୪ବର୍ଷ ପରେ ପୁଣି ଜାଇକା ଯନ୍ତ୍ରଣା, କଟକ କଲେଜ ମୁଖ୍ୟରାସ୍ତା ଖୋଳି ଛୁ’

Advertisment

କଲେଜ ପାଚେରି, ନବ ନିର୍ମିତ ଡ୍ରେନ୍‌ ଭାଙ୍ଗିଲା

କଲେଜ ପାଚେରି, ନବ ନିର୍ମିତ ଡ୍ରେନ୍‌ ଭାଙ୍ଗିଲା

୪ବର୍ଷ ପରେ ପୁଣି ଜାଇକା ଯନ୍ତ୍ରଣା, କଟକ କଲେଜ ମୁଖ୍ୟରାସ୍ତା ଖୋଳି ଛୁ’

Sambad

କଟକ: ୪ବର୍ଷ ପରେ ବି ଜାଇକାର ଯନ୍ତ୍ରଣା ଶେଷ ହେଉନାହିଁ। ସିଏମ୍‌ସି ୫୫ନଂ ଵାର୍ଡ ବିଦ୍ୟାଧରପୁର ଅଞ୍ଚଳର ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ବହୁବର୍ଷ ପୂର୍ବରୁ ଖୋଳାଯାଇଥିବା ବିଦ୍ୟାଧରପୁର ପ୍ରବେଶପଥ ଆଜି ପର୍ଯ୍ୟନ୍ତ ମରାମିତ ହୋଇନାହିଁ। ବର୍ତ୍ତମାନ ପୁଣି କଟକ କଲେଜ ସମ୍ମୁଖ ରାସ୍ତାକୁ ଖୋଳି ଛାଡ଼ି ଦିଆଯାଇଛି। ଜେସିବି ଦ୍ବାରା ବିରାଟ ଗାତ ଖୋଳା ଯାଇଥିବାରୁ କଲେଜ ପାଚେରି ଭୁଶୁଡି ପଡ଼ିଛି। ମହିମାନଗରର ନବନିର୍ମିତ ମୁଖ୍ୟ ଡ୍ରେନ୍‌କୁ ଭାଙ୍ଗି ଦିଆଯାଇଛି। ଜାଇକା କାମ ସାରିବା ପରେ ରାସ୍ତାଘାଟ ମରାମତି କରିବା କଥା, କିନ୍ତୁ ସବୁ ନିୟମକୁ ଫୁ’ କରିଦିଆଯାଇଛି। ବିଦ୍ୟାଧରପୁର ପୂଜା କମିଟି ଉପ-ସଭାପତି ନଗେନ ମହାରଣା ଓ ଉପଦେଷ୍ଟା ଅଭୟ ଦାଶ ଅଭିଯୋଗ କରିଛନ୍ତି ଯେ, ୪ବର୍ଷ ପରେ ପୁଣି କଟକ କଲେଜ ସମ୍ମୁଖ ଖୋଳି ପାଚେରି ଓ ଡ୍ରେନ୍‌ ଭାଙ୍ଗି ଦିଆଯାଇଛି। ଏହି ରାସ୍ତା ସିଧାସଳଖ ମହିମାନଗର, ପୋତାପୋଖରୀ ଦେଇ ନୂଆବଜାର ଓ ମହାନଦୀବିହାରକୁ ଯାଇଛି। ଏ ଅଞ୍ଚଳରେ କଟକ କଲେଜ, ସେଣ୍ଟ ଆଣ୍ଟୋନି ଇଂରାଜୀ ମାଧ୍ୟମ ସ୍କୁଲ, ବାଳିକା ବିଦ୍ୟାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ରାସ୍ତା ତଳେ ପିଏଚ୍‌ଡି ପାଣି ପାଇପ୍ ରହିଛି।

ଜାଇକା ଗାତ ଖୋଳିବା ପରେ ସେଠାରେ ପାଣି ଭର୍ତ୍ତି ହୋଇଥିବାରୁ ଜେସିବି ମେସିନ୍ ପାଇପ୍‌କୁ କଣା କରିଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବିଦ୍ୟାଧରପୁର ପୂଜା କମିଟି ସଂପାଦକ ଶରତ ପଣ୍ଡା କହିଛନ୍ତି ଯେ, ବର୍ତ୍ତମାନ ଜାଇକା ଅନଭିଜ୍ଞ ଠିକାଦାରଙ୍କୁ କାମ ଦେଇଛି। ପ୍ରକଳ୍ପ ବୁଝୁଥିବା କୌଣସି ଇଞ୍ଜିନିୟର କିମ୍ବା ଅଫିସର କାମ ତଦାରଖ କରିବାକୁ ଆସୁନାହାନ୍ତି। ସିଏମ୍‌ସି କମିସନର୍‌ ତୁରନ୍ତ ପଦକ୍ଷେପ ନେବାକୁ ବିଦ୍ୟାଧରପୁର ପୂଜା କମିଟି ପକ୍ଷରୁ ଦାବି ହୋଇଛି। ସେପଟେ, କଟକ ମହାବିଦ୍ୟାଳୟର ଅଧ୍ୟକ୍ଷ କେଶବ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ, ଜାଇକା ଠିକାଦାର କୌଣସି ଅନୁମତି ନନେଇ କଲେଜ ପାଚେରି ଓ ଡ୍ରେନ୍‌ ‌ଭାଙ୍ଗିଛନ୍ତି। ଆଗକୁ ପରୀକ୍ଷା ଥିବାରୁ ସମସ୍ୟା ସୃଷ୍ଟି ହୋଇପାରେ। ଡ୍ରେନ୍‌ର ସମସ୍ତ ପାଣି କଲେଜ ମଧ୍ୟକୁ ପ୍ରବେଶ କରୁଛି। ଏ ନେଇ ସେ ଠିକାଦାରଙ୍କୁ ଅଭିଯୋଗ କରିବା ପରେ ପାଚେରି ନିର୍ମାଣ କରିବା ପାଇଁ ଠିକାଦାର ରାଜି ହୋଇଥିବା ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe