Sambad
କଟକ: ବାଦାମବାଡ଼ିସ୍ଥିତ ପୁରୀ ବସ୍ଷ୍ଟାଣ୍ଡ୍ କଟକର ଅନ୍ୟତମ ପ୍ରମୁଖ ବସ୍ଷ୍ଟାଣ୍ଡ୍। ପ୍ରତିଦିନ ଏହି ଷ୍ଟାଣ୍ଡ୍ରୁ ପୁରୀକୁ ୬୦ ଖଣ୍ଡ ବସ୍ ଚଳାଚଳ କରୁଥିବା ବେଳେ ଦୈନିକ ପାଖାପାଖି ୫ ହଜାର ଯାତ୍ରୀ ଏଠାକୁ ଆସିଥାନ୍ତି। ପୁରୀ ରଥଯାତ୍ରାର ଗୁଣ୍ଡିଚା ଓ ବାହୁଡ଼ାରେ ଯାତ୍ରୀଙ୍କ ସଂଖ୍ୟା ୧୫ ହଜାରରୁ ଅଧିକ ହୋଇଥାଏ। ହେଲେ ଷ୍ଟାଣ୍ଡ୍ର ବିପର୍ଯ୍ୟସ୍ତ ଅବସ୍ଥା ପ୍ରତି ରାଜ୍ୟ ପରିବହନ ବିଭାଗ ଆଖି ବୁଜି ଦେଇଛି। ଷ୍ଟାଣ୍ଡରେ ବଡ଼ ଆକାରର ଖାଲ ହୋଇ ପାଣି ଜମି ରହୁଥିବାରୁ ବସ୍ ରହିବା ଓ ଯାତ୍ରୀମାନେ ବସ୍ରେ ଚଢିବାରେ ସବୁବେଳେ ସମସ୍ୟା ରହିଥାଏ। ଷ୍ଟାଣ୍ଡ୍ର ଏପରି ଅବସ୍ଥା ପାଇଁ ଯାତ୍ରୀମାନେ ଷ୍ଟାଣ୍ଡ୍ ଭିତରକୁ ନଯାଇ ଜୀବନକୁ ବାଜି ଲଗାଇ ବାଦାମବାଡ଼ିର ଗହଳିପୂର୍ଣ୍ଣ ରାସ୍ତା ଉପରେ ବସ୍ରେ ଚଢ଼ିବାକୁ ବାଧ୍ୟ ହେଉଛନ୍ତି। ବାଦାମବାଡ଼ିର ପୁରୀ ଷ୍ଟାଣ୍ଡ୍ରୁ ପ୍ରତିଦିନ ୬୦ଟି ପୁରୀକୁ ଦୈନିକ ୨ଥର କରି ଯାଇଥାଏ। ଅନ୍ୟପଟେ ଗୁଣ୍ଡିଚାଯାତ୍ରା, ବାହୁଡ଼ାଯାତ୍ରା, ସୁନାବେଶ ଓ ନୀଳାଦ୍ରିବିଜେ ପରି ଉତ୍ସବରେ ଏହି ଷ୍ଟାଣ୍ଡ୍ରୁ ଶହେରୁ ଅଧିକ ବସ୍ ପୁରୀକୁ ଯାତାୟାତ କରିଥାଏ।
ସାଧାରଣ ଦିନଗୁଡ଼ିକରେ ୫ହଜାର ଯାତ୍ରୀ ଏହି ଷ୍ଟାଣ୍ଡ୍କୁ ଆସୁଥିବା ବେଳେ ରଥଯାତ୍ରା ସମୟରେ ଏହା ୧୫ ହଜାରରୁ ଅଧିକ ହୋଇଥାଏ। ଷ୍ଟାଣ୍ଡ୍ର ରକ୍ଷାଣବେକ୍ଷଣ ଦାୟିତ୍ବ ରାଜ୍ୟ ପରିବହନ ବିଭାଗର। ବିଭାଗ ପକ୍ଷରୁ ପ୍ରତିଦିନ ବସ୍ ପିଛା ୧୫ ଟଙ୍କା ଆଦାୟ କରାଯାଏ। ମାତ୍ର, ବିଭାଗ ପକ୍ଷରୁ ଷ୍ଟାଣ୍ଡ୍ର ମରାମତି କାମ ୩ ବର୍ଷ ଧରି କରାଯାଇ ନାହିଁ। ୨୦୧୯ରେ ବିଭାଗ ପକ୍ଷରୁ ଷ୍ଟାଣ୍ଡ୍ ମଧ୍ୟରେ ଥିବା ଖାଲଖମାରକୁ କେବଳ ପ୍ୟାଚ୍ ପକାଇ ମରାମତି କରାଯାଇଥିଲା। ଦୀର୍ଘଦିନ ଧରି ମରାମତି କରା ନଯିବା କାରଣରୁ ଏବେ ଷ୍ଟାଣ୍ଡ ମଧ୍ୟରେ ୧ଫୁଟରୁ ୨ଫୁଟ ଗଭୀର ଖାଲଖମା ହୋଇ ସେଥିରେ ପାଣି-କାଦୁଅ ଭରିହୋଇ ରହୁଛି। ଏଥିପାଇଁ ବସ୍ ଓ ଯାତ୍ରୀମାନେ ଏହା ମଧ୍ୟକୁ ଆସିବାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଚଳିତଥର ଗୁଣ୍ଡିଚାଯାତ୍ରାରେ ଏଠାକୁ ୧୫ ହଜାରରୁ ଅଧିକ ଯାତ୍ରୀ ଆସିଥିବା ବେଳେ ପାଣି-କାଦୁଅ ଯୋଗୁଁ ସେମାନେ ଷ୍ଟାଣ୍ଡ୍ ମଧ୍ୟକୁ ନଆସି ରାସ୍ତା ଉପରେ ଭିଡ଼ ଜମାଇ ବସ୍ରେ ଚଢ଼ିଥିଲେ। ପୁରୀ ବସ୍ଷ୍ଟାଣ୍ଡ୍ ସହ ଏହା ନିକଟରେ ଥିବା ମାଷ୍ଟର୍କ୍ୟାଣ୍ଟିନ୍ ଓ ଆଠଗଡ଼ ଷ୍ଟାଣ୍ଡ୍ରୁ ପ୍ରତିଦିନ ୬୦ରୁ ଅଧିକ ବସ୍ ଚଳପ୍ରଚଳ କରିଥାଏ। ଉକ୍ତ ୩ଟି ଷ୍ଟାଣ୍ଡ୍ରୁ ବସ୍ ପିଛା ୧୫ଟଙ୍କା କରି ବିଭାଗ ମୋଟ ୧୨୦ଟି ବସ୍ରୁ ୧୮ଶହ କରି ବର୍ଷକୁ ୬ ଲକ୍ଷ ୫୭ ହଜାର ଟଙ୍କା ଆଦାୟ କରିଥାଏ। ଏତେ ଟଙ୍କା ଆୟ କରୁଥିବା ବେଳେ ଷ୍ଟାଣ୍ଡ୍ର ମରାମତି ବିଭାଗ ନକରିବାକୁ ନେଇ ବସ୍ ମାଲିକ ଓ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ବିଶେଷ ଭାବେ ରଥଯାତ୍ର ଓ ବାହୁଡ଼ା ପରି ଉତ୍ସବ ପୂର୍ବରୁ ପୁରୀ ଷ୍ଟାଣ୍ଡ୍ର ମରାମତି କରିବାକୁ ସାଧାରଣରେ ଦାବି ହୋଇଛି।
Follow Us