ଗଣେଶ ପୂଜାରୁ ମେଲୋଡି ପାଇଁ ପ୍ରସ୍ତୁତି, ମଞ୍ଚ ଦୁଲୁକାଇବ ଶ୍ରୀବଲି, ମଲମ ପିତା, ଗୁଆଘିଅ...

Advertisment
ଗଣେଶ ପୂଜାରୁ ମେଲୋଡି ପାଇଁ ପ୍ରସ୍ତୁତି, ମଞ୍ଚ ଦୁଲୁକାଇବ ଶ୍ରୀବଲି, ମଲମ ପିତା, ଗୁଆଘିଅ...

Sambad

କଟକ: ଗଣେଶ ପୂଜାରୁ ଆରମ୍ଭ ହୋଇଯିବ ପାର୍ବଣ ଋତୁ। ଏଥିସହ ମଞ୍ଚ କଳାକାରଙ୍କ ପ୍ରତିଭା ପ୍ରଦର୍ଶନ କରିବାର ଏକ ସୁଯୋଗ ଏହିଠାରୁ ଆରମ୍ଭ ହେବ। ଦୀର୍ଘ ଅଢେଇ ବର୍ଷ ପରେ ପାର୍ବଣ ସମୟରେ ମେଲୋଡି ମଞ୍ଚ ପୁଣି ଥରେ ଦୁଲୁକିବ। ଶ୍ରୀବଲି..., ମଲମ ପିତା..., ସାମି ସାମି..., ଗୁଆଘିଅ... ଭଳି ଗୀତ ଏବେ ହିଟ୍‌ ଲିଷ୍ଟରେ ଥିବାବେଳେ ଦୁଇ ବର୍ଷ ହେବ ଭଲ ନୂଆ ଓଡ଼ିଆ ସିନେମା ଆସି ନଥିବାରୁ ଗୀତ ଚୟନ କରିବାରେ ସମସ୍ୟା ହେଉଛି। ତଥାପି ଏହି ସମୟ ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଅନେକ ନୂଆନୂଆ ଗୀତ ଦର୍ଶକଙ୍କ ମନକୁ ଛୁଇଁପାରିଥିବାରୁ ସେଗୁଡିକ ଉପରେ ମେଲୋଡି ମାଲିକ ମାନେ ନିର୍ଭର କରିବାକୁ ଯାଉଛନ୍ତି। ଯଦିଓ ରାଜ୍ୟ ସରକାର ଗତବର୍ଷଠୁ ମେଲୋଡିକୁ ଅନୁମତି ଦେଇ ସାରିଛନ୍ତି, କିନ୍ତୁ ସେଭଳି ଅନୁକୂଳ ସମୟ କଳାକାରଙ୍କ ପାଇଁ ସୃଷ୍ଟି ହୋଇ ନଥିଲା। ହେଲେ ଏଥର ଗଣେଶ ପୂଜାରୁ ଭଲ ବ୍ୟବସାୟ ଆରମ୍ଭ କରିବାକୁ ମେଲୋଡି ମାଲିକମାନେ ଆଶା ରଖିଛନ୍ତି। ଏସବୁ ସତ୍ତ୍ବେ ମେଲୋଡି ମାଲିକମାନେ ଏକ ବଡ଼ ସମସ୍ୟା ଭିତରେ ଛନ୍ଦି ହେବା ଭଳି ଆଶଙ୍କା ରହିଛି। କରୋନା କାଳ ସମୟରେ ଅନେକ କଳାକାରଙ୍କ ମୃତ୍ୟୁ ହୋଇଯାଇଥିଲା ବେଳେ ଆଉ କିଛି ପେସା ବଦଳାଇ ଦେଇଛନ୍ତି। ସେଥିମଧ୍ୟରୁ ଖୁବ୍‌ କମ୍‌ କଳାକାର ସ˚ଗୀତ ପେସାକୁ ଫେରିଥିଲାବେଳେ କିଛି ନୂଆ କଳାକାର ଯୋଡ଼ି ହୋଇଛନ୍ତି। ଏଥିସହ ଆର୍ଥିକ ବୋଝ ମାଲିକମାନଙ୍କୁ ଚିନ୍ତାରେ ରଖିଛି। ମାସେ ପୂର୍ବରୁ ସବୁ କଳାକାରଙ୍କୁ ଅଗ୍ରୀମ ଦେବାକୁ ପଡୁଥିଲାବେଳେ ଅଭ୍ୟାସ ପାଇଁ ସାଉଣ୍ତ ସିଷ୍ଟମ, ଘର, କଳାକାରମାନଙ୍କ ରହିବା ବ୍ୟବସ୍ଥା ଇତ୍ୟାଦି ପାଇଁ ମାଲିକମାନଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଏହାକୁ ଦୃଷ୍ଟିରେ ରଖି ମେଲୋଡି ମାଲିକମାନେ ଯେଉଁଠାରେ ପୂର୍ବରୁ ମାସେ ପୂର୍ବରୁ ଅଭ୍ୟାସ ଆରମ୍ଭ କରି ଦେଉଥିଲେ, ଏବେ କିଏ ୧୦ ଦିନ ଆଗରୁ ତ କିଏ ୧୫ ଦିନ ଆଗରୁ ଅଭ୍ୟାସ କରିବା ପାଇଁ ଯୋଜନା କରିଛନ୍ତି। କିନ୍ତୁ ଅଭ୍ୟାସ ଆରମ୍ଭ ହୋଇଯିବା ପରେ ଯଦି ସରକାର କୌଣସି କାରଣରୁ ମେଲୋଡି ଉପରେ ପ୍ରତିବନ୍ଧକ ଲଗାନ୍ତି, ତାହେଲେ ଅଣ୍ଟା ନୂଆଇଁ ସାରିଥିବା କଳାକାରଙ୍କ ଅଣ୍ଟା ସବୁଦିନ ପାଇଁ ଭାଙ୍ଗିଯବ ବୋଲି ଅନେକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏ ସ˚ପର୍କରେ ସରଗମ ମେଲୋଡିର ମାଲିକ ଶ୍ୟାମ କୁମାର କହିଛନ୍ତି ଯେ, ସରକାର ମେଲୋଡିକୁ ଅନୁମତି ଦେବା ପରଠୁ ଡିସେମ୍ବରରୁ ଜୁଲାଇ ଭିତରେ ଶିବରାତ୍ରୀ, ଦୋଳ, ବାହାଘର, ବ୍ରତ, ଜନ୍ମଦିନ ଇତ୍ୟାଦି କାର୍ଯ୍ୟକ୍ରମରେ ମଞ୍ଚ କାର୍ଯ୍ୟକ୍ରମ କରାଯାଇଛି।

ଦ୍ବିଗୁଣା ଦର୍ଶକ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ଆସୁଛନ୍ତି। ଏହା ମେଲୋଡି ମାଲିକମାନଙ୍କ ପାଇଁ ଭଲ ସଙ୍କେତ। ସାଗର ସଙ୍ଗମର ମୁଖ୍ୟ ଉପସ୍ଥାପକ ମହମ୍ମଦ ଆବିଦ୍‌ଙ୍କ ମତରେ, ମଞ୍ଚରେ ଏଥର ସେଲିବ୍ରିଟି କଣ୍ଠଶିଳ୍ପୀଙ୍କର ଅଧିକ ଚାହିଦା ରହିବ। ତାହାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଉଛ। ଏହାବାଦ୍‌ ଲାଇନେରି ସାଉଣ୍ତ, ସମ୍ବଲପୁର ରିଦିମ୍‌, ବଲିଉଡ୍‌ ଭିଏସ୍‌ଟି ସାଉଣ୍ତ ସିଷ୍ଟମ ଇତ୍ୟାଦି ଏଥର ନୂଆକରି ଅଣାଯାଇଛି। ୟୁଟ୍ୟୁବ୍‌ରେ ଅଧିକ ଆଦୃତ ହୋଇଥବା ଗୀତଗୁଡ଼ିକୁ ମଞ୍ଚରେ ପରିବେଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। ଓଡ଼ିଶା ସ˚ଗୀତ କଳାକାର କଲ୍ୟାଣ ସ˚ଘ (ଓମାଵା) ସାଧାରଣ ସମ୍ପାଦକ ତଥା କିଙ୍ଗସ ଆଣ୍ତ କୁଇନ୍ସ ମେଲୋଡି ଗ୍ରୁପ୍‌ର ମାଲିକ ଜିତୁ ମଙ୍ଗରାଜ କହିଛନ୍ତି ଯେ, ସରକାର ଯେମିତି ରଥଯାତ୍ରା, ପ୍ରଦର୍ଶନୀ ମେଳା ଇତ୍ୟାଦିକୁ ସାଧାରଣ ଲୋକଙ୍କୁ ଯିବା ପାଇଁ ଅନୁମତି ଦେଇଥିଲେ, ଠିକ୍‌ ସେମିତି ମେଲୋଡିକୁ ଉପଭୋଗ କରିବା ପାଇଁ ଅନୁମତି ରହୁ। ସରକାର ମେଲୋଡି ଉପରେ କୌଣସି ପ୍ରତିବନ୍ଧକ ନ ଲଗାଇଲେ କଳାକାରମାନେ ନୂଆ ଜୀବନ ପାଇପାରିବେ ବୋଲି ସେ ଅନୁରୋଧ କରିଛନ୍ତି। ଏହାବାଦ୍‌ ଅଢେଇବର୍ଷ ଭିତରର ଓଡ଼ିଆ ସିନେମାରୁ ଗୀତ ବାଛିବା ଅସମ୍ଭବ ଥିବାବେଳେ ୟୁଟ୍ୟୁବ୍‌ରେ ଛଡ଼ାଯାଇଥିବା ଗୀତ ଭିତରୁ ବାଛିବାକୁ ପଡ଼ିବ। ତେବେ ଅଢେଇ ବର୍ଷ ଭିତରେ କାଁ ଭାଁ କଣ୍ଠଶିଳ୍ପୀଙ୍କୁ ଛାଡ଼ିଦେଲେ ଅଣଗାୟକମାନେ ଗାଇଥିବା ଗୀତଗୁଡ଼ିକ ଅଧିକ ଲୋକପ୍ରିୟ ହୋଇଛି। ତେଣୁ ସେଗୁଡିକୁ ବି ବାଛିବାକୁ ପଡିବ। ମୋଟାମୋଟି ଭାବେ କହିବାକୁ ଗଲେ ଏଥର ଗୀତ ଚୟନ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe