ଚକ ବନ୍ଦ୍‌ ତ ଚୁଲି ବନ୍ଦ୍‌; ୩ ହଜାରରୁ ଅଧିକ ରିକ୍ସା, ଟ୍ରଲି ଚାଳକଙ୍କ ଜୀବିକା ବିପନ୍ନ

Advertisment
ଚକ ବନ୍ଦ୍‌ ତ ଚୁଲି ବନ୍ଦ୍‌; ୩ ହଜାରରୁ ଅଧିକ ରିକ୍ସା, ଟ୍ରଲି ଚାଳକଙ୍କ ଜୀବିକା ବିପନ୍ନ

photo-indiamike

କଟକ: କରୋନା ମହାମାରୀ ଧନି, ଗରିବ ସମସ୍ତଙ୍କୁ ପ୍ରଭାବିତ କରିଛି। ସମସ୍ତଙ୍କ ଜୀବନ ଜୀବିକା ଏହାଦ୍ବାରା ବିପନ୍ନ ହୋଇଛି। ୨୦୨୦ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଭଳି ଏଥର ମଧ୍ୟ ସବୁ ବର୍ଗ ଓ ବୃତ୍ତି ଉପରେ କରୋନାର ଯଥେଷ୍ଟ ପ୍ରଭାବ ପଡିଛି। ତେବେ ବାଉନ ବଜାର ତେପନ ଗଳିର ସହର କଟକରେ କିନ୍ତୁ ଏଥର କରୋନା ମାଡ଼ରେ ୩ ହଜାରରୁ ଅଧିକ ରିକ୍ସା ଓ ଟ୍ରଲି ଚାଳକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ମାଲଗୋଦାମ ଓ ପିଠାପୁରରେ ମାଲ ବୁହା ପାଇଁ ନିୟୋଜିତ ଟ୍ରଲି ଚାଳକ ଘରେ ହାତ ବାନ୍ଧି ବସିଛନ୍ତି। ଚକ ଗଡୁନଥିବାରୁ ଏମାନଙ୍କ ଚୁଲି ବି ଜଳୁନି। ଏପରିକି ଅସ୍ଥାୟୀ ଭାବେ ବସ୍ତିରେ ରହୁଥିବା ଟ୍ରଲି ଓ ରିକ୍ସା ଚାଳକମାନେ ଏବେ ଗାଁ ମୁହାଁ ହୋଇଛନ୍ତି। କଟକ ସହରରେ ମାଲଗୋଦାମ, ପିଠାପୁର, ହରିପୁର, ଚୌଧୁରୀବଜାର ଅଞ୍ଚଳ‌ରେ ରହିଥିବା ଗୋଦାମଗୁଡ଼ିକରୁ ବ୍ୟବସାୟୀଙ୍କ ପାଖରେ ମାଲ ପହଞ୍ଚାଇବା ପାଇଁ ଟ୍ରଲିର ବ୍ୟବହାର କରାଯାଇଥାଏ। ପାଖାପାଖି ଦୁଇ ହଜାରରୁ ଅଧିକ ଟ୍ରଲି ଚାଳକ ଏହା ଉପ‌ରେ ନିର୍ଭର କରନ୍ତି। ମାତ୍ର କରୋନା ସେମାନଙ୍କ ଜୀବିକା ଛଡ଼ାଇ ନେଇଛି। ମାଲଗୋଦାମରେ କାମ କରୁଥିବା ୧୦୦୦ରୁ ଅଧିକ ଟ୍ରଲି ଚାଳକ ଏବେ ହାତ ବାନ୍ଧି ବସିଛନ୍ତି। ସ୍ପଳ୍ପ ସମୟ ଗୋଦାମ ଖୋଲିବା ଓ ବ୍ୟବସାୟୀ ଆସୁ ନ ଥିବାରୁ ମାଲ ପରିବହନ କରୁଥିବା ଟ୍ରଲିଚାଳକଙ୍କ ରୋଜଗାର କମିଛି।

‌ଦିନକୁ ୩୦୦/୪୦୦ ଟଙ୍କା ‌ରୋଜଗାର କରୁଥିବା ଟ୍ରଲି ଚାଳକ ‌ଏବେ ୨୦ଟଙ୍କା ବି ପାଉ ନାହାନ୍ତି। ପିଠାପୁରରେ ମଧ୍ୟ ସମାନ ସ୍ଥିତି। ଏଠାରେ ରହିଥିବା ଗୋଦାମ ସବୁ ବନ୍ଦ ରହୁଥିବାରୁ ଟ୍ରଲିଚାଳକ କାମ ପାଉ ନାହାନ୍ତି। ସେହିଭଳି କଟକ ସହରରେ ପାଖାପାଖି ୧ ହଜାରରୁ ଅଧିକ ରିକ୍ସା ଚାଳକ ମଧ୍ୟ ଲକ୍‌ଡାଉନ୍‌ ‌ଯୋଗୁଁ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ‌ଏବେ ସହର ଛାଡ଼ି ଗାଁକୁ ପଳାଇଥିବା ଜଣାପଡ଼ିଛି। ବାଦାମବାଡ଼ି, ଲିଙ୍କ‌ରୋଡ୍‌, ବକ୍ସିବଜାର ଅଞ୍ଚଳ‌ରେ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବା ରିକ୍ସା ଚାଳକ ଏବେ ଘରେ ବସି ଅନ୍ୟର ସହାୟତାକୁ ଚାହିଁ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe