କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଦୁରବସ୍ଥା,ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବାଲି ଆସ୍ତରଣ

କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଦୁରବସ୍ଥା,ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବାଲି ଆସ୍ତରଣ

Sambad

କଟକ-ଜଗତପୁର: କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଜଗତପୁର ଇପିକଲ ଛକରୁ ଖଇରା ପୋଲ ପର୍ଯ୍ୟନ୍ତ ରାସ୍ତା ଉଭୟ ପାର୍ଶ୍ୱରେ ବାଲିର ମୋଟା ଆସ୍ତରଣ ଜମି ରହିଛି। ଏଥିଯୋଗୁଁ ପିଚୁ ରାସ୍ତାର ଅଧା ଅଂଶ ଲୁଚି ଯାଇଥିବା ଦେଖିବାକୁ ମିଳିଛି। ପ୍ରତ୍ୟହ ଲକ୍ଷଲକ୍ଷ ଲୋକ ଯାତାୟାତ କରୁଥିବା ଏହି ଜନଗହଳିପୂର୍ଣ୍ଣ ରାସ୍ତାରେ ବାଲି ଜମି ରହିବାରୁ ଦୁର୍ଘଟଣା ଆଶଙ୍କା ଲାଗି ରହୁଛି। ପ୍ରତିଦିନ ରାତି ୮ଟା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାନଦୀରୁ ବହୁ ସଂଖ୍ୟାରେ ବାଲି ବୋଝେଇ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାର ଏଭଳି ଦୁରବସ୍ଥା ହୋଇଥିବା ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି। ହେଲେ, ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ବାଲି ସଫେଇ ପାଇଁ କୌଣସି ପଦକ୍ଷେପ ନେଉ ନ ଥିବାରୁ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ବାଲି ବୋଝେଇ ଗାଡ଼ି ଚଳାଚଳ ସମୟରେ ଡାଲା ଉପରେ ଜରିପାଲ ଘୋଡ଼ାଇବା ଲାଗି ପୂର୍ବରୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ବାଲି ପରିବହନ ସମୟରେ ଏହା ଯେପରି ନ ଉଡ଼ିବ ଏବଂ ପଥଚାରୀଙ୍କ ଯେଭଳି ସମସ୍ୟାରେ ନ ହେବ, ସେଥିପ୍ରତି ପଦକ୍ଷେପ ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। କିଛିଦିନ ଏହି ନିୟମ କାର୍ଯ୍ୟକାରୀ ହୋଇଥିଲା। ଏବେ ବାଲି ଗାଡ଼ି ଚାଳକ ଖୋଲାଖୋଲି ନିୟମ ଉଲ୍ଲଂଘନ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଲିର ମୋଟା ଆସ୍ତରଣ ଜମି ରହୁଥିବାରୁ ସାମାନ୍ୟ ଅସାବଧାନ ହେଲେ ଦୁର୍ଘଟଣା ଘଟିବାର ଆଶଙ୍କା ଲାଗି ରହୁଛି। ଅପରପକ୍ଷରେ ଦୁଇଚକିଆ ଗାଡ଼ି ଚାଳକଙ୍କ ପାଇଁ ଏହି ରାସ୍ତା ବିପଦପୂର୍ଣ୍ଣ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ବାଲିର ଆସ୍ତରଣ ଯୋଗୁଁ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ତେବେ ସ୍କୁଟି ଚାଳକ ସୌଭାଗ୍ୟବଶତଃ ଅଳ୍ପକେ ରକ୍ଷା ପାଇ ଯାଇଥିଲେ। ସ୍ୱିପିଂ ଗାଡ଼ି ଦ୍ୱାରା ରାସ୍ତାରୁ ବାଲି ସଫେଇ କରା ନ ଗଲେ ଆଗାମୀ ଦିନରେ ବଡ଼ଧରଣର ଦୁର୍ଘଟଣା ଘଟିବ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଏ ନେଇ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଯଥାଶୀଘ୍ର ପଦକ୍ଷେପ କରିବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe