ୍ର ସିଏମ୍‌ସି ଓ ପୁଲିସ ପ୍ରଶାସନ ଚଳିତବର୍ଷ ଅକ୍ଟୋବର ଓ ନଭେମ୍ବର ମାସ ମଧ୍ୟରେ ଏକାଧିକ ନକଲି ମସଲା କମ୍ପାନି ଉପରେ ଚଢ଼ାଉ କରିଥିବାବେଳେ ପଲିଥିନ ପ୍ରସ୍ତୁତକାରୀ କମ୍ପାନିରେ ହାତମାରୁ ନଥିବା  ଅଭିଯୋଗ ହୋଇଛି।

ସିଏମ୍‌ସି ପକ୍ଷରୁ ଗତକାଲି ପିଠାପୁର ଅଞ୍ଚଳରୁ ଚଢ଼ାଉ କରାଯାଇ ୫ କ୍ୟୁଣ୍ଟାଲ ପଲିଥିନ ଜବତ କରାଯିବା ସହିତ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଆଜି ସେହିପରି ବାଦାମବାଡ଼ି ଅଞ୍ଚଳରେ ଚଢ଼ାଉ କରାଯାଇ ୨ କ୍ୟୁଣ୍ଟାଲ ପଲିଥିନ ଜବତ ଓ ୧୧ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି। ସିଏମ୍‌ସି କର୍ତ୍ତୃପକ୍ଷ ସହର‌ ମଧ୍ୟରେ ଥିବା ଦୋକାନରେ ପଲିଥିନ୍‌ ଚଢ଼ାଉ ଜାରି ରଖୁଥିବା ବେଳେ ପଲିଥିନ କମ୍ପାନିରେ ହାତ ମାରୁ ନଥିବା ଅଭିଯୋଗ ହୋଇଛି। ଜଗତପୁର ଅଞ୍ଚଳରେ ଥିବା ପଲିଥିନ୍‌ ପ୍ରସ୍ତୁତକାରୀ କମ୍ପାନି ଉପରେ ମହାନଗର ନିଗମ ଓ ପୁଲିସ ତରଫରୁ କେବେ ଚଢ଼ାଉ କରାଯିବ ତାହା ଏବେ ସାଧାରଣରେ ପ୍ରଶ୍ନ ହୋଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୮ ଗାନ୍ଧୀ ଜୟନ୍ତୀରୁ ପଲିଥିନ ଓ ପ୍ଲାଷ୍ଟିକ୍‌ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇଥିବା ବେଳେ ୨୦୧୯ରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲଗାଯାଇଥିଲା। ଏହା ପରଠାରୁ ଗତବର୍ଷ ଅକ୍ଟୋବର, ନଭେମ୍ବର ମାସରେ ସିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ଅଞ୍ଚଳରେ ପଲିଥିନ ଚଢ଼ାଉ ‌ଜୋରଦାର କରାଗଲା। ଏପରିକି ଅକ୍ଟୋବର ୧ରେ ଅର୍ଥାତ୍‌ ଗାନ୍ଧୀ ଜୟନ୍ତୀ ପୂର୍ବଦିନ ମାଲଗୋଦମର ତିନିଟି ବ୍ୟବସାୟ ପ୍ରତିଷ୍ଠାନରେ ପଲିଥିନ ଚଢ଼ାଉ କରାଯାଇ ୨୨ କ୍ୟୁଣ୍ଟାଲ ପଲିଥିନ ଜବତ ହୋଇଥିଲା।

ଉକ୍ତ ଦୁଇମାସରେ ୩୦ କ୍ୟୁଣ୍ଟାଲରୁ ଅଧିକ ପଲିଥିନ ଜବତ କରାଯାଇଥିବାବେଳେ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ ହୋଇଥିଲା। ଗତ ବାଲିଯାତ୍ରାରେ ମଧ୍ୟ ପୌରନିଗମ ପକ୍ଷରୁ ପଲିଥିନ ଚଢ଼ାଉକୁ ‌ଜୋରଦାର କରାଯାଇଥିଲା। ମାତ୍ର ବାଲିଯାତ୍ରା ପରଠାରୁ ପଲିଥିନ ଚଢ଼ାଉ କାର୍ଯ୍ୟକ୍ରମ ବନ୍ଦ ରହିଥିଲା।  ଚଳିତବର୍ଷ ମଧ୍ୟ ଏସ୍‌ସିବି ଓ ତାଳଦଣ୍ଡା ବନ୍ଦ ରାସ୍ତା ସଂପ୍ରସାରଣ ପାଇଁ ସିଏମସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ବ୍ୟସ୍ତଥିବା ବେଳେ କର୍ମଚାରୀ ଅଭାବକୁ ଆଳ କରି ସିଏମ୍‌ସି ପକ୍ଷରୁ ପଲିଥିନ ଚଢ଼ାଉକୁ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। ମାତ୍ର ଗତ ଦୁଇଦିନରେ ସିଏମ୍‌ସି ସହରର ଛୋଟ ବଡ଼ ଦୋକାନରୁ ୭ କ୍ୟୁଣ୍ଟାଲ ପଲିଥିନ ଜବତ କରାଯିବା ସହିତ ୪୧ ହଜାର ଟଙ୍କା ଜରିମାନା ଆଦାୟ କରିଛି। ନିଗମ ଓ ପୁଲିସ ପ୍ରଶାସନ କେବଳ ସହରର ଦୋକାନରେ ପଲିଥିନ ଚଢ଼ାଉ କରୁଥିବାବେଳେ ଏହା ପ୍ରସ୍ତୁତକାଣୀ କମ୍ପାନି ଉପରେ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe