ଏସ୍‌ସିବି ନବକଳେବର କାର୍ଯ୍ୟ ମାନ୍ଦା: ଅଧିକ ମାନବସମ୍ବଳ ଓ ମେସିନ୍‌ ବିନିଯୋଗ ପାଇଁ ଦୁଇ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ

Advertisment

ରେଡ୍‌କ୍ରସ୍‌ କୋଠା ସ୍ଥାନାନ୍ତରରେ ଖର୍ଚ୍ଚ ହେବ ଦେଢ଼ କୋଟି, ବୋସ୍‌ ଗେଷ୍ଟହାଉସ୍‌ ପାଇଁ ଓଏମ୍‌ପି ଛକରେ ୭୫୮ ଡିସିମିଲ ଜମି ଚିହ୍ନଟ

ରେଡ୍‌କ୍ରସ୍‌ କୋଠା ସ୍ଥାନାନ୍ତରରେ ଖର୍ଚ୍ଚ ହେବ ଦେଢ଼ କୋଟି, ବୋସ୍‌ ଗେଷ୍ଟହାଉସ୍‌ ପାଇଁ ଓଏମ୍‌ପି ଛକରେ ୭୫୮ ଡିସିମିଲ ଜମି ଚିହ୍ନଟ

ଏସ୍‌ସିବି ନବକଳେବର କାର୍ଯ୍ୟ ମାନ୍ଦା: ଅଧିକ ମାନବସମ୍ବଳ ଓ ମେସିନ୍‌ ବିନିଯୋଗ ପାଇଁ ଦୁଇ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ

Sambad

କଟକ: କେନ୍ଦ୍ରୀୟ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସିଡିଏ ଅଧ୍ୟକ୍ଷ ତଥା ଏସ୍‌ସିବି ପ୍ରକଳ୍ପ ରୂପାୟନ କମିଟିର ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ଚିକିତ୍ସାଳୟର ପୁନଃବିକାଶ ଓ ସମ୍ପ୍ରସାରଣ କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏସ୍‌ସିବି ସଂପ୍ରସାରଣ କାର୍ଯ୍ୟ ୨୦୨୪ ଜାନୁଆରି ସୁଦ୍ଧା ସାରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ତେଣୁ ଉଭୟ ନିର୍ମାଣକାରୀ ସଂସ୍ଥା ଏଲ୍‌ଏଣ୍ଡଟି ଓ ନାଗାର୍ଜୁନ କନ୍‌ଷ୍ଟ୍ରକସନ୍‌କୁ ଅଧିକ ମାନବସମ୍ବଳ ଓ ମେସିନ୍‌ ବ୍ୟବହାର କରି ନିର୍ମାଣ କାର୍ଯ୍ୟକୁ ତ୍ବରିତ କରିବାକୁ ଏସ୍‌ସିବି ପ୍ରକଳ୍ପ ରୂପାୟନ କମିଟିର ଅଧ୍ୟକ୍ଷ ଅନିଲ କୁମାର ସାମଲ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକ ପ୍ରାରମ୍ଭରେ ଓଡିଶା ବ୍ରିଜ ନିର୍ମାଣ ନିଗମ(ଓବିସିସି)ର ସର୍ବୋଚ୍ଚ ଯନ୍ତ୍ରୀ ତଥା ପରିଚାଳନା ନିର୍ଦ୍ଦେଶକ ଇଂ ଜୟକୃଷ୍ଣ ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସିଡିଏ ଅଧ୍ୟକ୍ଷ ଶ୍ରୀ ସାମଲ ଜିଲ୍ଲା ପ୍ରଶାସନର ଜମି ଅଧିଗ୍ରହଣ ସମ୍ପର୍କରେ ସମୀକ୍ଷା କରିଥିଲେ। ରେଡ୍‌କ୍ରସ୍ କୋଠା ସ୍ଥାନାନ୍ତନ୍ତରଣ ନିମନ୍ତେ ୧ କୋଟି ଟଙ୍କା କଟକ ରାସ୍ତା ଓ ଗୃହ ଡିଭିଜନ-୧ ରେ ପୈଠ କରାଯାଇଛି ଏବଂ ଏହି କାର୍ଯ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷ ଆରମ୍ଭ କରିଛନ୍ତି। ଏଥିପାଇଁ ସମୁଦାୟ ୧ କୋଟି ୫୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆକଳନ କରାଯାଇଛି। ସେହିପରି ବୋସ ଗେଷ୍ଟହାଉସ ନିମନ୍ତେ ଓବିସିସି ଓଏମ୍‌ପି ଛକରେ ୭୫୮ ଡିସିମିଲ ଜମି ଚିହ୍ନଟକରଣ କରିବା ସହ ଗୃହ ନକ୍ସା ଚୁଡାନ୍ତ କରିଛି ଏବଂ ଜୁଲାଇ ପ୍ରଥମ ସପ୍ତାହରେ ଏଥିପାଇଁ ଟେଣ୍ଡର ଆହ୍ବାନ କରାଯିବ। ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ନିକଟ ବ୍ଲଡ୍‌ ବ୍ୟାଙ୍କ କଲୋନି ବାସଗୃହଗୁଡିକୁ ଭାଙ୍ଗିବା ନିମନ୍ତେ ଆଲୋଚନା କରାଯାଇଥିଲା। ଓଡିଶା ବିହନ ନିଗମର କୋଠା ଓ ଓଡିଶା ରାଜ୍ୟ ଚମଡ଼ା ନିଗମ କୋଠା ସ୍ଥା‌ନାନ୍ତରଣ ଓ ଭଙ୍ଗା କାର୍ଯ୍ୟ ଜାରି ରହିଥିବା ସମୀକ୍ଷାରୁ ଜଣାପଡିଛି। ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ସମସ୍ତ ଜମିଜମା ବାବଦ ମାମଲା ଶୀଘ୍ର ଫୈସଲା କରିବାକୁ ଅଧ୍ୟକ୍ଷ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ।

ଏସ୍.ଆର.ସି କୋଠା ସ୍ଥାନାନ୍ତରଣ ଏବଂ ବାରଙ୍ଗ ଓଡିଶା ରାଜ୍ୟ ବେସାମରିକ ଯୋଗାଣ ନିଗମ ଗୋଦାମ ଘର ମରାମତିର କାର୍ଯ୍ୟକୁ ଶୀଘ୍ର ସମାପ୍ତ କରି ରାଜ୍ୟ ପୋର୍ଟ ଇଂଜିନିୟରିଂ କାର୍ଯ୍ୟାଳୟକୁ ସେଠାକୁ ସ୍ଥାନାନ୍ତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାଠଯୋଡି ପାଣି ପାଇପ୍ ଲାଇନ୍ ପୁନଃ ନିର୍ମାଣ ଓ ବଦଳା କାର୍ଯ୍ୟ ଶତକଡା ୯୮ ଭାଗ ଶେଷ କରାଯାଇଥିବା ସମୀକ୍ଷାରୁ ଜଣାପଡିଛି। କଟକ ମହାନଗର ନିଗମ ଅକ୍ଟୋବର ୧୧ , ୨୦୨୧ରେ ଏହି ମାଷ୍ଟର ପ୍ଲାନ୍ ଅନୁମୋଦନ କରିଛି। ୨୦୨୨, ଜାନୁଆରି ୧୭ରେ ଏହି ପ୍ରକଳ୍ପ ନିମନ୍ତେ ପରିବେଶ ଅନୁମୋଦନ ଲାଭ କରିଛି। ପ୍ରଥମ ପର୍ଯ୍ୟାୟରେ କ୍ଲିନିକାଲ୍ ବୁକ୍‌ରେ ୪ଟି ଟାୱାରରେ ୨୦୫୮ଟି ବେଡ୍‌ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୪୪ଟି ଡାକ୍ତରଙ୍କ ବାସଗୃହ ଓ ୫୨୮ଟି ନର୍ସମାନଙ୍କ ବାସଗୃହ ଏବଂ ୧୩ଟି ଟାୱାରରେ ୨୨୪୪ଟି କକ୍ଷ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ୩୦ ମାସ ଏବଂ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ୨୪ ମାସରେ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ୪୫.୫ ଏକର ଜାଗା ଏବଂ ୩.୧୯ ଲକ୍ଷ ବର୍ଗମିଟର ନିର୍ମାଣ କାର୍ଯ୍ୟକୁ ଏଲଏଣ୍ଡଟି ୨୬୩୬.୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିବ। ସେହିପରି ଏନସିସି କମ୍ପାନୀ ୮୮୮.୫୦ କୋଟି ଟଙ୍କା ବ୍ୟୟରେ ୧୩ଟି ଟାୱାର ମହାନଦୀ, କାଠଯୋଡି ଓ ବିରୂପା ରେସିଡେନ୍ସି ଏବଂ ଡିଏଭି ସ୍କୁଲର ଗୋଟିଏ କୋଠା ନିର୍ମାଣ କରିବ। ଏହି ସମୀକ୍ଷା ବୈଠକରେ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପୂର୍ତ୍ତବିଭାଗ ସ୍ବତନ୍ତ୍ର ସଚିବ ହେମନ୍ତ କୁମାର ପାଢୀ, ଏସ୍‌ସିବି ମେଡିକାଲ କଲେଜର ସମସ୍ତ କର୍ତ୍ତୃପକ୍ଷ , ଡିଏମ୍‌ଇଟି, ସମ୍ପୃକ୍ତ ବିଭାଗଗୁଡିକର ବରିଷ୍ଠ ଅଧିକାରୀ, ସଂପୃକ୍ତି କମ୍ପାନିର ବରିଷ୍ଠ ଇଂଜିନିୟର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe