ସହରରେ ପ୍ରଥମ, ଭୂମିକମ୍ପ ନିରୋଧ ‘ରିମୁଭେବୁଲ୍‌ କୋଠା’

Advertisment

ବାଲି, ସିମେଣ୍ଟ ବିନା ତିଆରି ହେଉଛି ଘର

ବାଲି, ସିମେଣ୍ଟ ବିନା ତିଆରି ହେଉଛି ଘର

ସହରରେ ପ୍ରଥମ, ଭୂମିକମ୍ପ ନିରୋଧ ‘ରିମୁଭେବୁଲ୍‌ କୋଠା’

Sambad

କଟକ: କଟକ ସହରରେ ପ୍ରଥମ କରି ତିଆରି ହେଉଛି ରିମୁଭେବୁଲ୍‌ ଅଟ୍ଟଳିକା(କୋଠା)। ବାଲି, ଗୋଡ଼ି, ଇଟା ଓ ସିମେଣ୍ଟ ବିନା ତିଆରି ହେଉଛି ଘର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ରାଜବାଗିଚା କାଠଯୋଡ଼ି ରିଂ-ରୋଡ୍‌ରେ ତିଆରି ହେଉଛି ରିମୁଭେବୁଲ୍‌ ଅଟ୍ଟାଳିକା। ଏଥିରେ ମୁଖ୍ୟତଃ ଲୁହା ରଡ୍‌ ଓ ଷ୍ଟିଲ୍‌ ବ୍ୟବହାର କରାଯାଇଛି, ଯାହା ଏହି ଅଟ୍ଟାଳିକାକୁ ମଜଭୁତ କରି ଧରି ରଖୁଛି। ଭୂମିକମ୍ପର ୮ ରିକ୍ଟର୍‌ ସ୍କେଲ୍‌ ଯାଏ ମଧ୍ୟ ଏହି ଅଟ୍ଟାଳିକାର କୌଣସି କ୍ଷୟକ୍ଷତି ହେବ ନାହିଁ ବୋଲି ନିର୍ମାଣକାରୀ ଦାବି କରୁଛନ୍ତି। ଏପରି ଅଟ୍ଟାଳିକା ଖାସ୍‌ କରି ପାହାଡିଆ ଅଞ୍ଚଳ ଓ ଜାପାନରେ ଅଧିକ ନିର୍ମାଣ ହୋଇଥାଏ, ଯାହା ଏବେ କଟକରେ ଦେଖିବାକୁ ମିଳିବ। ଆବଶ୍ୟକ ପଡିଲେ ଅଟ୍ଟାଳିକାଟିକୁ ଖୋଲି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇ ପୁଣି ଯୋଡ଼ି ଗଢ଼ାଯାଇପାରିବ। ସାଧାରଣ କୋଠା ତୁଳନାରେ ଏହି ରିମୁଭେବୁଲ୍‌ ଅଟ୍ଟାଳିକା ତିଆରି କରିବାରେ ୨୦ ପ୍ରତିଶତ ଅଧିକ ଖର୍ଚ୍ଚ ହେଉଛି।

publive-image Sambad

କଟକ ସହରରେ ପ୍ରଥମ କରି ୪୫ଦିନ ହେଲା ଏହି ରିମୁଭେବୁଲ୍‌ ଅଟ୍ଟାଳିକା ନିର୍ମାଣ ଆରମ୍ଭ ହୋଇଛି। ଓଡ଼ିଶା ସମେତ ବିଶାଖାପାଟଣା, କଲିକତା, ବିହାର ଓ ଆନ୍ଧ୍ରପ୍ରଦେଶର ୨୫ଜଣ ଶ୍ରମିକ ଅଟ୍ଟାଳିକା ନିର୍ମାଣରେ ନିୟୋଜିତ ରହିଛନ୍ତି। ଆଗାମୀ ୩ ମାସ ମଧ୍ୟରେ ଏହି ଅଟ୍ଟାଳିକା କାମ ଶେଷ କରିବାକୁ ଲକ୍ଷ୍ୟ କରାଯାଇଛି। ତିନିମହଲା ବିଶିଷ୍ଟ ଏହି ଅଟ୍ଟାଳିକା​ରେ ମଣ୍ଡପ, ହୋଟେଲ, ରେଷ୍ଟୁରାଣ୍ଟ, ହୁକାବାର, ଫୁଡ୍‌କୋର୍ଟର ମଜା ନେବେ ସହରବାସୀ। ସାଧାରଣ କୋଠାଠାରୁ ଅଧିକ ଖର୍ଚ୍ଚ ହେଲେ ବି ଏହା ଖୁବ୍‌ କମ୍‌ ସମୟରେ ତିଆରି ହୋଇପାରୁଛି। ୫୦ ବର୍ଷରୁ ଅଧିକ ଗ୍ୟାରେଣ୍ଟି ରହୁଥିବା ଏହି କୋଠାରେ ବ୍ୟବହୃତ ସମସ୍ତ ସାମଗ୍ରୀର ‘ରିସେଲ୍‌ ଭ୍ୟାଲୁ’(ପୁନଃବିକ୍ରି ମୂଲ୍ୟ) ବହୁତ ଭଲ। ଏହାର ମରାମତି ମଧ୍ୟ ସ୍ୱଳ୍ପ ଖର୍ଚ୍ଚରେ କରାଯାଇ ପାରିବ। ବର୍ଷା, ପବନ ଓ ଭୂମିକମ୍ପର ଏହା ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଯନ୍ତ୍ରୀ।

ସାଧାରଣ କୋଠା ଅପେକ୍ଷା ଏହା କମ୍‌ ସମୟରେ ନିର୍ମାଣ ହୋଇ ପାରୁଛି। ଦରକାର ହେଲେ ଏହାକୁ ଅନ୍ୟ କୌଣସି ସ୍ଥାନକୁ ନିଆଯାଇ ପୁଣି ତିଆରି କରିହେବ। ବର୍ଷା, ପବନ ଓ ଭୂମିକମ୍ପର ଭୟ ନାହିଁ। କଟକ ସହରରେ ଏହା ଏକ ନୂଆ ପରିଚୟ ଦେବ ବୋଲି କହିଛନ୍ତି କୋଠା ମାଲିକ ସୁବାସ ଚନ୍ଦ୍ର ବେହେରା।
ପଚାଶ ବର୍ଷରୁ ଅଧିକ ଗ୍ୟାରେଣ୍ଟି ରହିଛି। କଟକ ସହରରେ ଏହା ପ୍ରଥମ। କମ୍‌ ସମୟରେ ତିଆରି ଓ ମରାମତି ବି କରାଯାଇପାରିବ। ଅନ୍ୟ ସ୍ଥାନରେ ଏଭଳି କୋଠା ତିଆରି କରିଛୁ, ହେଲେ କଟକ ସହରରେ ପ୍ରଥମ ଥର ପାଇଁ କରୁଛୁ। ସହରବାସୀ ଏହାକୁ ପସନ୍ଦ କରିବେ ବୋଲି ଆଶା ରହିଛି ବୋଲି କହିଛନ୍ତି ଯନ୍ତ୍ରୀ ଇଂ. ଅଭିନନ୍ଦନ ନାୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe