କଟକରେ ରାଜ୍ୟର ଦ୍ବିତୀୟ ଟ୍ରାଏଲ୍ ଆଣ୍ଡ ମନିଟରିଂ ୟୁନିଟ୍: ତାଲିକାରେ ୧୫ କୁଖ୍ୟାତ ଅପରାଧୀଙ୍କ ମାମଲା; ଧଳସାମନ୍ତ ୩୫, ଟିଟୋ ୫, ସକିଲ୍‌ ୧୦

କଟକରେ ରାଜ୍ୟର ଦ୍ବିତୀୟ ଟ୍ରାଏଲ୍ ଆଣ୍ଡ ମନିଟରିଂ ୟୁନିଟ୍: ତାଲିକାରେ ୧୫ କୁଖ୍ୟାତ ଅପରାଧୀଙ୍କ ମାମଲା; ଧଳସାମନ୍ତ ୩୫, ଟିଟୋ ୫, ସକିଲ୍‌ ୧୦

Sambad

କଟକ: କଟକ କମିସନରେଟ୍ ପୁଲିସରେ ଆରମ୍ଭ ହୋଇଛି ରାଜ୍ୟର ଦ୍ବିତୀୟ ଟ୍ରାଏଲ୍ ମନିଟରିଂ ୟୁନିଟ୍। ଜଘନ୍ୟ ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତ, ଗ୍ୟାଙ୍ଗଷ୍ଟର, ପେଶାଦାର ଅପରାଧୀ ଯେଭଳି କୋର୍ଟରୁ ନିର୍ଦ୍ଦୋଷରେ ଖଲାସ୍ ହେବେ ନାହିଁ, ସେଥିପାଇଁ କ୍ରାଇମବ୍ରାଞ୍ଚ ପରେ କଟକ କମିସନରେଟରେ ଟ୍ରାଏଲ୍ ଆଣ୍ଡ ମନିଟରିଂ ୟୁନିଟ୍ ଆରମ୍ଭ ହୋଇଛି। କୋର୍ଟରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି କରିବା ପାଇଁ ଏ ପ୍ରକାର ୟୁନିଟ୍ କାର୍ଯ୍ୟକ୍ଷମ ହୋଇଥିବା କୁହାଯାଇଛି। କଟକ କମିସନରେଟ୍ ପୁଲିସର ଏହି ଟ୍ରାଏଲ୍ ଆଣ୍ଡ ମନିଟରିଂ ୟୁନିଟରେ ଜଣେ ଇନସ୍ପେକ୍ଟର ଓ ଦୁଇ ଜଣ କନଷ୍ଟେବଳଙ୍କୁ ପ୍ରାରମ୍ଭିକ ଭାବେ ନିଯୁକ୍ତ କରାଯାଇଛି। ଏହି ୟୁନିଟ କଟକ ସହରରେ ଗ୍ୟାଙ୍ଗଷ୍ଟର, ଗ୍ୟାଙ୍ଗଷ୍ଟର ସହଯୋଗୀ, ବିଭିନ୍ନ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ, ନାବାଳିକାଙ୍କୁ ଦୁଷ୍କର୍ମରେ ସମ୍ପୃକ୍ତ ଅଭିଯୁକ୍ତ, ଅର୍ଥନୈତକ ଅପରାଧରେ ସମ୍ପୃକ୍ତ ଅଭିଯୁକ୍ତ ଏବଂ ପୁଲିସ ଏନକାଉଣ୍ଟର ଶିକାର ହୋଇଥିବା ଅଭିଯୁକ୍ତଙ୍କ ମାମଲାର ସ୍ବତନ୍ତ୍ର ଭାବେ ଅନୁଧ୍ୟାନ କରିବ। ବର୍ତ୍ତମାନ ମୋଟ ୨୦୦ ସଂଗିନ ଅପରାଧୀକ ମାମଲାରେ ତଦାରଖ କରୁଛି ଏହି ୟୁନିଟ। ଏଥିରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶିଲ ଧଳସାମନ୍ତ ଗ୍ୟାଙ୍ଗର ୩୫ଟି ମାମଲା ଥିବା ବେଳେ ମହମ୍ମଦ ସକିଲର ୧୦ଟି, ଟିଟୋର ୫ଟି ମାମଲା ରହିଛି। ସେହିପରି ଅଖନା, କୁନ, ଭଜନା, ସନ୍ତୋଷ ମହାନ୍ତି, ରାଜା ବସ୍ତିଆ, ଗୁରୁଆ, ପୂର୍ଣ୍ଣ ସ୍ବାଇଁ ଭଳି ଅପରାଧୀଙ୍କ ମାମଲାର ଅନୁଧ୍ୟାନ କରାଯାଉଛି। ମୋଟ ୧୫ ଜଣ ଅପରାଧୀଙ୍କ ନାମରେ ଏହି ୨ଶହ ମାମଲା ରହିଛି। ମାମଲା ଭିତରେ ରହିଛି ୧୦ଟି ହତ୍ୟାକାଣ୍ଡ, ୨୨ଟି ଏନକାଉଣ୍ଟର। ଏହି ମାମଲାଗୁଡ଼ିକରେ ଅଭିଯୁକ୍ତ ଗିରଫ ହୋଇ ଏବେ ଜେଲରେ ଥିବା ବେଳେ ସେମାନଙ୍କ ମାମଲାର ଶୁଣାଣି ପ୍ରକ୍ରିୟା କୋର୍ଟରେ ଆରମ୍ଭ ହୋଇଯାଇଛି। ତେବେ କୋର୍ଟରେ ମାମଲା ସହିତ ଜଡ଼ିତ ସାକ୍ଷୀ ଯେଭଳି ନିର୍ଭୟରେ ଏବଂ ଠିକ୍ ସମୟରେ କୋର୍ଟରେ ନିଜର ପକ୍ଷ ରଖିବେ, ସେ ନେଇ ଏହି ସେଲ୍ ସମସ୍ତ ଦାୟିତ୍ବ ନେଇଛି।

ଯେଉଁ ସାକ୍ଷୀଙ୍କୁ ପ୍ରଭାବିତ କରାଯାଉଛି କିମ୍ବା ଧମକ ଦିଆଯାଉଛି, ସେମାନଙ୍କୁ ଏହି ୟୁନିଟ୍ ମାଧ୍ୟମରେ ପୁଲିସ ସୁରକ୍ଷା ଯୋଗାଇ ଦିଆଯିବ। ଧାର୍ଯ୍ୟ ତାରିଖରେ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଯିବ। କୋର୍ଟରେ ମାମଲାର ପ୍ରାଥମିକ ଚାର୍ଜସିଟ୍ ଏବଂ ଚୂଡ଼ାନ୍ତ ଚାର୍ଜସିଟ୍‌ ଯେଭଳି ଧାର୍ଯ୍ୟ ସମୟ ମଧ୍ୟରେ ଦାଖଲ କରାଯିବ ଏବ˚ କୌଣସି ପରିସ୍ଥିତିରେ ଯେଭଳି ବିଳମ୍ବ ନହେବ, ସେ ନେଇ ୟୁନିଟର୍ ଅଧିକାରୀ ନଜର ରଖିବେ। ଉପରୋକ୍ତ ସଂଗିନ ମାମଲାରେ କୋର୍ଟରେ ଯେଭଳି ମାମଲା ସହିତ ଜଡ଼ିତ ପ୍ରମାଣ ବୈଜ୍ଞାନିକ ପଦ୍ଧତି ସଂଗ୍ରହ ହୋଇ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରୀ ରିପୋର୍ଟ ସହିତ ଧାର୍ଯ୍ୟ ସମୟରେ କୋର୍ଟରେ ଦାଖଲ କରାଯିବ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ। କ୍ରାଇମବ୍ରାଞ୍ଚରେ ପୂର୍ବରୁ ଏହି ସେଲ୍ କାର୍ଯ୍ୟ କରୁଥିବାରୁ କ୍ରାଇମବ୍ରାଞ୍ଚ ଗିରଫ କରୁଥିବା ଅଭିଯୁକ୍ତଙ୍କ କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର କୋର୍ଟରେ ସର୍ବାଧିକ ରହିଛି। ରାଜ୍ୟରେ ଅନ୍ୟ କୌଣସି ପୁଲିସ ଜିଲ୍ଲାରେ ଏ ପ୍ରକାର ବ୍ୟବସ୍ଥା ନଥିବାରୁ ଏବଂ ମାମଲାଗୁଡ଼ିକରେ ପୁଲିସ ଗିରଫ କରି କୋର୍ଟ ଚାଲାଣ ପରେ କୋର୍ଟରେ ମାମଲାର ପରିଚାଳନା କ୍ଷେତ୍ରରେ ସେଭଳି ଧ୍ୟାନ ଦିଆଯାଉନଥିବାରୁ ଦୋଷୀ ସାବ୍ୟସ୍ତ ହାର କମ ରହୁଛି। କୋର୍ଟରେ ମାମଲାର ଶୁଣାଣି ସମୟରେ ସାକ୍ଷୀ ଧାର୍ଯ୍ୟ ସମୟରେ ନପହଞ୍ଚିବା ଏବଂ ପୁଲିସ ସୁରକ୍ଷା ଯୋଗାଉ ନଥିବାରୁ ସାକ୍ଷୀ କୋର୍ଟରେ ବୟାନ ବଦଳାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe