କଟକ/ଜଗତପୁର: ନାବାଳିକାର ଅନିଚ୍ଛା ସତ୍ୱେ ତା ସହିତ ଶାରୀରିକ ସମ୍ପର୍କ ରଖିବା ଏବଂ ଏହାର ପ୍ରତିବାଦ କରିବାରୁ, ବିଭିନ୍ନ ପ୍ରକାରର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଜଗତପୁର ଥାନା ପୁଲିସ ବିଭିନ୍ନ ଦଫା ସହିତ ପୋକ୍ସ ଦଫା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛିl ଅଭିଯୁକ୍ତ ଯୁବକ ଜଗତପୁର ଥାନା ନିମପୁର ବିଜୁବାବୁ କଲୋନୀର ବିକାଶ ନାଏକ। ପ୍ରାପ୍ତ ସୂଚନା ମୁତାବକ ଅଭିଯୁକ୍ତ ବିକାଶ ସେହି ସ୍ଥାନରେ ଜାନୁଆରୀ ୩୧ ତାରିଖରେ ତିଗିରିଆ ଅଞ୍ଚଳର ଜଣେ ନାବାଳିକା ସହିତ ବେଆଇନ ବିବାହ କରୁଥିବା ଖବର ପାଇ ଚାଇଲଡ ହେଲ୍ପ ଲାଇନ ପକ୍ଷରୁ ତାକୁ ଉଦ୍ଧାର କରାଯାଇ ପୁଲିସ ସହଯୋଗରେ ବସୁନ୍ଧରାରେ ଆଶ୍ରୟ ଦେଇଥିଲେl କିଛି ଦିନ ପରେ ଅର୍ଥାତ ଫେବ୍ରୁଆରି ୮ ତାରିଖରେ ନାବାଳିକାର ଅଭିଭାବକ ନୋଟାରୀଙ୍କ ନିକଟରେ ସତ୍ୟପାଠ ଜରିଆରେ ତାକୁ ନିଜ ଘରକୁ ନେଇଥିଲେl ତା ପରଦିନ ହଳଦିଆ ସ୍ଥିତ ମାମୁଁ ଘରକୁ ଯିବା ବାଟରେ ଅଭିଯୁକ୍ତ ବିକାଶ ତା ପରିବାର ସଦସ୍ୟ ମାନଙ୍କ ସହିତ ମିଶି ନାବାଳିକାକୁ ଅପହରଣ କରି ଘଟଗାଁ ତାରେଣୀ ପୀଠକୁ ନେଇଯାଇଥିଲେl
ସେଠାରେ ବିବାହ କରାଇ ନିମପୁର ବିଜୁବାବୁ କଲୋନୀରେ ଥିବା ବାସଗୃହକୁ ଆଣିଥିଲେl ସେଠାରେ ବିକାଶ ନାବାଳିକାର ଇଛା ବିରୁଦ୍ଧରେ ଶାରୀରିକ ସମ୍ପର୍କ ରଖିବାରୁ ନାବାଳିକା ପ୍ରତିବାଦ କରିଥିଲାl ଏଥିରେ ଅଭିଯୁକ୍ତ ବିକାଶ ଉତ୍ତ୍ୟକ୍ତ ହୋଇ ତାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲା। ନିର୍ଯାତନା ସହି ନପାରି ସେହି ରାତିରେ ନାବାଳିକା ଖସି ଆସି କଟକ ବଡମେଡିକାଲ ପାଖ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲା। ପରଦିନ କଟକ ବିଡାନାସୀ ସ୍ଥିତ ଚାଇଲଡ ହେଲ୍ପ ଲାଇନ ଅଫିସରେ ଆତ୍ମ ସୁରକ୍ଷା ପାଇଁ ଆପତ୍ତି କରିଥିଲା। ନାବାଳିକାର ଆପତ୍ତି କ୍ରମେ ଚାଇଲଡ ହେଲ୍ପ ଲାଇନର ସଂଯୋଜକ ସରୋଜ ପଟନାୟକ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଜଗତପୁର ଥାନା ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।
Follow Us