ସ୍ବାବଲମ୍ବୀ ସବିତା, ପିଲାଙ୍କ ପାଇଁ ଗୃହିଣୀରୁ ବ୍ୟବସାୟୀ

ସ୍ବାବଲମ୍ବୀ ସବିତା, ପିଲାଙ୍କ ପାଇଁ ଗୃହିଣୀରୁ ବ୍ୟବସାୟୀ

Sambad

କଟକ: କଟକରେ ସବିତା ସାହୁ ଜଣେ ଗୃହିଣୀ। କିନ୍ତୁ ପରିବାରର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଦୃଢ ସଂକଳ୍ପ ନେଇ ଆଗକୁ ବାହାରିବା ସହ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ତାଙ୍କର ସଫଳତା ଏବେ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ସବିତା ଦୋଳମୁଣ୍ଡାଇ ବାବା ସାଗର ପଡିଆ ସମ୍ମୁଖରେ ବିକ୍ରି କରୁଛନ୍ତି ପନିର ରୋଲ୍‌, ଭେଜ୍‌ ଷ୍ଟିକ୍‌ ଓ ଭେଜିଟେବୁଲ୍‌ ଷ୍ଟିକ୍‌। ସବିତାଙ୍କୁ ଏହି ବ୍ୟବସାୟରେ ସହଯୋଗ କରୁଛନ୍ତି ତାଙ୍କ ବଡ ପୁଅ। କଟକ ଜିଲ୍ଲା ବାଙ୍କୀ କଳାପଥର ଅଞ୍ଚଳର ମୂଳ ବାସିନ୍ଦା ସବିତା ଏବେ କଟକ ସ୍ଥିତ ଡାଲିମିଲ୍‌ ଲେନ୍‌ରେ ବାସ କରୁଛନ୍ତି। ସବିତାଙ୍କ ପରିବାର କହିଲେ ସ୍ୱାମୀ, ୨ ପୁଅ ଓ ଝିଅ। ସ୍ୱାମୀ ସନ୍ତୋଷ ସାହୁ ପେସାରେ ଜଣେ ବସ୍‌ ହେଲ୍ପର। କିନ୍ତୁ ପାରିବାରିକ କଳହ ଯୋଗୁଁ ସ୍ୱାମୀ କିଛି ମାସ ଦୂରେଇ ରହିବାରୁ ପରିବାରର ଭରଣପୋଷଣ ପାଇଁ, ପିଲାଙ୍କ ପଠା ପଢା ଖର୍ଚ୍ଚ ତୁଲାଇବାକୁ ସବିତା ନିଜେ ସ୍ବାବଲମ୍ବୀ ହେବାକୁ ଉଦ୍ୟମ କରିଥିଲେ। ଦୋଳମୁଣ୍ଡାଇ ବାବା ସାଗର ପଡିଆ ସମ୍ମୁଖରେ ଏକ ଠେଲା ଗାଡିରେ ପନିର୍‌ ରୋଲ୍‌, ପନିର ଷ୍ଟିକ୍‌ ଓ ଭେଜିଟେବୁଲ୍‌ ଷ୍ଟିକ୍‌ ଇତ୍ୟାଦି ବିକ୍ରି କରିବା ଆରମ୍ଭ କରିଥିଲେ। ଗଲା ଚାରି ମାସ ହେବ ଏହି ବ୍ୟବସାୟରୁ ସବିତା ନିଜର ଆତ୍ମବିଶ୍ବାସ ବୃଦ୍ଧି କରି ପାରିଛନ୍ତି।

ସବିତା ସକାଳୁ ନିଜ ପରିବାରର ସମସ୍ତ କାମ ସାରି ବାହାରି ପଡନ୍ତି ନିଜ ବ୍ୟବସାୟର ସାମଗ୍ରୀ କିଣିବାକୁ। ଘରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଅପରାହ୍ନ ୫ଟା ବେଳକୁ ସବିତା ଓ ତାଙ୍କ ବଡ଼ ପୁଅ ସୌମ୍ୟ ରଞ୍ଜନ ସାହୁ ପହଞ୍ଚି ଯାଆନ୍ତି ଦୋଳମୁଣ୍ଡାଇରେ। ରାତି ୧୧ଟା ଯାଏ ବିକ୍ରିବଟା ଚାଲେ। ଏହି ବ୍ୟବସାୟରୁ ସେ ଏବେ ଦୈନିକ ୨ହଜାରରୁ ୨୫ଶହ ଟଙ୍କା ଯାଏ ରୋଜଗାର କରିପାରୁଛନ୍ତି। ସବିତାଙ୍କ ବଡ଼ ପୁଅ ସୌମ୍ୟ ରଞ୍ଜନ ସାହୁ ରଘୁନାଥ ଜୀଉ କଲେଜର ଯୁକ୍ତ ତିନିର ପ୍ରଥମ ବର୍ଷର ଛାତ୍ର। ନିଜ ପାଠ ପଢା ସହ ମା’ଙ୍କୁ ସବୁ କାର୍ଯ୍ୟରେ ସେ ସାହାଯ୍ୟ କରୁଛନ୍ତି। ସବିତା କହିବା ଅନୁଯାୟୀ ନିଜେ କିଛି କରିବାକୁ ତାଙ୍କର ଆରମ୍ଭରୁ ଇଚ୍ଛା ଥିଲେ ବି ବିଭିନ୍ନ କାରଣରୁ ତାହାକୁ କାର୍ଯ୍ୟକାରୀ କରି ପାରୁ ନଥିଲେ। ହେଲେ ସ୍ୱାମୀଙ୍କ ସହ କଳହ ପରେ ସ୍ୱାମୀ କିଛି ଦିନ ଦୂରେଇ ଯିବାରୁ ପରିବାର ଚଳାଇବା, ପିଲାଙ୍କ ପାଠ ପଢା ଖର୍ଚ୍ଚ ଉଠାଇବାରେ ସମସ୍ୟା ଉପୁଜିଲା। ସବୁକୁ ଦୃଷ୍ଟିରେ ରଖି ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଲି। ପ୍ରଥମେ ଘରେ ଏହି ସବୁ ଖାଇବା ଜିନିଷ ପ୍ରସ୍ତୁତ କରି ନିଜେ ଚାଖି ପିଲାଙ୍କୁ ଚଖାଇଲି। ପିଲାମାନେ ଉତ୍ସାହ ଦେବାରୁ ବ୍ୟବସାୟ ଆରମ୍ଭ କଲି। ସବିତାଙ୍କ ବଡ଼ ପୁଅ ସୌମ୍ୟରଞ୍ଜନ ସାହୁ କହନ୍ତି ଯେ, ପାଠ ପଢି ଅନ୍ୟ କେଉଁଠି ଚାକିରି ତ ନିଶ୍ଚିତ କରିବି। ହେଲେ ତା’ ପୂର୍ବରୁ ମା’ଙ୍କୁ ଏହି ବ୍ୟବସାୟରେ ସହଯୋଗ କରି ପାରୁଥିବାରୁ ଖୁସି ଅନୁଭବ କରୁଛି। ମା’ଙ୍କର ଏହି ବ୍ୟବସାୟର ସ୍ବପ୍ନକୁ ମୁଁ ଏକ ଭଲ ରେଷ୍ଟୁରାଣ୍ଟରେ ପରିଣତ କରି ମା’ଙ୍କୁ ଉପହାର ଦେବି ବୋଲି ସୌମ୍ୟରଂଜନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe