ରୋଜ୍‌ଭ୍ୟାଲି ଠକେଇ; ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତଙ୍କ ଜାମିନ ହାଇକୋର୍ଟରେ ପୁଣି ଖାରଜ

Advertisment
ବଡ଼ଗଡ଼ କେନାଲ କଲୋନିରେ ଡ୍ରେନେଜ୍‌ ପ୍ରସଙ୍ଗ: ଜବାବ ଦାଖଲ ପାଇଁ ୱାଟ୍‌କୋକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

image source-newindianexpress.com

କଟକ: ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ବଙ୍ଗଳା ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତ ମୋହତାଙ୍କ ଜାମିନ ଆବେଦନ ହାଇକୋର୍ଟରେ ପୁଣି ଖାରଜ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ନେଇ ଗଠିତ ଖଣ୍ଡପୀଠ ଶ୍ରୀକାନ୍ତଙ୍କ ଜାମିନ ଆବେଦନର ଶୁଣାଣି କରି ୨୦୨୦, ନଭେମ୍ବର ୧୭ରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ପ୍ରକାଶ ପାଇଛି। ଶ୍ରୀକାନ୍ତ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଉଚ୍ଚସ୍ତରର ବ୍ୟକ୍ତିବିଶେଷ ଓ ପଶ୍ଚିମବଙ୍ଗର ରାଜନୈତିକ ବ୍ୟକ୍ତିଙ୍କ ସହିତ ସଂପର୍କ ରହିଛି। ତାଙ୍କୁ ଜାମିନ ପ୍ରଦାନ କରାଗଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଜାମିନ ଆ‌ବେଦନ ଖାରଜ କରାଯାଇଛି ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୯, ମେ’ ୧୩ରେ ହାଇକୋର୍ଟ ଶ୍ରୀକାନ୍ତଙ୍କ ପ୍ରଥମ ଜାମିନ ଆବେଦନ ଖାରଜ କରିଥିବା ବେଳେ ୨୦୨୦, ଜାନୁଆରି ୨ରେ ଦ୍ବିତୀୟ ଆବେଦନ ଖାରଜ ହୋଇଥିଲା।

ଏହାପରେ ସୁପ୍ରିମକୋର୍ଟରେ ଶ୍ରୀକାନ୍ତ ଦାୟର କରିଥିବା ଆବେଦନ ଗତ ଫେବ୍ରୁଆରି ୧୦ରେ ଖାରଜ ହୋଇଥିଲା। ଏହା ପରେ ସେ ତୃତୀୟ ଥର ପାଇଁ ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ରୋଜଭ୍ୟାଲି ଠକେଇ ମାମଲାରେ ସିବିଆଇ କୋଲକାତାରୁ ଶ୍ରୀକାନ୍ତଙ୍କୁ ୨୦୧୯, ଜାନୁଆରି ୨୫ରେ ଗିରଫ କରିଥିଲେ। ଶ୍ରୀ ଭେଙ୍କଟେସ୍ ଫିଲ୍ମସ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାର ଶ୍ରୀକାନ୍ତ ପ୍ରତିଷ୍ଠାତା ନିର୍ଦ୍ଦେଶକ ହୋଇଥିବା ବେଳେ ରୋଜଭ୍ୟାଲି ଟେଲିଭିଜନ ଚାନେଲର ଏକ ସହଯୋଗୀ ସଂସ୍ଥା ବିଭିସିଏଲ୍ ଓ ଏହି ସଂସ୍ଥା ମଧ୍ୟରେ କେତେକ ଚଳଚ୍ଚିତ୍ରର ପ୍ରସାରଣ ଅଧିକାର ପ୍ରଦାନ ନେଇ ୨୦୧୦ରେ ବୁଝାମଣା ହୋଇଥିଲା। ଏହି ବାବଦରେ କୋଟି କୋଟି ଟଙ୍କା ଶ୍ରୀକାନ୍ତଙ୍କ ଆକାଉଣ୍ଟକୁ ଯାଇଥିଲା। ପରବର୍ତ୍ତୀ ସମୟରେ ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁ ଗିରଫ ହେବା ପରେ ଏହି ବୁଝାମଣା ଅନୁସାରେ ରୋଜଭ୍ୟାଲି ଚାନେଲକୁ ପ୍ରଦାନ କରାଯାଇଥିବା ଚଳଚ୍ଚିତ୍ର ପ୍ରସାରଣ ଅଧିକାରର ସଂଖ୍ୟାକୁ ନେଇ ବିବାଦ ଦେଖା ଦେଇଥିଲା।

ଗୌତମ ଯେଉଁ ସଂଖ୍ୟା କହିଥିଲେ ତାହା ଶ୍ରୀକାନ୍ତ ପ୍ରଦାନ କରିଥିବା ତଥ୍ୟ ସହିତ ତାଳମେଳ ଖାଇ ନଥିଲା। ଶ୍ରୀକାନ୍ତଙ୍କୁ ସିବିଆଇ ପୂର୍ବରୁ ପଚରା ଉଚୁରା କରିଥିବା ବେଳେ ସେ ତଦନ୍ତରେ ସହଯୋଗ କରି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ସିବିଆଇ ତାଙ୍କୁ କୋଲକାତାରୁ ଗିରଫ କରି ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ସିଜେଏମ୍ ଅଦାଲତରେ ହାଜର କରିଥିଲା। ୨୦୧୯, ମେ’ ୨୨ରେ ସିବିଆଇ ଶ୍ରୀକାନ୍ତଙ୍କ ବିରୋଧରେ ରୋଜଭ୍ୟାଲି ମାମଲାରେ ଚାର୍ଜସିଟ ଦାଖଲ କରିଥିଲା। ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe