image source-scbmch.nic.in
କଟକ: କଟକ ବଡ଼ ଡାକ୍ତରଖାନାକୁ ଏମ୍ସ ପ୍ଲସ୍ କରିବା ପାଇଁ ସରକାରଙ୍କ କସରତ ଚାଲିଛି। ହେଲେ, ଡାକ୍ତରଖାନାର ଭିତର ଅବସ୍ଥା କିଛି ଭିନ୍ନ କଥା କହୁଛି। ଦିଆଯାଇଥିବା ଫଟୋଟି ହେଉଛି କଟକ ବଡ଼ ଡାକ୍ତରଖାନା କାଜୁଆଲିଟି। ଯେଉଁଠି ହଟହଟା ହେଉଛନ୍ତି ରୋଗୀ। ଡାକ୍ତରଙ୍କ ପାଖକୁ ଯିବାକୁ ଲମ୍ବା ଲାଇନ୍। ଲାଇନ୍ରେ ଆସି ଡାକ୍ତରଙ୍କ ପାଖରେ ପହଞ୍ଚିଲାବେଳକୁ ରୋଗୀ ଅବସ୍ଥା ସଙ୍କଟାପନ୍ନ ହୋଇଯାଉଛି। ବେଡ୍ ନଥିବାରୁ ଚଟାଣରେ ଘଣ୍ଟା ଘଣ୍ଟା ଧରି ପଡ଼ି ରହୁଛନ୍ତି ଗୁରୁତର ରୋଗୀ। ଆଜି ଏସ୍ସିବି କାଜୁଆଲିଟିରେ ପୁଣି ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାଲାଇନ୍ ଟାଙ୍ଗିବାକୁ ସ୍ଥାନ ନଥିବାରୁ ସିଲିଂ ଫ୍ୟାନ୍ରେ ଲାଗିଛି ରୋଗୀଙ୍କ ସାଲାଇନ୍। ଏହା କେବଳ ଆଜିର ଘଟଣା ନୁହେଁଳ ଅନେକ ସମୟରେ ରୋଗୀଙ୍କ ସଂପର୍କୀୟ ସାଲାଇନ୍ ଧରି ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହୁଥିବା ଏଠାକାର ନିତିଦିନିଆ ଘଟଣା। ଏସ୍ସିବି ଏମ୍ସ ପ୍ଲସ୍ ହେବ ସେଥିପାଇଁ ଆହୁରି ୨ବର୍ଷ ବାକି ରହିଛି। କିନ୍ତୁ ତାରି ଭିତରେ ଯଦି ଭିତ୍ତିଭୂମିର ବିକାଶ କରା ନ ଯାଏ ତା’ହେଲେ ହନ୍ତସନ୍ତ ହେବେ ରୋଗୀ ଓ ସଂପର୍କୀୟ।
କେବଳ ସେତିକି ନୁହେଁ, ରକ୍ତ ପରୀକ୍ଷାଠାରୁ ଆରମ୍ଭ କରି ଅନ୍କଲ୍ରେ ଡାକ୍ତରଙ୍କୁ ଡକାଗଲେ ମଧ୍ୟ ବିଳମ୍ବ ହେଉଥିବାରୁ ଗୁରୁତର ରୋଗୀ ହନ୍ତସନ୍ତ ହେଉଛନ୍ତି। ଏସ୍ସିବି କାଜୁଆଟିଲିରେ ବିଭିନ୍ନ ସମୟରେ ଚିକିତ୍ସା ବ୍ୟବସ୍ଥାକୁ ନେଇ ଉତ୍ତେଜନା ଦେଖାଯାଉଥିବାବେଳେ ଆଜି ଫ୍ୟାନ୍ରେ ସାଲାଇନ ଝୁଲିବା ଘଟଣାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସ୍ସିବି ଏମ୍ସ ପ୍ଲସ୍ ହେବ, କିନ୍ତୁ ତା ପୂର୍ବରୁ ଯାହା ଅଛି ସେହି ବ୍ୟବସ୍ଥା ଭିତରେ ରୋଗୀ ଠିକ୍ ଭାବରେ ଚିକିତ୍ସା ପାଆନ୍ତୁ ବୋଲି ଅନେକ ସ୍ବେଚ୍ଛାସେବୀ ଦାବି କରିଛନ୍ତି। କେବଳ ସେତିକି ନୁହେଁ, ରିପୋର୍ଟ ନଆସିବା ପର୍ଯ୍ୟନ୍ତ ରୋଗୀଙ୍କୁ ୱାର୍ଡକୁ ପଠାଯାଉ ନାହିଁ। ଫଳରେ ରିପୋର୍ଟକୁ ଅପେକ୍ଷା କରି ରୋଗୀମାନେ ହନ୍ତସନ୍ତ ହେଉଛନ୍ତି। ତାରି ଭିତରେ ବି ଅନେକଙ୍କ ଜୀବନ ଚାଲିଯାଉଛି ଅଥବା ଅବସ୍ଥା ଗୁରୁତର ହୋଇଯାଉଛି। ନମ୍ବର ଅନୁସାରେ ଆସୁଛି ରିପୋର୍ଟ। ସେ ପର୍ଯ୍ୟନ୍ତ କେବଳ ସାଲାଇନ୍ ମିଳୁଛି। ଡାକ୍ତର ଯଦି ଅତି ଦରକାର ବୋଲି ଭାବୁଛନ୍ତି ତା’ହେଲେ କିଛି ଇଞ୍ଜେକସନ୍ ଦିଆଯାଉଛି। ତା’ ପୁଣି ସବୁ ରୋଗୀଙ୍କ ଭାଗ୍ୟରେ ଜୁଟୁନି। ଏଭଳି ରିପୋର୍ଟ ଅପେକ୍ଷାରେ ଏସ୍ସିବି କାଜୁଆଲିଟିକୁ ଆସୁଥିବା ଶତାଧିକ ରୋଗୀଙ୍କ ଜୀବନ।
Follow Us