Sambad
କଟକ: କିଛି ଦିନ ପୂର୍ବରୁ ଚୌଧୁରୀ ବଜାର ମୁଖ୍ୟ ରାସ୍ତାରେ ରାସ୍ତା ଦବି ବିରାଟ ଗାତ ସୃଷ୍ଟି ହୋଇଥିଲା। ତୁଳସୀପୁର ଟିଭି ରୋଡରେ ବି ରାସ୍ତା ଦବି ବିରାଟ ଗାତ ସୃଷ୍ଟି ହୋଇଥିଲା। ଆଜି ଦେଉଳସାହିସ୍ଥିତ ସାଇ ମନ୍ଦିର ସମ୍ମୁଖ ରାସ୍ତାରେ ଜାଇକା ଯୋଗୁଁ ୫ ଫୁଟର ଗାତ ହେବା ଘଟଣା ସହରବାସୀଙ୍କ ସୁରକ୍ଷାକୁ ନେଇ ଉଦବେଗ ସୃଷ୍ଟି କରିଛି। ଜାଇକା ପକ୍ଷରୁ ଏଠାରେ ନିର୍ମାଣ ହୋଇଥିବା ଚ୍ୟାମ୍ବର ଦବି ଯିବାରୁ ଏପରି ପରିସ୍ଥିତି ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ମେୟର ସୁବାସ ସିଂହ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ମରାମତି କାମ ଅନୁଧ୍ୟାନ କରିଥିଲେ। ୭ ନମ୍ବର ୱାର୍ଡ ଅନ୍ତର୍ଗତ ଦେଉଳସାହି ସାଇ ମନ୍ଦିର ସମ୍ମୁଖ ଏହି ରାସ୍ତା ଆଜି ସକାଳ ପ୍ରାୟ ୭ଟାରେ ଦବି ଯାଇଥିଲା। ୧୦ରୁ ୨୦ ମିନିଟ ମଧ୍ୟରେ ଉକ୍ତ ଅଞ୍ଚଳରେ ୩ ଫୁଟ ଓସାର ଓ ୫ ଫୁଟ ଗଭୀରର ଗାତ ହୋଇଯାଇଥିଲା। ଏଭଳି ସ୍ଥିତିରେ ଉକ୍ତ ରାସ୍ତା ଦେଇ ସାଧାରଣ ଲୋକଙ୍କ ଚଳପ୍ରଚଳକୁ ବନ୍ଦ କରାଯାଇଥିଲା।
ମେୟର ସୁବାସ ସିଂହ ଘଟଣାସ୍ଥଳରେ ପହଞ୍ଚି ଜାଇକା, ସିଏମ୍ସି ଓ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଗାତର ମରାମତି କାମ କରିଥିଲେ। ଦିନ ସାଢେ ୧୦ଟା ସୁଦ୍ଧା କାମ ଶେଷ କରାଯାଇ ସାଧାରଣ ଲୋକଙ୍କ ପାଇଁ ଏହାକୁ ଖୋଲା ଯାଇଥିଲା। ଏଥିରେ ସ୍ଥାନୀୟ କର୍ପୋରେଟର ମମତା ନାୟକ, ୮ ନମ୍ବର ୱାର୍ଡ କର୍ପୋରେଟର ନମିତା ବାରିକ, ପୂର୍ବତନ କର୍ପୋରେଟର ଧର୍ମେଶ ନାୟକ, ୱାର୍ଡ ସଭାପତି ରମେଶ ସେଠୀ, ଦେବାଶିଷ ରାୟ, ପ୍ରକାଶ ପଣ୍ଡିତ, ସମାଜସେବୀ ପୂଜା ପାତ୍ର, ଚନ୍ଦ୍ରକାନ୍ତ ପଟ୍ଟନାୟକ, ସୁଶାନ୍ତ ନାୟକ, ଦେବେନ୍ଦ୍ର ପାଣିଗ୍ରାହୀ, ବସନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Follow Us