ବିବାହ ବେଦୀରେ ଦେବଦମ୍ପତି; କରୋନା କଟକଣାରେ ଶିବବିବାହ ସଂପନ୍ନ

Advertisment
ବିବାହ ବେଦୀରେ ଦେବଦମ୍ପତି; କରୋନା କଟକଣାରେ ଶିବବିବାହ ସଂପନ୍ନ

Sambad

କଟକ: ପରମ୍ପରା ଆଗରେ ହାର୍‌ ମାନିଛି ମହାମାରୀ। ନୀତିକୁ ଅଟକାଇ ପାରିନି କରୋନା। ଜ୍ୟେଷ୍ଠ ମାସ ଶୁକ୍ଲ ପକ୍ଷ ଷଷ୍ଠୀ ତିଥିରେ ପାରମ୍ପରିକ ଶିବପାର୍ବତୀ ବିବାହ ସଂପନ୍ନ ହୋଇଛି। ଆଡ଼ମ୍ବରପୂର୍ଣ୍ଣ ନ ହେଲେ ବି ନୀତିରେ କିଛି ଉଣା ହୋଇ ନାହିଁ। କଟକର ପ୍ରମୁଖ ଶୈବପୀଠ ବକ୍ସିବଜାର ଅମରେଶ୍ବର ମହାଦେବ ମନ୍ଦିର, ଗଡ଼ଗଡେଶ୍ବର ମହାଦେବ ମନ୍ଦିର, ନୂଆବଜାର ବେଲେଶ୍ବର ମନ୍ଦିର, ଖାନନଗର ଆଖଣ୍ଡଳମଣି ମନ୍ଦିର ଆଦି ‌ଶୈବପୀଠରେ ଦେବଦମ୍ପତିଙ୍କ ବିବାହ ସଂପନ୍ନ ହୋଇଛି। ଗଡଗଡେଶ୍ବର ମନ୍ଦିରରେ ସକାଳ ନୀତି ପରେ ପୂର୍ବାହ୍‌ଣରେ ଗଡ଼ଗଡ଼େଶ୍ବର ଓ ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଥିଲା। କନ୍ୟା ପିତାମାତା ଭାବେ ଦୁର୍ଗାପ୍ରସାଦ ପଣ୍ଡା-ରଶ୍ମିତା ପଣ୍ଡା ଏବଂ ବର ପିତାମାତା ଭାବେ ରାମକୃ‌ଷ୍ଣ ଜେଠୀ-ଜୟମାଲା ଦେବୀ ଦାୟିତ୍ବ ତୁଲାଇଥିଲେ।

ପୂଜକ ପଣ୍ଡିତ ବିଷ୍ଣୁଦତ୍ତ ପଣ୍ଡା, ବିଦିଶା ପ୍ରସାଦ ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ଦେବାଶିଷ ପଣ୍ଡା ପୂଜା ସମ୍ପନ୍ନ କରିଥିଲେ। ଖାନନଗର ମଣିମନ୍ଦିରରେ କନ୍ୟା ପିତାମାତା ଭାବେ ନରେନ୍ଦ୍ର କୁମାର ସାହୁ-ସୁଲୋଚନା ନାୟକ ଓ ବର ପିତାମାତା ଭାବେ ସରୋଜ ସିଂହ-ଶୁଭଶ୍ରୀ ସିଂହ ବିବାହ ସଂପନ୍ନ କରିଥିଲେ। କାଜିବଜାର ଅଁଳେଶ୍ବର ମହାଦେବ ମନ୍ଦିରରେ ମଧ୍ୟ ‌ଦେବନୀତିରେ ଶିବ-ପାର୍ବତୀ ବିବାହ ଆୟୋଜିତ ହୋଇଥିଲା। କନ୍ୟା ପକ୍ଷରୁ ସରୋଜ ସାହୁ-ଝୁନାମଣି ସାହୁ ଓ ବର ପକ୍ଷରୁ ଶୈଳେନ୍ଦ୍ର ଦାସ-ଲିପିପୁଷ୍ପା ଦାସ ବିବାହ କାର୍ଯ୍ୟ ସଂପାଦନ କରିଥିଲେ। ସେହିପରି ସହର ଅନ୍ୟ ସମସ୍ତ ଶୈବପୀଠରେ କୋଭିଡ୍‌ ଗାଇଡଲାଇନ୍ ଅନୁସାରେ ଦେବଦମ୍ପତିଙ୍କ ବିବାହ ସଂପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe