ତଡ଼ିଦେଲା ଏସ୍‌ସିବି: ଷ୍ଟେସନ୍‌ରେ ଅସହାୟ ବାପ-ଝିଅ

Advertisment
ତଡ଼ିଦେଲା ଏସ୍‌ସିବି: ଷ୍ଟେସନ୍‌ରେ ଅସହାୟ ବାପ-ଝିଅ

Sambad

କଟକ: ଜଣେ ନାବାଳିକାକୁ ଚିକିତ୍ସା ଯୋଗାଇ ନପାରି ଏସ୍‌ସିବି ମେଡିକାଲ୍‌ରୁ ତଡ଼ି ଦିଆଯାଇଛି। ଅସୁସ୍ଥ ଝିଅକୁ ଧରି ଅସହାୟ ବାପା ତ୍ରିଲୋଚନ ଦାସ କଟକ ରେଳ ଷ୍ଟେସନ୍‌ରେ ବସିଥିବା ବେଳେ ଆର‌୍‌ପିଏଫ୍‌ ଅଧିକାରୀଙ୍କ ସହାୟତାକ୍ରମେ ବାଲେଶ୍ବର ହଳଦିପଡ଼ାସ୍ଥିତ ନିଜ ଘରକୁ ଫେରି ଯାଇଛନ୍ତି। ହେଲେ ଝିଅର ଚିକିତ୍ସା କେମିତି ହେବ ବୋଲି ତାଙ୍କ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି। ଝିଅର ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ତ୍ରିଲୋଚନ ଗୁହାରି କରିଛନ୍ତି। ତ୍ରିଲୋଚନଙ୍କ ସୂଚନା ଅନୁଯାୟୀ, ତାଙ୍କ ଝିଅକୁ ଦେଢ ବର୍ଷ ତଳେ ବାତ ମାରିବା ଭଳି ଲକ୍ଷଣ ଦେଖାଦେଇଥିଲା। ତେଣୁ ଝିଅର ଚିକିତ୍ସାପାଇଁ ବିଭିନ୍ନ ଡାକ୍ତରଙ୍କୁ ଦେଖାଇ ଔଷଧ ଖୁଆଇ ଥିଲେ। ହେଲେ ସୁଫଳ ମିଳି ନଥିଲା। ଚଳିତ ବର୍ଷ ଏପ୍ରିଲ ମାସରେ ଝିଅକୁ ଧରି ଭୁବନେଶ୍ବର ଏମ୍ସକୁ ଆସିଥିଲେ। ହେଲେ ଏଠାରେ ଡାକ୍ତରଙ୍କ ସହିତ ସାକ୍ଷାତ କରି ପାରିନଥିଲେ। ପରେ ଏସ୍‌ସିବି ମେଡିକାଲ୍‌କୁ ଆସି ଡାକ୍ତରଙ୍କ ପରାମର୍ଶକ୍ରମେ ଅଗଷ୍ଟ ୨୬ ତାରିଖରେ ଝିଅକୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ବିଭାଗୀୟ କନିଷ୍ଠ ଡାକ୍ତରମାନେ ତ୍ରିଲୋଚନ ଓ ତାଙ୍କ ଝିଅକୁ ସବୁପ୍ରକାର ସହାୟତା ଯୋଗାଇ ଦେଇଥିଲେ।

ଏମିତିକି ହାତରୁ ଖର୍ଚ୍ଚ କରି ରୋଗୀଙ୍କ ପାଇଁ ଔଷଧ ଓ ପରୀକ୍ଷା କରାଇବାକୁ ଡାକ୍ତରମାନେ ପଛାଉ ନଥିଲେ। କିନ୍ତୁ ଦେଢମାସ ଚିକିତ୍ସା ହେଲା ପରେ କୌଣସି ସୁଧାର ନଆସିବାରୁ ବିଭାଗୀୟ ବରିଷ୍ଠ ଡାକ୍ତର ଏଠାରେ ଆଉ ଚିକିତ୍ସା କରାଯାଇପାରିବନି ବୋଲି ଶୁଣାଇ ଥିଲେ। ଝିଅର ରୋଗ ନିରୂପଣ ଠିକ୍‌ରେ ହୋଇପାରୁ ନଥିବାରୁ ଝିଅ ଆଉ ଭଲ ହେବ ନାହିଁ, ବଞ୍ଚିବ ନାହିଁ, ବେଡ୍‌ ଖାଲି କର, ଏମିତି ଅନେକ ନକରାତ୍ମକ କଥା ତ୍ରିଲୋଚନଙ୍କୁ କୁହାଯାଇଥିଲାବେଳେ ଡିସ୍‌ଚାର୍ଜ କରିନେବାକୁ ଚାପ ପକାଯାଇଥିଲା। ଶେଷରେ ନିରୂପାୟ ହୋଇ ଝିଅକୁ ଡିସ୍‌ଚାର୍ଜ କରି ତ୍ରିଲୋଚନ ଘରକୁ ଯିବା ପାଇଁ ଅଟୋ ଯୋଗେ କଟକ ରେଳ ଷ୍ଟେସନ୍‌ ଚାଲି ଆସିଥିଲେ। କିନ୍ତୁ ପାଖରେ ଟଙ୍କା ନଥିବାରୁ ଟ୍ରେନ୍‌ରେ ଯାଇ ପାରୁନଥିଲେ। ତେବେ ଷ୍ଟେସନ୍‌ ବାରଣ୍ତାରେ ବାପ-ଝିଅ ଅସହାୟ ଅବସ୍ଥାରେ ପଡିଥିବା ସମୟରେ ଜଣେ ଆର‌୍‌ପିଏଫ୍‌ ଅଧିକାରୀ ଘଟଣା ବିଷୟରେ ଜାଣିପାରି ତ୍ରିଲୋଚନଙ୍କୁ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରାଇଥିଲେ। ଯଦି କେହି ବ୍ୟକ୍ତି ତାଙ୍କୁ ସହାୟତା କରିବାକୁ ଚାହାନ୍ତି ତେବେ ୯୭୭୮୭୮୭୩୦୭ ନମ୍ବରରେ ଯୋଗାଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ଆର୍ଥିକ ସହାୟତା ଅପେକ୍ଷା ମେଡିକାଲ୍‌ରେ ଚିକିତ୍ସା ବ୍ୟବସ୍ଥା କରାଇବାକୁ ସେ ଗୁହାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe