କାଳୀପୂଜା ପ୍ରସ୍ତୁତି ବୈଠକ: ମଣ୍ଡପରୁ ଉଠିପାରେ ପରଦା, କାଳୀ ମେଢ଼ ବି ଦେବୀଗଡ଼ାରେ ବିସର୍ଜନ

Advertisment
କାଳୀପୂଜା ପ୍ରସ୍ତୁତି ବୈଠକ: ମଣ୍ଡପରୁ ଉଠିପାରେ ପରଦା, କାଳୀ ମେଢ଼ ବି ଦେବୀଗଡ଼ାରେ ବିସର୍ଜନ

Sambad

କଟକ: ଚଳିତବର୍ଷ କାଳୀପୂଜାରେ ମଣ୍ଡପରେ ରାତିରେ ପୂଜା ସମୟରେ ପରଦା କାଢ଼ିବାକୁ ମହାନଗର ଶାନ୍ତି କମିଟି ଓ ପୂର୍ବାଞ୍ଚଳ ଶାନ୍ତି କମିଟି ପକ୍ଷରୁ କମିସନରେଟ୍ ପୁଲିସକୁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ନଭେମ୍ବର ୪ ତାରିଖ ରାତି ପ୍ରାୟ ୧୨ଟାରୁ ପୂଜା ଆରମ୍ଭ ହୋଇ ୫ ତାରିଖ ଭୋରୁ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହି ସମୟରେ ପୂଜା ମଣ୍ଡପରୁ ପରଦା ନପକାଇବାକୁ କମିଟି ପକ୍ଷରୁ ନିବେଦନ କରାଯାଇଥିବା ବେଳେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ। ଖୁବ ଶୀଘ୍ର ଏ ସଂକ୍ରାନ୍ତରେ କମିସନରେଟ୍ ପୁଲିସ ନିଷ୍ପତ୍ତି ନେବାକୁ ଯାଉଥିବା ଆଜିର କାଳୀପୂଜା ପ୍ରସ୍ତୁତି ବୈଠକରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, କମିସନେରଟ୍ ପୁଲିସ ଓ ସହରର ବିଭିନ୍ନ ପୂଜା କମିଟି ପକ୍ଷରୁ  ଓସିଏ କନଫରେନ୍ସ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପାଖାପାଖି ୮୪ଟି ପୂଜା କମିଟିରେ କାଳୀ ମେଢ଼ ହେବାକୁ ଯାଉଥିବା ବେଳେ ଆଜି ଆୟୋଜିତ ବୈଠକରେ କୋଭିଡ୍ କଟକଣା କିଭଳି ପାଳନ କରାଯିବ- ସେ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଦୁର୍ଗାପୂଜା ଭଳି କାଳୀପୂଜାରେ ବି ମଣ୍ଡପର ତିନିପଟୁ ବନ୍ଦ କରିବାକୁ ଆଲୋଚନା ହୋଇଥିଲା। କିନ୍ତୁ ପୂଜା କମିଟି ପକ୍ଷରୁ ପରଦା ଉପରେ କୋହଳ କରିବାକୁ କମିସନରେଟ୍ ପୁଲିସକୁ ଆଜି ନିବେଦନ କରିଛନ୍ତି। ୪ ଫୁଟ ଉଚ୍ଚତାରେ ମୂର୍ତ୍ତି ହେବ। ଏହାବାଦ୍ ଦୁର୍ଗାପୂଜା ଭଳି କାଳୀପୂଜାରେ ବି ମଣ୍ଡପରେ ପୂଜକଙ୍କୁ ମିଶାଇ ସର୍ବାଧିକ ୭ ଜଣ କର୍ମକର୍ତ୍ତା ଉପସ୍ଥିତ ରହିବେ। ମଣ୍ଡପ ବାହାରେ ଦୁଇଟି ହାଲୋଜେନ୍ ଲାଇଟ୍ ଓ ଲିଚୁ ଲାଇଟ୍ ଲଗାଇବାକୁ ଅନୁମତି ଦିଆଯାଇଛି। ଏହି ଅବସରରେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପୂଜା ମଣ୍ଡପ ପକ୍ଷରୁ ପରିବେଷଣ କରାଯିବ ନାହିଁ। କୌଣସି ଭୋଜିଭାତର ଆୟୋଜନ ହୋଇପାରିବ ନାହିଁ। ପ୍ରତି ମେଢ଼ରେ ଜଣେ ଲେଖାଏ ଅଫିସର ନିୟୋଜିତ ହେବେ। ସେମାନଙ୍କ ସହିତ ୩ ଜଣ ପୁଲିସ କନଷ୍ଟେବଳ କିମ୍ବା ହାବିଲଦାରଙ୍କୁ ନିୟୋଜିତ କରାଯିବ। ୪ ତାରିଖରେ ପୂଜା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ୫ ତାରିଖରେ ବିଶ୍ରାମ ଏବଂ ୬ ତାରିଖରେ ମେଢ଼ ବିସର୍ଜନ ହେବାକୁ ଧାର୍ଯ୍ୟ କରାଯାଇଛି।

publive-image Sambad

ଭସାଣିରେ ମଣ୍ଡପ ପିଛା ସର୍ବାଧିକ ୭ ଜଣ ରହିବେ। ଦେବୀଗଡ଼ାରେ ୬ ତାରିଖ ଦିନ ସମସ୍ତ ମେଢ଼ ବିସର୍ଜନ କରିବାକୁ ନିଷ୍ପତ୍ତି ହୋଇଛି। ଚେଚିସ୍‌ରେ ମେଢ଼ ବିସର୍ଜନ ହେବାକୁ ଯିବ ନାହିଁ। ଟାଟା ଏସିଇ, ଟ୍ରାକ୍ଟର କିମ୍ବା ଡାଲା ଅଟୋରେ ମୂର୍ତ୍ତି ବିସର୍ଜନ ପାଇଁ ନିଆଯିବ। ଗୋଟିଏ ଦିନରେ ହିଁ ବିସର୍ଜନ ଶେଷ କରାଯିବ। ସକାଳ ୮ଟାରୁ ୧୦ଟା, ୧୦ଟାରୁ ୧୨ଟା, ୧୨ଟାରୁ ୨ଟା, ୨ଟାରୁ ୪ଟା, ୪ଟାରୁ ୬ଟା ଯାଏ ପ୍ରାୟ ୫ଟି ସ୍ଲଟରେ ମୂର୍ତ୍ତି ବିସର୍ଜନ କରାଯିବ। ସନ୍ଧ୍ୟା ସୁଦ୍ଧା ବିସର୍ଜନ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି। ୫ଟି ସ୍ଲଟ ଭିତରୁ କେଉଁ ସ୍ଲଟରେ କେଉଁ ଥାନା ଅଞ୍ଚଳର ମେଢ଼ ବିସର୍ଜନ କରାଯିବ, ସେ ନେଇ ନିଷ୍ପତ୍ତି ଥାନା ପୁଲିସ ନେବ। ସ୍ଲଟ ଅନୁଯାୟୀ ମୂର୍ତ୍ତି ବିସର୍ଜନ ହେଲେ ଦେବୀଗଡ଼ାରେ ଭିଡ଼କୁ ଏଡ଼ାଇ ଦିଆଯାଇପାରିବ ବୋଲି କୁହାଯାଉଛି।

ଏହି ବୈଠକରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଡିସିପି ପ୍ରତୀକ ସିଂହ, ଅତିରିକ୍ତ ଡିସିପି ଅନୀଲ ମିଶ୍ର, ପ୍ରମୋଦ ରଥ, ସମସ୍ତ ଜୋନ୍ ଏସିପି, ଥାନା ଆଇଆଇସିଙ୍କ ସମେତ କଟକ ମହାନଗର ଶାନ୍ତ କମିଟି ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରି ଦାସ, ପୂର୍ବାଞ୍ଚଳ ଶାନ୍ତ କମିଟି ସଭାପତି ବିଜୟ କୁମାର ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, କଟକ ନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ, ଉପ-ଜିଲ୍ଲାପାଳ ପ୍ରତାପ ବେହୁରିଆ, ସିଏମ୍‌ଏସି ଡେପୁଟି କମିସନର ଅବିନାଶ ରାଉତ, ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା ରାଜକିଶୋର ନାୟକ, ବିଜୟ କୁମାର ଦାଶ, ପ୍ରଦୀପ ସିହ୍ନା, ଧର୍ମେଶ ନାୟକ, ଲିଙ୍ଗରାଜ ହାତୀ, ଦେବାଶିଷ ରାୟ, ବିଜୟ ବେହେରା, ନୃସିଂହ ଚୌଧୁରୀ, ଅମୀୟ ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe