ଶିଶୁଭବନ ନା ଡମ୍ପିଂୟାର୍ଡ? ଏଣେତେଣେ ପଡ଼ି ରହୁଛି ହୋଟେଲର ଆବର୍ଜନା, ଵାର୍ଡ ଭିତରକୁ ପଶି ପାରୁ ନାହାନ୍ତି ରୋଗୀ

ଶିଶୁଭବନ ନା ଡମ୍ପିଂୟାର୍ଡ? ଏଣେତେଣେ ପଡ଼ି ରହୁଛି ହୋଟେଲର ଆବର୍ଜନା, ଵାର୍ଡ ଭିତରକୁ ପଶି ପାରୁ ନାହାନ୍ତି ରୋଗୀ

Sambad

କଟକ: ଶିଶୁଭବନକୁ ରାଜ୍ୟ ସରକାର ଶିଶୁ ଉତ୍କର୍ଷ ବିଭାଗ କୋଭିଡ୍-୧୯ ଘୋଷଣା କରିଥିବା ବେଳେ ଶିଶୁଭବନ ପରିମଳ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନର୍ଦ୍ଦମା ପାଣି ଓ ହୋଟେଲର ଯାବତୀୟ ଆବର୍ଜନା ଏବେ ଶିଶୁଭବନ ପରିମଳକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଛି। ଲାଲବାଗ ପଟ ଗେଟରୁ ରିଙ୍ଗବନ୍ଧ ପଟ ଗେଟ୍ ଯାଏ ରାସ୍ତା ସାରା ଆବର୍ଜନା ଜମି ରହି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି।
ଶିଶୁଭବନରେ ଶିଶୁ ରୋଗୀଙ୍କ ଚିକିତ୍ସା ପାଇଁ ଖୋଲା ଯାଉଥିବା ଜି ୭ କୋଠାରେ ମଲ୍ଟି ସ୍ପେଶାଲିଷ୍ଟ ହସପିଟାଲ୍ ଯୋଜନା ରଖାଯାଉଥିବା ବେଳେ ଶିଶୁଭବନର ପରିବେଶ ଏବେ ଅଧିକ ବିଗିଡ଼ିବ‌ାରେ ଲାଗିଛି। ଲାଲବାଗ ପଟେ ଥିବା ଶିଶୁଭବନ ଗେଟ୍ ନିକଟରେ ହୋଟେଲର ଯାବତୀୟ ଅଇଁଠା ନିୟମିତ ଜମା କରାଯାଉଛି। ରମାଦେବୀ ଶିଶୁ ବିହାରରୁ ମେଡିକାଲ୍ ଵାର୍ଡ ୧ ଯାଏ ଯାଇଥିବା ରାସ୍ତାରେ ଫୁଟେ ଉଚ୍ଚର ବର୍ଷା ପାଣି ଜମି ଥିବାରୁ ସେହି ରାସ୍ତାରେ ରୋଗୀ ଚଳପ୍ରଚଳ କରିବା ସମ୍ଭବପର ହୋଇପାରୁ ନାହିଁ। ଏହି ରାସ୍ତା ଏକ ପ୍ରକାର ବନ୍ଦ ହୋଇଯାଇଛି।

publive-image Sambad

ନିକଟରେ ଥିବା ଏକ ନଳକୂଅ ଏବେ ସ୍ଥାନୀୟ ହୋଟେଲ୍ କର୍ମଚାରୀଙ୍କ କବଜାରେ ରହିଛି। ଯାବତୀୟ ଅଇଁଠା ବାସନ ସଫା ହେଉଥିବା ବେଳେ ହୋଟେଲର ଆବର୍ଜନା ନିୟମିତ ପକା ଯାଉଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଡାକ୍ତର କଲୋନି ରାସ୍ତାର ଅବସ୍ଥା ବି ସମାନ। ଡ୍ରେନରେ ହୋଟେଲର ଆବର୍ଜନା ପକା ଯାଉଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଶିଶୁ ଉତ୍କର୍ଷ ବିଭାଗ କୋଭିଡ୍-୧୯ ସାମନା ରାସ୍ତାରେ ନର୍ଦ୍ଦମା ପାଣି ଜମି ରହୁଛି। ମେଡିକାଲ୍ ଵାର୍ଡ ୨ ସାମନାରେ ସିଏମସି ପକ୍ଷରୁ କୌଣସି ଡଷ୍ଟବିନର ବ୍ୟବସ୍ଥା କରାଯାଇ ନଥିବାରୁ ଵାର୍ଡ ରାସ୍ତାରେ ହସପିଟାଲ୍ ଭିତର ଓ ବାହାରର ସମସ୍ତ ଆବର୍ଜନା ନିୟମିତ ସକାଳୁ ପକା ଯାଉଥିବାରୁ ଏହି ରାସ୍ତାରେ ରୋଗୀ ଵାର୍ଡ ଭିତରକୁ ଯିବା ବି ସମ୍ଭବପର ହୋଇପାରୁ ନାହିଁ। ସର୍ଜରି ଵାର୍ଡ ବାହାରେ ବି ଡ୍ରେନ୍ ପାଣି ଚାଲୁ ଥିବାରୁ ରୋଗୀ ଭିତରକୁ ପଶିବାରେ ସମସ୍ୟା ହେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe