Sambad
କଟକ: କଟକ ସହରର ଚିତ୍ର ବଦଳୁଛି। ନେତାଜୀ ବସ୍ ଟର୍ମିନାଲ, ତ୍ରିଶୂଳିଆ ନେତାଜୀ ସୁଭାଷ ପୋଲ ଓ ଚହଟା-ନୂଆପାଟଣା ମଧୁସୂଦନ ସେତୁ ପରେ ଏବେ କାଠଯୋଡି ରିଂବନ୍ଧ ଚଳଚଞ୍ଚଳ ହୋଇପଡିଛି। ଭୁବନେଶ୍ବରରୁ ତ୍ରିଶୂଳିଆ ପୋଲ ଦେଇ ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର ଗାଡି ଗୁଡିକ କାଠଯୋଡି ରିଂ ବନ୍ଧ ଦେଇ ଯା’ ଆସ କରୁଛି। ଫଳରେ ଏବେ ରିଂବନ୍ଧରେ ଟ୍ରାଫିକ୍ ସମସ୍ୟା ଜଟିଳ ହେବାରେ ଲାଗିଛି। ସେପଟେ ମହାନଦୀରେ ମଧୁସୂଦନ ସେତୁ ହେବା ପରେ ପଶ୍ଚିମ ଓଡ଼ିଶାକୁ ଯାଉଥିବା ଅଧିକାଂଶ ନାଇଟ୍ କୋଚ (ରାତି ବସ୍) ସେମାନଙ୍କ ରୁଟ୍ ବଦଳାଇ ଦେଇଛନ୍ତି। ଭୁବନେଶ୍ବର ଓ କଟକରୁ ରାଉରକେଲା, ସମ୍ବଲପୁର, ଅନୁଗୁଳ, ବରଗଡ ଯାଉଥିବା ବସ୍ ଗୁଡିକ କାଠଯୋଡି ରିଂ ବନ୍ଧ, ବେଲଭିଉ, ବିଜୁ ପଟ୍ଟନାୟକ ପାର୍କ ଗଡା ଓ ମଧୁ ସେତୁ ଅତିକ୍ରମ କରି ଖୁଣ୍ଟୁଣୀ ଦେଇ ଯାଉଛି। କିଛି ବସ୍ ନରାଜ ମୁଣ୍ଡଳି ଦେଇ ମଧ୍ୟ ଯାଉଛି। କଟକ, ଜଗତପୁର ମଙ୍ଗୁଳି ଦେଇ ଆଉ ନାଇଟ କୋଚ ଗୁଡିକ ଯାଉନାହିଁ। ଏମାନଙ୍କ ଦେଖାଦେଖି ଏବେ ଦିନରେ ଯାଉଥିବା ବସ୍ ଗୁଡିକ ମଧ୍ୟ ଏହି ରୁଟ୍କୁ ବାଛି ନେଇଛନ୍ତି। ସେପଟେ ନରସିଂହପୁର, ଆଠଗଡ଼ ଯାଉଥିବା ବସ ଗୁଡିକ ମଧ୍ୟ କାଠଯୋଡି ରିଂ ବନ୍ଧ, ନରାଜ ମୁଣ୍ଡଳି ହୋଇ ଯାଉଛନ୍ତି।
ପ୍ରତିଦିନ ରିଂ ବନ୍ଧରେ ଶହ ଶହ ବସ୍ ଯାଉଛି। ରିଂବନ୍ଧରେ ଟ୍ରାଫିକ ସମସ୍ୟା ଜଟିଳ ହେବାରେ ଲାଗିଛି। ରିଂ ବନ୍ଧରେ ବସ୍ ଯିବାକୁ ପରିବହନ ନିଗମ କର୍ତୃପକ୍ଷଙ୍କ ଅନୁମତି ନଥିବା ବେଳେ ମନଇଚ୍ଛା ବସ୍ ତା’ର ରୁଟ୍ ବଦଳାଉଛି। ସେପଟେ ରିଂବନ୍ଧ ଦୋହାରିକରଣ କାମ କିନ୍ତୁ ଶେଷ ହୋଇ ହୋଇନାହିଁ। ବେଲଭିଉ ଛକରୁ ନରାଜ ପର୍ଯ୍ୟନ୍ତ ରିଂ ବନ୍ଧ ଦୋହରିକରଣ କାମ ଶେଷ ହୋଇନାହିଁ। ସିଡିଏ ୬ନଂରୁ ୧୨ ନମ୍ବର ମଧ୍ୟରେ ଅଧାରୁ ଅଧିକ କାମ ଅଟକି ରହିଛି। ଫଳରେ ଦୁଇ ଲେନ୍ ଥିବା ବନ୍ଧରେ ବସ୍ ଗଲା ବେଳେ ଟ୍ରାଫିକ ସମସ୍ୟା ଉପୁଜିଛି। ରିଂ ବନ୍ଧରେ ବନ୍ଧ ନିର୍ମାଣ କରୁଥିବା ଠିକାଦାର କାମକୁ ଅଧାରେ ଛାଡି ଚାଲିଯାଇଛି। ଏପରିକି ରାସ୍ତାରେ ପାହାଡ ଉଚ୍ଚର ମାଟି ଗଦା କରି ରଖଛନ୍ତି। ଏଠାରେ କୌଣସି ରେଡିୟମ କିମ୍ବା ଡାଇଭରସନ ଚିହ୍ନ ଦିଆଯାଇନାହିଁ। ଫଳରେ ବନ୍ଧରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ରିଂ ବନ୍ଧ ଏବେ ବୁଲା ଗାଈ-ଗୋରୁଙ୍କ ଚରାଭୂଇଁ ପାଲଁ ପାଲଟିଛି। ଏ ସଂପର୍କରେ ରାଜ୍ୟ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ ମଙ୍ଗୁଳି-ଅନୁଗୁଳ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ। ରାସ୍ତା କାମ ଅଧା କରି ପକାଇ ଦିଆଯାଇଛି। ଫଳରେ ବସ୍ ମାଲିକ ବାଧ୍ୟ ହୋଇ ଅନ୍ୟ ବିକଳ୍ପ ରୁଟ୍ ବାଛିଛନ୍ତି। କିଛି ବସ୍ ମୁଣ୍ଡଳି-ଆଠଗଡ ଦେଇ ଯାଉଥିବା ବେଳେ କିଛି ବସ୍ ରିଂ ବନ୍ଧ ନୂଆପାଟଣା ହୋଇ ଯାଉଛନ୍ତି। ଏଥିପାଇଁ ସେମାନେ ପରିବହନ କମିସନରଙ୍କ ଅନୁମତି ନେଇଛନ୍ତି। ତେବେ ଆସନ୍ତା ଶୁକ୍ରବାର ଦିନ ଏ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଦରକାର ପଡିଲେ ଅନୁଗୁଳ ରୁଟ୍ରେ ବସ ବନ୍ଦ କରିଦେବେ ବୋଲି ଶ୍ରୀ ସାହୁ କହିଛନ୍ତି।
Follow Us