ଜାଗା ନାହିଁ ବୋଲି ବିନିଯୋଗ ହେଲାନି କ୍ବାଟର୍ସ ପାଇଁ ଆସିଥିବା ୪ କୋଟି

Advertisment

ଏପଟେ ପରିବା ମାର୍କେଟ୍‌ ପାଇଁ ୪ ଏକର ଜମି ଦେଇ ଦେଲେ ରେଭେନ୍ସା କର୍ତ୍ତୃପକ୍ଷ

ଏପଟେ ପରିବା ମାର୍କେଟ୍‌ ପାଇଁ ୪ ଏକର ଜମି ଦେଇ ଦେଲେ ରେଭେନ୍ସା କର୍ତ୍ତୃପକ୍ଷ

ଜାଗା ନାହିଁ ବୋଲି ବିନିଯୋଗ ହେଲାନି କ୍ବାଟର୍ସ ପାଇଁ ଆସିଥିବା ୪ କୋଟି

Sambad

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ସ୍ଥାନ ଅଭାବରୁ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ନିର୍ମାଣ‌ ହୋଇ ପାରିଲା ନାହିଁ କ୍ବାଟର୍ସ। କ୍ବାଟର୍ସ ନିର୍ମାଣ ପାଇଁ ବିଶ୍ବବିଦ୍ୟାଳୟକୁ ୪କୋଟି ଟଙ୍କା ଆସିଥିଲା। ମାତ୍ର ରେଭେନ୍ସା ପରିସରରେ ଜାଗା ଅଭାବର ଆଳ ଦେଖାଇ ଉକ୍ତ ନିର୍ମାଣ କାମକୁ ବନ୍ଦ କରାଯାଇଥିଲା। କ୍ବାଟର୍ସ ନିର୍ମାଣ ପାଇଁ ଆସିଥିବା ଟଙ୍କାକୁ ରେଭେନ୍ସାର ଅନ୍ୟ କାମରେ ବ୍ୟବହାର କରାଗଲା। ସେପଟେ ବିଶ୍ବବିଦ୍ୟାଳୟର ୪ ଏକର ଜମିରେ ପରିବା ହାଟ କରିବାକୁ ପ୍ରଶାସନ ଏହାକୁ ଦଖଲକୁ ନେଇ କାମ ଆରମ୍ଭ କଲେଣି। କର୍ମଚାରୀଙ୍କ କ୍ବାଟର୍ସ ପାଇଁ ଆବଶ୍ୟକ ଥିବା ଜାଗା ବିଷୟରେ ରେଭେନ୍ସା କର୍ତ୍ତୃପକ୍ଷ କିମ୍ବା ସରକାର ଚିନ୍ତା କରୁ ନଥିବାର ଅଭିଯୋଗ ହୋଇଛି। ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ କାମ କରୁଥିବା ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ରେଭେନ୍ସା ପରିସରରେ ଘର ନିର୍ମାଣ କରିବାକୁ ବହୁ ଦାବି ପରେ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିଲା। ଏଥିପାଇଁ ୨୦୧୮-୧୯ରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଶ୍ବବିଦ୍ୟାଳୟକୁ ୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଉକ୍ତ ଟଙ୍କାରେ ଜି-ପ୍ଲସ୍‌ ଫୋର୍‌ର ଏକ କୋଠା ନିର୍ମାଣ ପାଇଁ କୁହାଯାଇଥିଲା। ମାତ୍ର ରେଭେନ୍ସା ପରିସରରେ ଉକ୍ତ ବିଲଡିଂର ନିର୍ମାଣ ପାଇଁ ସ୍ଥାନ ନଥିବା କୁହାଯାଇଥିଲା। କର୍ମଚାରୀଙ୍କ ପକ୍ଷରୁ ଏହାର ନିର୍ମାଣକୁ ନେଇ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଥିଲା। କର୍ମଚାରୀଙ୍କ ଦାବିକୁ ନେଇ ରେଭେନ୍ସା ପରିସରରେ ଥିବା ପୁରୁଣା ତଥା ବ୍ୟବହାର କରାଯାଉ ନଥିବା କୋଠା ଗୁଡିକ ଭାଙ୍ଗି ସେହି ସ୍ଥାନରେ ଏହାକୁ ନିର୍ମାଣ କରିବାକୁ କୁହାଗଲା। ମାତ୍ର କର୍ତ୍ତୃପକ୍ଷଙ୍କ ଉଦାସିନତା ଯୋଗୁଁ ଏହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ।

ଶେଷରେ କର୍ମଚାରୀଙ୍କ କ୍ବାଟର୍ସ ନିର୍ମାଣ ପାଇଁ ଆସିଥିବା ଟଙ୍କାକୁ ବିଶ୍ବବିଦ୍ୟାଳୟର ଅନ୍ୟ କାମରେ ବ୍ୟବହାର କରାଗଲା। ମାଲଗୋଦାମ ଅଞ୍ଚଳରେ ରେଭେନ୍ସାର ନିଜସ୍ବ ୪ ଏକର ଜମି ଥିବା ବେଳେ ଏହାକୁ ନେଇ ସେ‌ତେବେଳେ କେହି ଚିନ୍ତା କଲେ ନାହିଁ। ଜାଗା ଅଭାବର କାରଣଦର୍ଶାଇ କର୍ତ୍ତୃପକ୍ଷ କର୍ମଚାରୀଙ୍କ କ୍ବାଟର୍ସ ନିର୍ମାଣ କରିପାରୁ ନଥିବା ବେଳେ ୪ ଏକରର ଜମିକୁ କିନ୍ତୁ ସରକାରଙ୍କୁ ପରିବା ମାର୍କେଟ କରିବାକୁ ପ୍ରଦାନ କରି ଦେଲେ। ରେଭେନ୍ସାର ନିଜସ୍ବ ଜମିକୁ ପ୍ରଶାସନ ‌ବିଶ୍ବବିଦ୍ୟାଳୟକୁ ଫେରାଇବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି। ଉକ୍ତ ଜମିରେ ରେଭେନ୍ସା କର୍ମଚାରୀଙ୍କ ପାଇଁ କ୍ବାଟର୍ସ ନିର୍ମାଣ କରିବାକୁ ଦାବି ଉଠୁଛି। ୪ର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ବାଟର୍ସ ନିର୍ମାଣ ପାଇଁ ୨୦୧୮-୧୯ରେ ୪ କୋଟି ଟଙ୍କା ଆସିଥିବାର ସୂଚନା କିନ୍ତୁ ତାଙ୍କ ପାଖରେ ନାହିଁ। ଏହା ଉପରେ କାର୍ଯ୍ୟାଳୟରୁ ସୂଚନା ନେଲେ ଜଣା ପଡିବ ବୋଲି ବିଶ୍ବବିଦ୍ୟାଳୟ ଉନ୍ନୟନ ଅଧିକାରୀ ଡକ୍ଟର କିଶୋର କୁମାର ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe