ଅସୁରକ୍ଷିତ ଦରଖାପାଟଣା ସତ୍‌‌ସଙ୍ଗ ହାଇସ୍କୁଲ୍‌, ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ; ଅସହାୟ ଅଭିଭାବକ

Advertisment
ଅସୁରକ୍ଷିତ ଦରଖାପାଟଣା ସତ୍‌‌ସଙ୍ଗ ହାଇସ୍କୁଲ୍‌, ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ; ଅସହାୟ ଅଭିଭାବକ

Sambad

ବିଦ୍ୟାଧରପୁର: କଟକ ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନ°୫୩ ଦରଖାପାଟଣାରେ ରହିଛି ସତ୍‌ ସଙ୍ଗ ହାଇସ୍କୁଲ। ୧୯୮୦ ମସିହାରେ ଏହା ପ୍ରତିଷ୍ଠା କରାଯାଇଥିଲା। ୧୯୯୪ ମସିହାରେ ସରକାର ଏହାକୁ ହାତକୁ ନେଲେ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୫୦ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ୁଛନ୍ତି। କିନ୍ତୁ ଏହି ସ୍କୁଲର ମୁଖ୍ୟ ସମସ୍ୟା ହେଉଛି ସରକାର ଖପୁରିଆ ଶିଳ୍ପାଞ୍ଚଳ ପାଖରେ କିଛି ବସ୍ତି ବାସିନ୍ଦାଙ୍କୁ ଏଠାରେ ଥାଇଥାନ କରିବା ଦିନଠାରୁ ସ୍କୁଲଟି ଅସୁରକ୍ଷିତ ହୋଇ ପଡ଼ିଛି। ଏମାନଙ୍କ ଦ୍ବାରା ସ୍କୁଲ ପାଚେରୀ ଭାଙ୍ଗିବା, ଛାତ୍ରୀ ଓ ଶିକ୍ଷୟିତ୍ରୀ ମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା, ସ୍କୁଲ ଭିତରେ ମଦ ପିଇ କାଚ ବୋତଲ ଏଣେତେଣେ ଫିଙ୍ଗିବା, ସ୍କୁଲ କବାଟ ଚାବି ଭାଙ୍ଗି ପଂଖା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟ୍ କରିବା ନିତି ଦିନିଆ କାମ ବୋଲି ଅଭିଭାବକ ସଂଘ ଓ ପରିଚାଳନା କମିଟିର ସଭାପତି ବାସନ୍ତୀ ସେଠୀ, ଉପସଭାପତି କେଶବ ସ୍ବାଇଁ, ମିତା ରାଉତ, ପ୍ରଦୀପ ସାମଲ, ମମତା ମହାରନ୍ୟ, କିଶୋର କୁମାର ସାହୁ, ରୁବୀ ନାୟକ, ବରଦା ପ୍ରସନ୍ନ ଷଡଙ୍ଗୀ, ଲକ୍ଷ୍ମୀ ଧର ପତି, ମମତା ବାରିକ, ଚିତ୍ତରଞ୍ଜନ ସେଠୀ, ତୁଷାରିକା ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ପିଲାଙ୍କ ସୁରକ୍ଷା ପାଇଁ ସେମାନେ ରାଜରାସ୍ତାରେ ବସିଥିଲେ। ଜିଲ୍ଲାପାଳ ଘଟଣାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେଇ ଜମି ମାପଚୁପ କରି ପାଚେରୀ ନିର୍ମାଣ କରିବାକୁ‌ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ମଧ୍ୟ ଚିଠି ନ°୨୩୨୪ ତା-୧୬-୪-୨୦୨୧ରେ ସଦର-୨ ରାଜସ୍ୱ ନିରୀକ୍ଷକଙ୍କୁ ତୁରନ୍ତ ମାପଚୁପ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୧୪ ମାସ‌ ବିତିଗଲାଣି। ତହସିଲଦାରଙ୍କ ନିର୍ଦ୍ଦେଶକୁ‌ ଫୁ--କରି ରାଜସ୍ବନିରୀକ୍ଷକ ବସି ଯାଇଛନ୍ତି। ପରିଚାଳନା କମିଟିର ଅଭିଯୋଗ ଅନୁଯାୟୀ ତହସିଲଦାରଙ୍କୁ ଅଭିଯୋଗ କଲେ ସେ କହୁଛନ୍ତି ଆର୍ ଆଇଙ୍କ ପାଖକୁ ଯାଅ।

ଆର୍ ଆଇ ଙ୍କ ପାଖକୁ ଗଲେ କହୁଛନ୍ତି କିରାଣୀଙ୍କ ପାଖକୁ ଯାଅ। ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀ ମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି। ପାଚେରୀ ନିର୍ମାଣ ହୋଇ ନଥିବାରୁ ବୁଲା ଷଣ୍ଢ, ପାଗଳା ଲୋକ, ବୁଲା କୁକୁର, ଓ ଗୋରୁଗାଈଙ୍କ ଉତ୍ପାତ ଦିନକୁ ଦିନ ବୃଦ୍ଧି ପାଉଛି। ଏମାନଙ୍କ ଆକ୍ରମଣରେ କେତେକ ଆହତ ହୋଇଥିବା ପ୍ରଧାନ ଶିକ୍ଷୟିତ୍ରୀ ସୈଦାମିନୀ ମହାପାତ୍ର କହିଛନ୍ତି। ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ସ୍କୁଲ କରୁଛନ୍ତି। କିନ୍ତୁ ଏଠି ସ°ସ୍କୃତ ଶିକ୍ଷକ, ପିଇଟି, କିରାଣୀ ନାହାନ୍ତି କି ବିଜ୍ଞାନ ପରୀକ୍ଷାଗାର ନାହିଁ। ତେଣୁ ପିଲାମାନଙ୍କ ସୁରକ୍ଷା ପାଇଁ ପ୍ରଥମେ ପାଚେରୀ ଓ ଅନ୍ୟାନ୍ୟ ସୁବିଧା ଦେବା ପାଇଁ ପରିଚାଳନା କମିଟି ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe