କଟକରେ ପାର୍ବଣ ପାଇଁ ସଜବାଜ

Advertisment
କଟକରେ ପାର୍ବଣ ପାଇଁ ସଜବାଜ

Sambad

କଟକ: ତେଲେଙ୍ଗାବଜାର ପୂଜା କମିଟି ସହରର ଏକ ପୁରାତନ ପୂଜା ପ୍ରତିଷ୍ଠାନ। ପ୍ରଥମରୁ ସାହିରେ ମହାଦେବ ପାର୍ବତୀ ପୂଜା ପାଉଛନ୍ତି। ପ୍ରଥମରୁ ଅସ୍ଥାୟୀ ମଣ୍ଡପରେ ଠାକୁର ପୂଜା ପାଉଥିବା ବ‌େଳେ ୬୦ବର୍ଷ ତଳେ ସ୍ଥାୟୀ ମଣ୍ଡପ ତିଆରି ହୋଇ ସେଠାରେ ପୂଜା ଅନୁଷ୍ଠିତ ହେଉଛି। ଏବର୍ଷର ପୂଜା, ଏବର୍ଷ ସାହି ଅଧିକାରୀ ଅଧ୍ୟାପକ ନୃସିଂହ ଚରଣ ମଲ୍ଲିକ୍‌ଙ୍କ ପରଲୋକ ପାଇଁ ପୂଜାକୁ ଯଥାସମ୍ଭବ ନିରାଡ଼ମ୍ବର କରାଯିବ। ଚଳିତବର୍ଷ ପୂଜା ପାଇଁ କମିଟି ପକ୍ଷରୁ ୫ଲକ୍ଷ ଟଙ୍କା ବଜେଟ୍ ରହିଛି। ପୁରୀଘାଟ ଦେବୀଗଡ଼ା ତେଲେଙ୍ଗାବଜାର ଅଞ୍ଚଳର ହୋଇଥିବାରୁ ପରମ୍ପରା ଅନୁସାରେ ଭସାଣି ଉତ୍ସବରେ ସହରର ମେଢ଼କୁ କମିଟି ପକ୍ଷରୁ ସମ୍ବର୍ଦ୍ଧନା କରାଯାଏ। ‌ଠାକୁରଙ୍କୁ ‌ଭୋଗହାଣ୍ଡି ସହିତ ସଭାପତି, ସଂପାଦକଙ୍କୁ ଉତ୍ତରୀୟ, ପୁ‌ଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯିବ। ମହାଦେବ ପାର୍ବତୀଙ୍କ ପାଇଁ ଚାନ୍ଦିର ମୁକୁଟ, ଗହଣା, ସାଜ ଆଦି ଅଛି। ଏବର୍ଷ ଚାନ୍ଦିମେଢ଼ ପାଇଁ ଯୋଜନା ଥିଲା। କିନ୍ତୁ ଅଧିକାରୀଙ୍କ ମୃତ୍ୟୁ ପାଇଁ ଆସନ୍ତାବର୍ଷକୁ ଚାନ୍ଦିମେଢ଼ କରାଯିବାକୁ ଯୋଜନା ରହିଛି ବୋଲି କହିଛନ୍ତ ତେଲେଙ୍ଗାବଜାର ପୂଜା କମିଟି ସଂପାଦକ ଆଲୋକ କୁମାର ମହାପାତ୍ର। ପୂଜା କମିଟି ସଭାପତି ପ୍ରସନ୍ନ କୁମାର ବେହେରା, କୋଷାଧ୍ୟକ୍ଷ କୈଳାସ ସ୍ବାଇଁ, ଯୁବ ସଂପାଦକ ବାବୁଲି ବେହେରାଙ୍କ ସମେତ କମିଟି ସମସ୍ତ କର୍ମକର୍ତ୍ତା ଓ ସାହିବାସୀ ପୂଜାରେ ପୂର୍ଣ୍ଣ ସହାୟତା କରନ୍ତି। ଅମୃତ ଯୋଜନା କାମ ଚାଲିଥିବାରୁ ତେଲେଙ୍ଗାବଜାର ରାସ୍ତାଘାଟ ଅନେକ ସ୍ଥାନରେ ଦବି ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। କିଛି ସ୍ଥାନରେ ପାଇପ୍ ଫାଟି ରାସ୍ତାରେ ପାଣି ଲହଡି ମାରୁଛି।

ଆସନ୍ତାବର୍ଷ ଚାନ୍ଦିମେଢ଼ରେ ସୌନ୍ଦର୍ଯ୍ୟୀକରଣ, ଗଙ୍ଗାମନ୍ଦିର ପୂଜା କମିଟି-ଗଙ୍ଗାମନ୍ଦିର ସାହିର ବହୁବର୍ଷ ଧରି ମହାଦେବ-ପାର୍ବତୀ ପୂଜା ହେଉଥିଲେ। ଅଷ୍ଟମୀ ପୂଜା ପାଇଁ ସାହିର ସ୍ତ୍ରୀଲୋକମାନେ ଅନ୍ୟ ମଣ୍ଡପକୁ ଯାଉଥି‌ଲେ। ଏଥିପାଇଁ ସାହିଲୋକଙ୍କ ସହମତିରେ ୧୯୯୩ରୁ ସାହିରେ ଦୁର୍ଗାପୂଜା ଆରମ୍ଭ ହେଲା। ୧୯୯୫ରେ ଦୁର୍ଗାଙ୍କ ପାଇଁ ଏକ ନୂ୍ଆପୂଜା ମଣ୍ଡପ ନିର୍ମାଣ ହେଲା। ପୁରୁଣା ମଣ୍ଡପରେ ଗଣେଶ ଓ କାର୍ତ୍ତିକେଶ୍ବର ପୂଜା ପାଳନ କରାଯାଉଥିବା ବେଳେ ନୂତନ ମଣ୍ଡପରେ ଦୁର୍ଗା ଓ କାଳୀ ପୂଜା ହେଉଛନ୍ତି।

publive-image Sambad

ଏବର୍ଷର ଯୋଜନା- ଗଙ୍ଗାମନ୍ଦିର ପୂଜା କମିଟି ପକ୍ଷରୁ ଚଳିତବର୍ଷ ପୂଜା ପାଇଁ ୪ଲକ୍ଷ ଟଙ୍କା ବଜେଟ୍‌ ରହିଛି। ଏଥିରେ ପୂଜା, ସାଜସଜା ସହ ଦଶମୀ ଦିନ ୧ ହଜାର ଲୋକଙ୍କ ପାଇଁ ଦହିପଖାଳ ଭୋଗ କରାଯିବ। ମହାସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ସବୁଦିନ ବୁନ୍ଦି ଭୋଗ ହୋଇ ସାହିବାସୀଙ୍କ ସମେତ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରାଯିବ। କମିଟି ପକ୍ଷରୁ ୨୦୧୯ରେ ଦେଢ଼ କ୍ବିଣ୍ଟାଲ ଓଜନର ଚାନ୍ଦିମେଢ଼ ତିଆରି ହୋଇଛି। ଏହା ବ୍ୟତୀତ ଦୁର୍ଗା ଓ ପାର୍ଶ୍ବ ଦେବଦେବୀଙ୍କ ପାଇଁ ଚାନ୍ଦି ମୁକୁଟି, ସାଜ, ଗହଣା ଆଦି ପ୍ରସ୍ତୁତି ହୋଇଛି। ପୂଜା କମିଟି ପକ୍ଷରୁ ଗ୍ରାମଦେବୀ ମା’ ନିମଦେଈଙ୍କ ବାର୍ଷିକ ଉତ୍ସବ ମଧ୍ୟ ପାଳନ କରାଯାଏ। ଏଥିରେ ପାଖାପାଖି ହଜାରେ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଏ। ଏବର୍ଷ ଚାନ୍ଦିମେଢ଼ରେ ଆଉ କିଛି କାମ କରାଯିବାକୁ ଯୋଜନା ଥିଲା। କିନ୍ତୁ ବିଗତ ଦୁଇବ‌ର୍ଷ କରୋନା ପାଇଁ ଏବର୍ଷ ଚାନ୍ଦିକାମ ନ ହୋଇ ଆସନ୍ତାବର୍ଷକୁ ମେଢ଼ର ଅବଶିଷ୍ଟ ଚାନ୍ଦି କାମ ଓ ସୌନ୍ଦର୍ଯ୍ୟୀକରଣ କରାଯିବ ବୋଲି ଗଙ୍ଗାମନ୍ଦିର ପୂଜା କମିଟି ସଂପାଦକ ପ୍ରଦୀପ କୁମାର ସିଂହ କହିଛନ୍ତି। କମିଟି ସଭାପତି ଉମାଶଙ୍କର ଦାସ, ଅଧିକାରୀ ରୁଦ୍ରକେତନ ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସାହିବାସୀ ପୂଜାରେ ସଂପୂର୍ଣ୍ଣ ସକ୍ରୀୟ ରୁହନ୍ତି। ସାହିରାସ୍ତା ବିପର୍ଯ୍ୟସ୍ତ-ଜାଇକା ଓ ଅମୃତ ଯୋଜନା କାମ ପାଇଁ ସାହିରାସ୍ତା ବହୁଦିନ ହେବ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଜାଇକା କାମ କରିବା ପରେ ରାସ୍ତାରେ ଟାଇଲ୍ ପଡ଼ିଥିଲା। ଏବେ ପୁଣି ଟାଇଲ୍ ଖୋଳା ଚାଲିଛି। ଅମୃତ ଯୋଜନା ପାଇପ୍ ବିଛାଇବା ପାଇଁ ରାସ୍ତା ଖୋଳାଗଲା। କିନ୍ତୁ ଆଉ କାମ ହେଲାନି, ରାସ୍ତାସ୍ତାରା ଖାଲ ରହିଛି। କଟକ ସହରରେ ପାର୍ବଣ ଆରମ୍ଭ ହୋଇଥିଲେ ମଧ୍ୟ ଗଙ୍ଗାମନ୍ଦିର ରାସ୍ତାଘାଟର ଅବସ୍ଥା ସୁଧୁରୁନାହିଁ। ପୂଜା ପୂର୍ବରୁ ସାହିରେ ଜାଇକା ଓ ଅମୃତ ‌ଯୋଜନା କାମ ସଂପୂର୍ଣ୍ଣ କରି ରାସ୍ତା ମରାମତି କରିବାକୁ ପୂଜା କମିଟି ପକ୍ଷରୁ ଦାବି ହୋଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe