କଟକ: ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ରାୟ ବାହଦୂର ହଜାରିମୁଲ ଦୋଦ୍ୱାଲା ଧର୍ମଶାଳା ଓ ଏହାର ଜମି ଜାଲିଆତି କରି ବିକ୍ରି କରାଯାଇଥିବା ଅଭିଯୋଗ ନେଇ ଦାୟର ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ ପାଇଁ ହାଇକୋର୍ଟ ମନା କରିଛନ୍ତି। ତଥ୍ୟ ଲୁଚାଇ ତଥା ଜାଲିଆତି କରି ଭୁବନେଶ୍ବର ଗୌତମନଗର ମୌଜାରେ ଥିବା ଏହି ଜମିର ବିକ୍ରି କବଲା ବେଆଇନ ଭାବେ କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଏହି ସଂପତ୍ତି ଏକ ଟ୍ରଷ୍ଟର ହୋଇଥିବା ବେଳେ ଏହା ପବ୍ଲିକ ଟ୍ରଷ୍ଟ ବୋଲି କେଉଁଠି ବି ଉଲ୍ଲେଖ ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏହି ପ୍ରସଂଗରେ ଆବେଦନକାରୀ ଚାହିଁଲେ ଆଇନରେ ଥିବା ବ୍ୟବସ୍ଥାର ଆଶ୍ରୟ ନେଇ ପାରିବେ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନ୍ନାଥ ବସ୍ତିଆଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଏହି ଧର୍ମଶାଳା ଓ ଏହାର ଜମି ଧାର୍ମିକ, ଦାତବ୍ୟ ଉଦ୍ଦେଶ୍ୟର ପାଇଁ ଉତ୍ସର୍ଗିକୃତ ଥିଲା। ବିଶେଷ କରି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଭୁବନେଶ୍ବର ଆସୁଥିବା ତୀର୍ଥଯାତ୍ରୀ, ପର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କ ପାଇଁ ଏହି ଧର୍ମଶାଳା ଥିଲା। ଏହି ଧର୍ମଶାଳା ଏକ ଟ୍ରଷ୍ଟ ବୋର୍ଡ ଦ୍ବାରା ପରିଚାଳିତ। ୨୦୨୦ରେ ଜାଲିଆତି କରି ଏହି ଧର୍ମଶାଳା ଓ ଏହାର ଜମିକୁ ଟ୍ରଷ୍ଟିମାନେ ବିକ୍ରି କରିଥିଲେ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଏ ସଂପର୍କିତ ବିକ୍ରି କବଲାକୁ ବେଆଇନ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ମାମଲାରେ ରାଜ୍ୟ ସରକାର, ଖୋର୍ଦ୍ଧା ଜିଲ୍ଲାପାଳ, ଦେବୋତ୍ତର କମିସନର ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।
Follow Us