ସିଏମ୍‌ସି କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ, ଅଳିଆ ବଦଳରେ ଘରୋଇ ମାଟି ଉଠାଉଛି ରାମ୍‌କୀ ଗାଡ଼ି

ସିଏମ୍‌ସି କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ, ଅଳିଆ ବଦଳରେ ଘରୋଇ ମାଟି ଉଠାଉଛି ରାମ୍‌କୀ ଗାଡ଼ି

Sambad

କଟକ: ୱାର୍ଡରେ ଅଳିଆ ପଡ଼ିରହିଛି। ଅଳିଆ ବଦଳରେ ଉଠୁଛି ଘରୋଇ ମାଟି। ମାଟି ଉଠାଇବାକୁ ଟଙ୍କା ଓ ଯେଉଁଠାରେ ମାଟି ପଡ଼ୁଛି ସେଠାରୁ ବି ଆଦାୟ ହେଉଛି ଟଙ୍କା। ଏହିଭଳି ଦୁଇଟି ଲାଭ ମିଳୁଥିବାରୁ ଅଳିଆକୁ ଛାଡ଼ି ମାଟି ଉଠାଇବାକୁ ଅଗ୍ରାଧିକାର ଦେଉଛନ୍ତି ସିଏମ୍‌ସି ଓ ରାମ୍‌କୀ କର୍ମଚାରୀ। ୱାର୍ଡ ଦାୟିତ୍ବରେ ଥିବା ସିଏମ୍‌ସି ଅଧିକାରୀଙ୍କ ଜ୍ଞାତସାରରେ ଏହି କାର୍ଯ୍ୟ ଚାଲିଛି। ଏଭଳି ଘଟଣା ୱାର୍ଡ ନଂ-୧୬ ଅନ୍ତର୍ଗତ ତୁଳସୀପୁର ମଧୁସୂଦନ ନଗରରେ ଜଣାପଡ଼ିବା ପରେ ସଂପୃକ୍ତ ୱାର୍ଡର ପୂର୍ବତନ କ‌ର୍ପୋରେଟର ଏହାର ଏହାର ଦୃଢ଼ ବିରୋଧ କରିବା ସହ ମାଟି ଉଠାଉଥିବା ଗାଡ଼ିକୁ ଅଟକ ରଖି ସିଏମ୍‌ସି କସିସନରଙ୍କୁ ଅବଗତ କରିଥିଲେ। କାଉନ୍‌ସିଲ୍ ଭାଙ୍ଗିବାଠାରୁ ପାଖାପାଖି ଦୁଇବ‌ର୍ଷ ହେଲା କୌଣସି ୱାର୍ଡରେ ଠିକ୍‌ରେ କାର୍ଯ୍ୟ ହେଉ ନଥିବା ଅଭିଯୋଗ ହୋଇଛି। କାଉନ୍‌ସିଲ୍‌ ନଥିବାରୁ ସହରରେ ସିଏମ୍‌ସି ଠିକ୍‌ରେ କାର୍ଯ୍ୟ କରୁ ନାହିଁ। ରାସ୍ତାଘାଟ, ନାଳନର୍ଦ୍ଦମା ସଫା, ଅଳିଆ ଉଠାରୁ ଆରମ୍ଭ କରି ମଶାତେଲ ପକାଇବା ପର୍ଯ୍ୟନ୍ତ; ସବୁ କ୍ଷେତ୍ରରେ ସିଏମ୍‌ସି ସହରବାସୀଙ୍କୁ ଅବହେଳା କରିଚାଲିଛି।

ସହରର ୫୯ଟି ୱାର୍ଡରୁ ୪୦ଟି ୱାର୍ଡର ସଫେଇ ଦାୟିତ୍ବ ରାମ୍‌କୀ ଦିଆଯାଇଥିବା ବ‌େଳେ ଅବଶି‌ଷ୍ଟ ୧୯ଟି ୱାର୍ଡର ଦାୟିତ୍ବ ସିଏମ୍‌ସି ବୁଝୁଛି। ୧୬ ନମ୍ବର ୱାର୍ଡର ସଫେଇ ଦାୟିତ୍ବ ରାମ୍‌କୀ ବୁଝୁଥିବା ବେଳେ ୱାର୍ଡରୁ ଦିନକୁ ଦୁଇ ଟ୍ରିପ୍‌ ଅଳିଆ ଉଠାଇବାକୁ ସିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ରହିଛି। ୧୬ନଂ ୱାର୍ଡର ବିଭିନ୍ନ ସ୍ଥାନରେ ଅଳିଆ ଗଦା ହୋଇଥିବା ବେଳେ ରାମ୍‌କୀ କର୍ତ୍ତୃପକ୍ଷ ଦିନକୁ ଗୋଟିଏ ଟ୍ରିପ୍‌ ଅଳିଆ ଉଠାଉଥିବା ବେଳେ ଏକାଧିକ ଥର ଘରୋଇ ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ମାଟିବାଲିକୁ ଉଠାଇଛନ୍ତି। ଏହା ବଦଳରେ ମାଟି ଉଠାଉଥିବା ଘର ମାଲିକଙ୍କଠାରୁ ଟ୍ରିପ୍‌ ପିଛା ୫ଶହ ଟଙ୍କା ନେଉଥିବା ଜଣାପଡ଼ିଛି। ପୁଣି ଏହି ମାଟି ପକାଇବାକୁ ମଧ୍ୟ ଟଙ୍କା ନେଉଛନ୍ତି। ତୁଳସୀପୁର ମଧୁସୂଦନ ନଗର ମୁଖ୍ୟରାସ୍ତାରେ ଏକ ନିର୍ମାଣାଧୀନ ଘର ସମ୍ମୁଖରେ ଏହିଭଳି ମାଟି ଉଠୁଥିବା ବେଳେ ସ୍ଥାନୀୟ ପୂର୍ବତନ କର୍ପୋରେଟର ରମଜାନ୍‌ ଖାନ୍‌ ଏହାକୁ ବିରୋଧ କରିବା ସହିତ ଗାଡିକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପରେ ଏସଂକ୍ରାନ୍ତରେ ସିଏମ୍‌ସି କମିସନରଙ୍କୁ ଅବଗତ କରିବା ପରେ ଗାଡ଼ି ଛାଡିଥିଲେ। ଏ ସଂକ୍ରାନ୍ତରେ ପୂର୍ବତନ କର୍ପୋରେଟର ଶ୍ରୀ ଖାନ କହିଛନ୍ତି, ୱାର୍ଡର ବିଭିନ୍ନ ସ୍ଥାନରେ ଅଳିଆ ଗଦା ହୋଇଥିବା ବେଳେ ରାମ୍‌କୀ କର୍ତ୍ତୃପକ୍ଷ ଅଳିଆ ବଦଳରେ ଘରୋଇ ମାଟିକୁ ଉଠାଇ, ଉଭୟ ଉଠାଇବା ସ୍ଥାନରୁ ଓ ପକାଇବା ସ୍ଥାନରୁ ଟଙ୍କା ଆଦାୟ କରୁଛନ୍ତି। ଏହା ୱାର୍ଡ ଦାୟିତ୍ବରେ ଥିବା ସିଏମ୍‌ସି କର୍ମଚାରୀଙ୍କ ଜାଣତରେ କରାଯାଉଛି ‌ବୋଲି ଶ୍ରୀ ଖାନ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe