ଏସ୍‌ସିବି ଆଇସୋଲେସନ ୱାର୍ଡ଼ରେ ଦୁର୍ଦ୍ଦଶା : ମୃତ୍ୟୁର ୧୪ ଘଣ୍ଟା ପରେ ଉଠିଲା ସଙ୍ଗୀତ ନିର୍ଦେଶକଙ୍କ ଶବ

ପରିବାର ଲୋକ ଆକୁଳବିକଳ

ଏସ୍‌ସିବି ଆଇସୋଲେସନ ୱାର୍ଡ଼ରେ ଦୁର୍ଦ୍ଦଶା : ମୃତ୍ୟୁର ୧୪ ଘଣ୍ଟା ପରେ ଉଠିଲା ସଙ୍ଗୀତ ନିର୍ଦେଶକଙ୍କ ଶବ

କଟକ: ମୃତ୍ୟୁ ପରେ ସତ୍କାର ନ ହୋଇ ୧୪ ଘଣ୍ଟା ଏସସିବି ଆଇସୋ‌ଲେସନ ୱାର୍ଡରେ ପଡି ରହିଲା। ସକାଳ ୭ଟାରେ ମୃତ୍ୟୁ ହୋଇଥିବା ବେଳେ ରାତି ୯ଟାରେ ମୃତଦେହକୁ ନିଆଗଲା ସତ୍କାର ପାଇଁ। ଏଭଳି ସ୍ଥିତିରେ ମୃତକଙ୍କ ପରିବାର ଲୋକ ବିକଳ ଆକୁଳ ହୋଇ ବିଭିନ୍ନ ଲୋକଙ୍କୁ ସହାୟତା ମାଗିବା ଘଟଣା ପୁଣି ଥରେ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।

ବଡ଼ମ୍ବା ନରସିଂହପୁର ଅଞ୍ଚଳରେ କଳା ତୀର୍ଥ ଅନୁଷ୍ଠାନ ଦ୍ୱାରା ସଙ୍ଗୀତ ଭଜନ ପରିବେଷଣ କରୁଥିବା ଖ୍ୟାତନାମା ସଙ୍ଗୀତ ନିର୍ଦେଶକ ଅକ୍ଷୟ ନାୟକ(୪୮)ଙ୍କର ଆଜି ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିବାର ଲୋକ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ଦୀର୍ଘ ୧୫ ଦିନ ଧରି ଜୀବନ ସହ ସଂଗ୍ରାମ ପରେ ଆଜି ସକାଳେ କଟକ ବଡ଼ ଡ଼ାକ୍ତରଖାନାର କୋଭିଡ ଆଇସୋଲେସନ ୱାର୍ଡରେ ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ତାଙ୍କ ମୃତଦେହ ସତ୍କାର ପାଇଁ ସକାଳ ୭ରୁ ରାତି ୯ଟା ଯାଏ ପରିବାର ଓ ବନ୍ଧୁବର୍ଗ ଅପେକ୍ଷା କରି ରହିବା ଘଟଣା ତୀବ୍ର ପ୍ରତିକ୍ରିୟାର କାରଣ ହୋଇଥିଲା।

publive-image File Photo

ପରିବାର ଲୋକ ଏ ସଂପର୍କରେ ବିଭିନ୍ନ ଲୋକଙ୍କୁ ସୂଚନା ଦେବା ସହିତ ସହଯୋଗ ପାଇଁ ବିଭିନ୍ନ ଗଣମାଧ୍ୟମକୁ ବି ଅନୁରୋଧ କରିଥିଲେ। ଶେଷରେ ରାତି ୯ଟାରେ ତାଙ୍କ ମୃତଦେହକୁ ସିଏମସି ଆମ୍ବୁଲାନ୍ସରେ ଏସସିବି ଆଇସୋଲେସନ ୱାର୍ଡରୁ ସତୀଚୌରା ଶ୍ମଶାନକୁ ନିଆଯାଇଥିଲା। ପତ୍ନୀ , କନ୍ୟା, ପରିବାର ବର୍ଗ, ଭାଇ ଚନ୍ଦନ କୁମାର ନାୟକ, ବଡ଼ମ୍ବା କଳାକାର ସଂଘର ଉପ ସଭାପତି ବାବୁ ମହାନ୍ତି ପ୍ରମୁଖ ଏଥିପାଇଁ ଅପେକ୍ଷା କରି ରହିଥିଲେ।

ବିଳମ୍ବିତ ରାତିରେ ସେମାନେ ଶବ ସତ୍କାର କରି କେମିତି ଗାଁକୁ ଫେରିବେ ଏବଂ ସେପଟେ ଗାଁରେ ବି କୁଟୁମ୍ବ ଅପେକ୍ଷା କରି ରହିଛନ୍ତି ବୋଲି ଚନ୍ଦନ ଅଭିଯୋଗ କରିଥିଲେ। ଅନ୍ୟପଟେ ଏସ୍‌ସିବି ହସ୍ପିଟାଲର ବିଭିନ୍ନ ବିଭାଗର ଆଇସୋଲେସନ୍‌ ୱାର୍ଡରେ ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି।

ଏଥିପାଇଁ ମୃତ ଆକ୍ରାନ୍ତ କେଉଁ ସ୍ଥାନରେ ଅଛନ୍ତି ତାହା ଜାଣିବାକୁ ସିଏମସି କର୍ମଚାରୀଙ୍କୁ ଅଧିକ ସମୟ ଲାଗୁଥିବା ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଅକ୍ଷୟଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ମା ଭଟ୍ଟାରିକାଙ୍କ ଭଜନ କ୍ୟାସେଟ ପ୍ରସ୍ତୁତ କରି ସେ ଲୋକପ୍ରିୟତା ଅର୍ଜନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe