ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଦରମା ହେରଫେର ଘଟଣା, ଏସ୍‌ସିବିରେ ୫ଜଣିଆ ଟିମ୍‌ର ସ୍ବତନ୍ତ୍ର ଅଡିଟ୍‌ ଆରମ୍ଭ

Advertisment

ବିଭିନ୍ନ ଫାଇଲ ସହ ଗ୍ରେଡେସନ୍‌, କ୍ୟାଡର ତାଲିକା ଓ ପଦୋନ୍ନତି ବୈଠକ ବିବରଣୀ ମାଗିଲେ

ବିଭିନ୍ନ ଫାଇଲ ସହ ଗ୍ରେଡେସନ୍‌, କ୍ୟାଡର ତାଲିକା ଓ ପଦୋନ୍ନତି ବୈଠକ ବିବରଣୀ ମାଗିଲେ

ଅଗଷ୍ଟ ୧୦ ସୁଦ୍ଧା ଏସ୍‌ସିବିରେ ‘ମଙ୍କିପକ୍ସ’ ତାଲିମ

କଟକ: ଏସ୍‌ସିବି ମେଡିକାଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ତୃତୀୟ ଶ୍ରେଣୀ କର୍ମଚାରୀମାନଙ୍କର ଦରମାକୁ ନେଇ ହୋଇଥିବା ହେରଫେର ଘଟଣାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଅଡିଟ୍‌ ଆରମ୍ଭ ହୋଇଛି। ପ୍ରଥମଦିନ ଅଡିଟ୍‌ ଟିମ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅନେକ ଫାଇଲ ଯାଞ୍ଚ କରିଥିଲେ। ତେବେ ଉକ୍ତ ଫାଇଲଗୁଡ଼ିକୁ ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟରେ ଯାଞ୍ଚ କରାଯିବାକୁ କୁହାଯାଇଛି। ଏଥିସହିତ ଚୂଡ଼ାନ୍ତ ଗ୍ରେଡେସନ୍‌ ତାଲିକା, କ୍ୟାଡର୍‌ ତାଲିକା, ପଦୋନ୍ନତି ପାଇଁ ହୋଇଥିବା ବୈଠକର ବିବରଣୀ, ସିସିଏ ନିୟମ, ଆର‌୍‌ଏସିପି ପ୍ରଦାନ ବିବରଣୀ, ଯାଞ୍ଚ କମିଟି ରିପୋର୍ଟ ଇତ୍ୟାଦି ଯୋଗାଇ ଦେବାକୁ ଅଡିଟ୍‌ ଟିମ୍‌ ପକ୍ଷରୁ ଅଧୀକ୍ଷକଙ୍କୁ ଅବଗତ କରାଯାଇଛି। ଏଥିସହିତ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ପୂର୍ବରୁ କରାଯାଇଥିବା ଅଡିଟ୍‌ ଓ ଏ.ଜିଙ୍କ ପକ୍ଷରୁ ହୋଇଥିବା ଅଡିଟ୍‌ର ରିପୋର୍ଟ ଆଧାରିତ ଫାଇଲ୍‌କୁ ମଧ୍ୟ ଏହି ଟିମ୍‌ ସାଙ୍ଗରେ ନେଇଛି। ଡିଏମ୍‌ଇଟିଙ୍କ କାର୍ଯ୍ୟାଳୟରେ ଏସବୁ ଯାଞ୍ଚ ହେବା ପରେ ଆସନ୍ତା ମାର୍ଚ୍ଚ ୪ ତାରିଖରେ ପୁଣି ଥରେ ଅଡିଟ୍‌ ଟିମ୍‌ ଏସ୍‌ସିବିକୁ ଆସିବ ବୋଲି ଜଣାପଡ଼ିଛି। ତେବେ ପ୍ରଥମଦିନର ପ୍ରାରମ୍ଭିକ ଯାଞ୍ଚ ସମୟରେ ଫାଇଲ୍‌ଗୁଡ଼ିକରେ ଅନେକ ତ୍ରୁଟି ରହିଥିବା ଟିମ୍‌ ଦେଖିବାକୁ ପାଇଥିଲା। ବିଭାଗୀୟ ଅଡିଟ୍‌ ଓ ଏ.ଜି. ଅଡିଟ୍‌ ରିପୋର୍ଟରେ ଅନେକ ସତ୍ୟତା ରହିଥିବା ଟିମ୍‌ ହୃଦ୍‌ବୋଧ କରିଥିଲା। ଯେଉଁଥିପାଇଁ ପ୍ରାୟ ୬ଘଣ୍ଟାର ଯାଞ୍ଚ ପରେ ଟିମ୍‌ ମେଡିକାଲ୍‌ରୁ ଫେରିବା ବେଳେ ପ୍ରଚୁର ପରିମାଣର ଟଙ୍କା ପୁନରୁଦ୍ଧାର କରାଯିବାକୁ ପ୍ରସ୍ତୁତ ରହିବା ପାଇଁ ଅଧୀକ୍ଷକଙ୍କ ସଙ୍କେତ ଦେଇ ଯାଇଥିବା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। କେବଳ ଏତିକି ନୁହେଁ, ଏହି ହେରଫେରରେ ସ˚ପୃକ୍ତ ଜଣେ କର୍ମଚାରୀ ଆଉ କିଛିଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ। ଏଥିପୂର୍ବରୁ ତାଙ୍କର ଚୂଡ଼ାନ୍ତ ହିସାବପତ୍ରକୁ ଅଟକାଇବାକୁ ଅଡିଟ୍‌ ଟିମ୍‌ ନିର୍ଦ୍ଦେଶ ଦେଇଛି। ଯେଉଁମାନେ କ୍ୟାଡର୍‌ ବଦଳାଇ ଅଧିକ ଦରମା ନେଇଛନ୍ତି, ତାହାକୁ ପୁଣି ଥରେ ମେଡିକାଲ୍‌ ପାଣ୍ଠିକୁ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ତେବେ ଚୂଡ଼ାନ୍ତ ରାୟ ଲୋକାୟୁକ୍ତଙ୍କ ଶୁଣାଣି ଉପରେ ନିର୍ଭର କରୁଛି।

ଅଡିଟ୍‌ ଟିମ୍‌ ତାହାର ପୂର୍ଣ୍ଣାଙ୍ଗ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରିବା ପରେ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ଭାଗ୍ୟ ନିର୍ଧାରଣ ହେବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ସେମାନଙ୍କ କ୍ୟାଡର‌୍ ଓ ଗ୍ରେଡେସନ୍‌ ତାଲିକାରେ ହେରଫେର କରି ଲକ୍ଷଲକ୍ଷ ଟଙ୍କାର ଦରମା ହଡପ୍‌ କରିଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଆସିଥିଲା। ଏପରିକି ବିଭିନ୍ନ ସରକାରୀ ଚିଠି ଓ ଯାଞ୍ଚ ରିପୋର୍ଟକୁ ଜାଣିଶୁଣି ଚପାଇ ଦିଆଯାଇଥିବା ନେଇ ଭିଜିଲାନ୍ସ ଓ ସ୍ବାସ୍ଥ୍ୟବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଏହା ଉପରେ ଏ.ଜି. ଓ ସ୍ବାସ୍ଥ୍ୟ ବଭାଗ ଯାଞ୍ଚ କରି ଦେଇଥିବା ରିପୋର୍ଟକୁ ଚପାଇ ଦିଆଯାଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରି ନଥିଲା। ଫଳରେ ମାମଲା ଲୋକାୟୁକ୍ତଙ୍କ ପାଖରେ ପହଞ୍ଚିଥିବା ବେଳେ ପୁଣି ଥରେ ଡିଏମ୍‌ଇଟିଙ୍କ ଦ୍ବାରା ଅଡିଟ୍‌ କରାଯାଇ ମାର୍ଚ୍ଚ ୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁଥିପାଇଁ ଡିଏମ୍‌ଇଟି ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିତ ଭାବେ ୫ଜଣିଆ ଟିମ୍‌ ଗଠନ କରାଯାଇ ଶୁକ୍ରବାରଠୁ ଅଡିଟ୍‌ ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe