ବିପଦସଙ୍କୁଳ ଅବସ୍ଥାରେ ପାଠପଢ଼ା, ୩୫ ବର୍ଷର କହ୍ନେଇପୁର ଭଦିମୂଳ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ

ଦୁଇଟି ଘର, ୩ ଶିକ୍ଷୟିତ୍ରୀ; ୫ଟି ଶ୍ରେଣୀ

ବିପଦସଙ୍କୁଳ ଅବସ୍ଥାରେ ପାଠପଢ଼ା, ୩୫ ବର୍ଷର କହ୍ନେଇପୁର ଭଦିମୂଳ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ

Sambad

କଟକ-ବିଦ୍ୟାଧରପୁର: କଟକ ପୌର ନିଗମ ୫୫ ନମ୍ବର ୱାର୍ଡ ଅନ୍ତର୍ଗତ କହ୍ନେଇପୁର ଭଦିମୂଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୧୯୮୮, ଫେବ୍ରୁଆରି ୧୨ ତାରିଖରେ ତତ୍‌କାଳୀନ ନଗର ଉନ୍ନୟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ବଟକୃଷ୍ଣ ଜେନା ଉଦ୍‌ଘାଟନ କରିଥିଲେ। ଏଠାରେ ପ୍ରଥମରୁ ୫ମ ଶ୍ରେଣୀ ଯାଏଁ ପାଠ ପଢ଼ୁଛନ୍ତି ପିଲାମାନେ। ସେତେବେଳେ ୪ଟି ଶ୍ରେଣୀ ଗୃହ ନିର୍ମାଣ ହୋଇଥିଲା। ଏହି ସ୍କୁଲରେ କହ୍ନେଇପୁର ଭଦିମୂଳ  ଓ ଦେବେନ୍ଦ୍ର ନଗର ପିଲାମାନେ ପାଠ ପଢ଼ୁଛନ୍ତି। ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ ସ୍କୁଲ କରୁଥିବା ବେଳେ ଦୀପ ତଳ ଅନ୍ଧାର ପରି ଏହି ସ୍କୁଲର ଉନ୍ନତିକରଣ ଦିଗରେ କୌଣସି କାର୍ଯ୍ୟ କରି ନାହାନ୍ତି। ପ୍ରଥମରୁ ଯେଉଁ ଦୁଇଟି ଗୃହ ନିର୍ମାଣ ହୋଇଥିଲା ରକ୍ଷଣାବେକ୍ଷଣ ଅଭାବରୁ ଛାତ ଓ ବାରଣ୍ଡାରୁ କଂକ୍ରିଟ ଛାତି ତଳେ ପଡୁଛି। ଛାତରୁ ରଡ୍ ବାହାରି ବିପଜ୍ଜନକ ଅବସ୍ଥାରେ ଝୁଲି ରହିଛି। ପିଲାମାନେ ମଧାନ୍ନ ଭୋଜନ କରୁଥିବା ବେଳେ ନିକଟରେ ବାରଣ୍ଡା ଛାତରୁ କଂକ୍ରିଟ ଖଣ୍ଡ ଖସି ପଡ଼ିଥିଲା। ସୌଭାଗ୍ୟକ୍ରମେ ସେଥିରେ କାହାର କ୍ଷତି ହୋଇ ନଥିଲା।

ଦୁଇଟି ଗୃହ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ଅନ୍ୟ ଦୁଇଟି ଘରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାମାନେ ପାଠ ପଢ଼ୁଛନ୍ତି। ଗୋଟିଏ ଘରେ ୨ୟ ଓ ଚତୁର୍ଥ ଦ୍ବିତୀୟ ଘରେ ପ୍ରଥମ, ତୃତୀୟ ଓ ପଞ୍ଚମ ପିଲା ପଢୁଛନ୍ତି। ସମୁଦାୟ ୬୨ ପିଲାଙ୍କୁ ତିନି ଶିକ୍ଷୟିତ୍ରୀ ପାଠ ପଢାନ୍ତି। ପରିଚାଳନା କମିଟି ସଭାପତି ଶରତ‌ ପଣ୍ଡା କହିଛନ୍ତି ଯେ, ଦୁଇଟି ଘରେ ୫ଟା ଶ୍ରେଣୀ ଚାଲିଛି। ଯେଉଁ ଦିନ ଯଦି କୌଣସି କାରଣରୁ ଜଣେ/ ଦୁଇ ଜଣ ଶିକ୍ଷୟିତ୍ରୀ ଛୁଟି ନିଅନ୍ତି, ତେବେ ପାଠପଢା ବନ୍ଦ। ସମାଜସେବୀ ରଶ୍ମୀ ମିଶ୍ର  କହିଛନ୍ତି ଯେ, ଏଠାରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ଯୋଗୁଁ ଅଧିକାଂଶ ପିଲା ସିଆରଆର୍‌ଆଇ ସ୍କୁଲକୁ ତିନି କିଲୋମିଟର ଦୂରକୁ ଯାଉଛନ୍ତି। ଏଠି ମାତ୍ର ୨୭ ଜଣ ପିଲା ଥିଲେ। ଲକ୍ଷ୍ମୀପ୍ରିୟା ରାଉତ ଆସିବା ପରେ ଘରକୁ ଘର ବୁଲି ପିତାମାତାଙ୍କୁ ବୁଝାଇ ବର୍ତ୍ତମାନ ୬୨ ପିଲା ପଢୁଛନ୍ତି। ପ୍ରଥମ ଥର ପାଇଁ ପିଲାମାନଙ୍କୁ ନେଇ ଖେଳ ପ୍ରତିଯୋଗିତା ଓ ନାଚଗୀତ ଶିଖାଯାଉଛି। ସରକାର ସ୍କୁଲକୁ ସ୍ବତନ୍ତ୍ର ଦୃଷ୍ଟି ଦେଲେ ସ୍କୁଲର ବିକାଶ ସହିତ ଅଞ୍ଚଳର ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ। କହ୍ନେଇପୁର ପୂଜା କମିଟି କୋଷାଧ୍ୟକ୍ଷ ବିରଜା ମିଶ୍ର କହିଛନ୍ତି ଯେ ସ୍କୁଲର ଉନ୍ନତି କରଣ ପାଇଁ ଗ୍ରାମ ପୂଜା କମିଟି ଓ ସାହିବାସିନ୍ଦାଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ରାଜସ୍ବ କମିଶନରଙ୍କୁ ଦିଆଯାଇଛି। କିନ୍ତୁ କୈାଣସି ସୁଫଳ ମିଳିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe