୧୬ ବର୍ଷର ବାଳକଙ୍କ ମୃତ୍ତିକା ସୁରକ୍ଷା ଅଭିଯାନ, ସାଇକେଲ୍‌ରେ କଲିକତାରୁ ଆସି ପହଞ୍ଚିଲେ କଟକରେ

Advertisment

୨୪ ଦିନରେ ଅତିକ୍ରମ କଲେଣି ୧୨ଶହ କିଲୋମିଟର

୨୪ ଦିନରେ ଅତିକ୍ରମ କଲେଣି ୧୨ଶହ କିଲୋମିଟର

୧୬ ବର୍ଷର ବାଳକଙ୍କ ମୃତ୍ତିକା ସୁରକ୍ଷା ଅଭିଯାନ, ସାଇକେଲ୍‌ରେ କଲିକତାରୁ ଆସି ପହଞ୍ଚିଲେ କଟକରେ

Sambad

କଟକ: ମୂର୍ତ୍ତିକା ବଞ୍ଚାଅ ବାର୍ତ୍ତା ନେଇ ସାଇକେଲ୍ ଅଭିଯାନ ଆରମ୍ଭ କରିଥିବା କଲିକତାର ସାହିଲ ଝା ୧୨ଶହ କିଲୋମିଟର ଅତିକ୍ରମ କରି ଆଜି କଟକରେ ପହଞ୍ଚିଛନ୍ତି। କଲିକତାର ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଯାଇ ସେଠାରେ ଲୋକଙ୍କୁ ସଚେତନ କରାଇବା ପରେ ରାଞ୍ଚି, ଝାଡ଼ଖଣ୍ତ, ବିହାର, ଦେବଘର, ବାରିପଦା, ବାଲେଶ୍ବର ପରେ ଆଜି ପହଞ୍ଚିଛନ୍ତି କଟକରେ। ସହରର ପ୍ରମୁଖ ସ୍ଥାନରେ ‌ଲୋକଙ୍କୁ ସଚେତନ କରାଇ କଟକରୁ ଭୁବନେଶ୍ବର, ପୁରୀ, ବିଶାଖାପାଟଣା, ହାଇଦ୍ରାବାଦ ଓ ଏହାପରେ ଉତ୍ତର ଏବଂ ଦକ୍ଷିଣ ଭାରତ ପରିଭ୍ରମଣ କରି ପୁଣି କଲିକତାରେ ପହଞ୍ଚିବା ଲକ୍ଷ୍ୟ ରଖିଛନ୍ତି ସାହିଲ୍‌। କଲିକତା ହାୱଡାର ନିଶାନ୍ତ ଝା ଓ ବବିତା ଝାଙ୍କ ବଡ଼ ପୁଅ ସାହିଲ ଝାଙ୍କୁ ବୟସ ମାତ୍ର ୧୬ ବର୍ଷ। ବାଲି ଏଡ଼ୁକେୟାର ସ୍କୁଲର ଦଶମ ଶ୍ରେଣୀର ଛାତ୍ର। ଏବେ ଦଶମ ପରୀକ୍ଷା ଦେଇଥିବାବେଳେ ଆରମ୍ଭ କରିଛନ୍ତି ଏଭଳି ଏକ ନିଆରା ପ୍ରୟାସ।

ମେ ୧ ତାରିଖରୁ ଆଜିକୁ ୨୪ ଦିନ ହେବ ସାଇକେଲ ଚଲାଇ ଲୋକଙ୍କୁ ସେ ସଚେତନ କରୁଛନ୍ତି। ଆଜି ସେ କଟକରେ ପହଞ୍ଚିବା ପରେ ଛାତ୍ର ବିଜେଡି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ତେବେ ସାହିଲ ନିଜେ ସେଭ୍ ସଏଲ୍ ଲେଖା ଥିବା ଟି-ସାର୍ଟ, କ୍ୟାପ, ବ୍ୟାଗ ସହ ପ୍ଲା କାର୍ଡ଼ ସାଇକେଲ‌ରେ ଲଗାଇ ବୁଲୁଛନ୍ତି। ଏହାସହ savesoil.org ୱେବସାଇଟକୁ ଯାଇ ମୂର୍ତ୍ତିକା(ମାଟି)ର ଗୁରୁତ୍ବ ବିଷୟରେ ପଢ଼ି ବୁଝିବା ପାଇଁ ସହରବାସୀଙ୍କୁ ଅବଗତ କରାଇଛନ୍ତି। ପ୍ରତ୍ୟେକଦିନ ୬୦ ରୁ ୧୨୦ କିଲୋମିଟର ସେ ସାଇକେଲ ଚଳାଉଛନ୍ତି। ଇସା ଫାଉଣ୍ତେସନ ପକ୍ଷରୁ ତାଙ୍କୁ ସହଯୋଗ କରାଯାଉଛି। ସାହିଲ ଏହି ସ୍ବତନ୍ତ୍ର ଅଭିଯାନରେ ଆସନ୍ତା ‌ଦେଢ଼ ବର୍ଷ ମଧ୍ୟରେ ଦେଶର ୨୩ ହଜାର ୮ଶହ କିଲୋମିଟର ଯାତ୍ରା କରିବା ଲକ୍ଷ୍ୟ ରଖିଛନ୍ତି। ଆଜି ଯୋବ୍ରା ତାଳଦଣ୍ଡା କେନାଲ୍ ପାର୍ଶ୍ବ ରାସ୍ତାରେ ଛାତ୍ର ବିଜେଡ଼ି ପକ୍ଷରୁ ବିଜେଡ଼ିର ଯୁଗ୍ମ ସମ୍ପାଦକ ହରିଶଙ୍କର ରାଉତଙ୍କ ନେତୃତ୍ବରେ‌ ସାହିଲ ଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଛାତ୍ର ନେତା ଆଶୁତୋଷ ସାହୁ, ମୃତ୍ୟୁଞ୍ଜୟ ମହାନ୍ତି, ସନ୍ତୋ‌ଷ ନିମାଇଁ, ସିପୁ ମଲ୍ଲିକ, ଅଭିଷେକ ନାୟକ, ସୁନୀଲ ନାୟକ, ଅଶୋକ ସ୍ବାଇଁ, ରୁପେଶ ମହାପାତ୍ର, ବିରେନ ଦେହୁରୀ, ସତ୍ୟମ ବେହେରା, ରାକେଶ ମଲ୍ଲିକ, ମୀର୍ଜା ସେକ୍‌, ଆଶୀର୍ବାଦ ବିଶ୍ବାଳ, ସୁଭାଶିଷ ଦତ୍ତ, ଶୁଭେନ୍ଦୁ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe