ସ୍କୁଲ୍‌ ଛାତ ଉପରୁ ବର୍ଷାଜଳ ସଂରକ୍ଷଣ ଯୋଜନା; କୋଟି କୋଟି ଟଙ୍କା ବରବାଦ୍‌, ଫଳ ଶୂନ୍‌

Advertisment
ସ୍କୁଲ୍‌ ଛାତ ଉପରୁ ବର୍ଷାଜଳ ସଂରକ୍ଷଣ ଯୋଜନା; କୋଟି କୋଟି ଟଙ୍କା ବରବାଦ୍‌, ଫଳ ଶୂନ୍‌

Sambad

କଟକ: ବର୍ଷାଦିନେ ସ୍କୁଲ ଛାତ ଉପରୁ ଜଳ ସଂରକ୍ଷଣ ପାଇଁ ଯୋଜନା କଲେ ସରକାର। ଏହି ଯୋଜନା ପ୍ରତି ସ୍କୁଲରେ ଆରମ୍ଭ ହେଲା। ସ୍କୁଲ ଛାତ ଉପରେ ବର୍ଷାଦିନେ ତଳକୁ ଗଡ଼ୁଥିବା ଜଳ ଛାତକୋଣରେ ତଳେ ଥୁଆ ହୋଇଥିବା ସିମେଣ୍ଟ କୁଣ୍ଡରେ ସଂରକ୍ଷଣ ହେବ। ସେଥିରୁ ପାଣି ଯିବା ପାଇଁ ଅନ୍ୟ ଏକ କୁଣ୍ଡ ରହିବ। ଏହି କୁଣ୍ଡରେ ଅଳିଆ ଆବର୍ଜନା ପଡ଼ିବ। ଉକ୍ତ ଆବର୍ଜନା ସଢ଼ି ଖତ ହେଲେ ବଗିଚାରେ ଗଛମୂଳରେ ଦିଆଯିବ। ଏକ ଉଦ୍ଭଟ ଚିନ୍ତାକୁ ଫଳପ୍ରଦ କରିବାର ଏହା ସରକାରଙ୍କ ସରକାରଙ୍କର ବିଫଳ ଯୋଜନା ବୋଲି ପ୍ରମାଣିତ ହେଉଥିବା ଦେଖାଯାଇଛି। ସିଆର୍‌ଆର୍‌ଆଇ ହାଇସ୍କୁଲରେ ଏଭଳି ଏକ ପ୍ରକଳ୍ପକୁ ଦେଖିଲେ ଏହି ଯୋଜନା କାହିଁକି କରାଯାଇଛି, ଏଥିରେ କାହାର ସ୍ବାର୍ଥ ସାଧନ ହେଉଛି ଓ କିଏ ଏଭଳି ଯୋଜନାକୁ ସୁପାରିସ କରିଛି, ତାକୁ ନେଇ ପ୍ରଶ୍ନ ଉଠିଲାଣି।
କୋଠାଘର ଛାତ ସମତଳ। ବର୍ଷାଦିନେ ସମଳତ ଛାତରୁ ପାଣି ଗଡ଼ିବା ପାଇଁ ବିଭିନ୍ନ ଦିଗରେ ଗଡାଣିଆ କରାଯାଇଥାଏ।

ହେଲେ, ସରକାରଙ୍କ ଜଳ ସଂରକ୍ଷଣ ଯୋଜନାରେ ଛାତର ଶେଷ ଭାଗରେ ଠିକ୍ କୋଣମୁଣ୍ଡ ତଳେ ସିମେଣ୍ଟ କୁଣ୍ଡ ରଖାଯାଇଛି। ବର୍ଷାପାଣି ଛାତ ଉପରୁ ସବୁଦିଗକୁ ଗଡ଼ୁଥିବା ବେଳେ କେବଳ କୋଣରେ କେତେ ପଡ଼ିବ? ଏ ସଂକ୍ରାନ୍ତରେ ସିଆର୍‌ଆର୍‌ଆଇ ହାଇସ୍କୁଲର ସହକାରୀ ଶିକ୍ଷକ ଅଭୟ କୁମାର ସୁବୁଦ୍ଧି କହିଛନ୍ତି ଯେ, ଆମ ସ୍କୁଲରେ ଛାତ ଉତ୍ତରକୁ ଗଡାଣିଆ ହୋଇଛି। ଛାତର ପାଣି ଛାତର ସେହି ଦିଗକୁ ତଳକୁ ଗଡ଼ିବ। କେବଳ କୋଣରେ କେତେ ଗଡ଼ିବ ଯେ ସଂରକ୍ଷଣ ହେବ? ଏହି ଯୋଜନା ପ୍ରସ୍ତୁତ କଲା ପୂର୍ବରୁ ଯଦି ଛାତ ଗ୍ରିଡିଙ୍ଗ୍ ହୋଇ କୋଣବାଟେ ପାଣି ଗଡ଼ିବାକୁ ସୁବିଧା କରାଯାଆନ୍ତା ତେବେ ପାଣି ସିମେଣ୍ଟ କୁଣ୍ଡରେ ସଂରକ୍ଷଣ ହୁଅନ୍ତା। କେତେ ପାଣି ସଂରକ୍ଷଣ ହୋଇଛି ଓ ଏଥିପାଇଁ କେତେକ କ୍ଷେତ ପ୍ରସ୍ତୁତ ହୋଇଛି ବୋଲି ପଚାରିବାରୁ ସେ କହିଥିଲେ, କୋଣବାଟେ କେତେ ପାଣି ଆସିବ ଯେ, ସଂରକ୍ଷଣ ହେବ? ତା’ଛଡ଼ା, ସ୍କୁଲରେ ଆବର୍ଜନା କୁଆଡୁ ଆସିବ? କିଛି ଛିଣ୍ଡା କାଗଜ କୁଣ୍ଡରେ ପକାଇଲେ କେତେ ଖତ ବା ହେବ। ଘର ଓଳାଇଲେ ଅଳ୍ପ କିଛି ଧୂଳି ବାହାରୁଛି, ସେଥିରୁ କ’ଣ ଖତ ହେବ? ସରକାରଙ୍କ ଏହି ଯୋଜନାରେ ୯ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସେ କହିଛନ୍ତି। ଏ ସଂକ୍ରାନ୍ତରେ କଟକ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଲେ, ୫୦୭ ସରକାରୀ ହାଇସ୍କୁଲ ସହିତ ଅନୁଦାନପ୍ରାପ୍ତ ସ୍କୁଲ ମିଶି ୨୫୨୭ ସ୍କୁଲ ରହିଛି। ସହରରେ ପ୍ରାୟ ସବୁ ହାଇସ୍କୁଲରେ ଏହି ଯୋଜନା ହୋଇଥିବା ଖବର ପାଇଛି। ଏ ବିଷୟରେ ମୁଁ  ଅଜ୍ଞ ଅଛି, ପରେ ସବୁ ବୁଝି କହିବି ବୋଲି ସେ କହିଥିଲେ। କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଯୋଜନାରେ କିଏ କେତେ ସୁଫଳ ପାଇଛନ୍ତି ତାହା ସରକାର ସାର୍ବଜନୀନ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe