କଟକ: ନିଜକୁ ଅଧ୍ୟାତ୍ମିକ ଗୁରୁ ବୋଲି ପରିଚୟ ଦେଇ ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ନିକଟରୁ ୩ରୁ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଗିରଫ ସମ୍ବିତ ରାୟଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ତାଙ୍କୁ ଜାମିନରେ ଛାଡ଼ିବେ।

Advertisment

ଦେଶ ଛାଡ଼ି ବାହାରକୁ ଯାଇ ପାରିବେନି

ଜାମିନରେ ଛାଡ଼ ପାଇବା ପରେ ସେ ତଦନ୍ତରେ ସହଯୋଗ କରିବେ, ନିଜ ଠିକଣା ଓ ଫୋନ ନମ୍ବର ସଂପର୍କିତ ତଥ୍ୟ ନିମ୍ନ ଅଦାଲତରେ ଓ ତଦନ୍ତକାରୀ ଏଜେନ୍ସି ନିକଟରେ ଦାଖଲ କରିବେ, ପାସପୋର୍ଟ ଜମା କରିବେ, ଅଦାଲତଙ୍କ ବିନା ଅନୁମତିରେ ଦେଶ ଛାଡ଼ି ବାହାରକୁ ଯାଇ ପାରିବେ ନାହିଁ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଯଦି କୌଣସି ସର୍ତ୍ତ ଆବେଦନକାରୀ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ଜାମିନ ବାତିଲ ହେବ ବୋଲି ହାଇାକାର୍ଟ କହଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ବିତ ରାୟଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। 

ଆହୁରି ପଢ଼ନ୍ତୁ: High Court Judgement: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଅଜା-ଆଈଙ୍କୁ ଶିଶୁର ଜିମା

ଧ୍ୟାନ ଓ କୀର୍ତ୍ତନ କରିବାକୁ ଡାକିଥିଲେ

ମାମଲାର ବିବରଣୀରୁ ପ୍ରକାଶ ଯେ ମେ ୨୩ରେ ବିଜୟ ‌ଖଣ୍ଡେଲୱାଲ ମର୍କତନଗର ଥାନାରେ ସମ୍ବିତଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୨ରେ ସେ ସମ୍ବିତଙ୍କୁ ଭେଟିଥିବା ବେଳେ ସେ ନିଜକୁ ଜଣେ ଅଧ୍ୟାତ୍ମିକ ଗୁରୁ ଭାବେ ପରିଚିତ କରାଇଥିଲେ। କିଛି ଦିନ ପରେ ସମ୍ବିତ ତାଙ୍କୁ ସିଡିଏସ୍ଥିତ ଘରକୁ ଧ୍ୟାନ ଓ କୀର୍ତ୍ତନ କରିବାକୁ ଡାକିଥିଲେ। ଏତଲାକାରୀଙ୍କ କାର୍ଯ୍ୟାଳୟକୁ ମଧ୍ୟ ସମ୍ବିତ ଯା ଆସ କରିଥିଲେ। କିଛି ଦିନ ପରେ ଏତଲାକାରୀ ଜାଣିବାକୁ ପାଇଥିଲେ ଯେ ତାଙ୍କ ଠାରୁ ସମ୍ବିତ ୩ରୁ ୪ କୋଟି ଟଙ୍କା ଠକି ନେଇଛନ୍ତି। ଏଥି ସହିତ ତାଙ୍କ ଭୂ-ସଂସତ୍ତିର କେତେକ ନଥିପତ୍ର ମଧ୍ୟ ସମ୍ବିତ ପାଖରେ ରଖିଛନ୍ତି। ସମ୍ବିତ ଏତଲାକାରୀଙ୍କୁ ଘରେ ଅଟକ ରଖିଥିବା ବେଳେ ପରିବାର ସଦସ୍ୟ ଯାଇ ତାଙ୍କୁ ଉଦ୍ଧାର କରିଥିଲେ।

ବିନା ଅନୁମତିରେ ଟଙ୍କା ଟ୍ରାନ୍ସଫର

ଏତଲାକାରୀ ସମ୍ବିତଙ୍କ କବଜାରେ ଥିବା‌ ବେଳେ ତାଙ୍କ ବ୍ୟାଙ୍କ ଖାତାରୁ ବିନା ଅନୁମତିରେ ସମ୍ବିତଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଲିଖିତ ଅଭିଯୋଗ ସହିତ ଏତଲାକାରୀଙ୍କ ବ୍ୟାଙ୍କ ଖାତା ଓ ସମ୍ବିତଙ୍କ ବ୍ୟାଙ୍କ ଖାତାର ସବିଶେଷ ବିବରଣୀ ପୁଲିସ ନିକଟରେ ଦାଖଲ କରାଯାଇଥିଲା। ଶ୍ରୀ ଖଣ୍ଡେଲୱାଲଙ୍କ ଲିଖିତ ଅଭିଯୋଗ ପରେ ମର୍କତନଗର ଥାନାରେ ମେ ୨୩ରେ ଏତଲା ପଞ୍ଜୀକରଣ କରାଯାଇଥିଲା ଓ ମେ ୨୪ରେ ପୁଲିସ ସମ୍ବିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: Elephants Damage Crops: ହାତୀ ଉପଦ୍ରବ ନଷ୍ଟ କଲେ ଫସଲ, ସାଧାରଣ ଜନତା ଭୟଭୀତ