Sambad
କଟକ: ଛତ୍ରବଜାର ପରିବା ମାର୍କେଟ ଏବେ ସ୍ମାର୍ଟ ଅର୍ବାନ ହାଟର ରୂପ ନେବ। ଏଥିପାଇଁ ସିଏମ୍ସି ପକ୍ଷରୁ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ହାଟରେ ୫୩୩ଜଣ ପରିବା ବ୍ୟବସାୟୀଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ। ମହାନଗର ନିଗମ ପକ୍ଷରୁ ଅର୍ବାନ ହାଟର ନକ୍ସା ପ୍ରସ୍ତୁତ ଶେଷ ହୋଇଥିବା ବେଳେ ଖୁବଶିଘ୍ର ଏହାର ନିର୍ମାଣ କାମ ଆରମ୍ଭ ହେବ। ହାଟରେ ପରିବା ବ୍ୟବସାୟୀଙ୍କୁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯିବା ସହିତ ଗ୍ରାହକ ଓ ବେପାରିଙ୍କ ପାଇଁ ପୃଥକ ପାର୍କିଂ ବ୍ୟବସ୍ଥା ରହିବ। ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ସଂପ୍ରସାରଣରେ ଉଚ୍ଛେଦ ହୋଇଥିବା ପରିବା ବ୍ୟବସାୟୀଙ୍କୁ ଏଠାରେ ବସିବାକୁ ସୁଯୋଗ ଦିଆଯିବ। କଟକ ବଡମେଡିକାଲ ବା ଏସ୍ସିବିକୁ ଏମ୍ସ ପ୍ଲସ୍ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ରାଣୀହାଟ ପୋଲରୁ ମାତୃଭବନ ପର୍ଯ୍ୟନ୍ତ କେନାଳ ଉଭୟ ପାର୍ଶ୍ବ ରାସ୍ତା ସଂପ୍ରସାରଣ କାମ ଚାଲିଛି। ଏଥିରେ ଓଡ଼ିଶାର ସର୍ବପୁରାତନ ପରିବା ମାର୍କେଟ ଛତ୍ରବଜାରକୁ ଗତ ଫେବ୍ରୁଆରି ୧୨ରେ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ହୋଇଥିବା ପରିବା ବ୍ୟବସାୟୀଙ୍କ ପାଇଁ ଏବେ ସିଏମ୍ସି ତରଫରୁ ସ୍ମାର୍ଟ ଅର୍ବାନ ହାଟ ନିର୍ମାଣ ହେବ। ରାଣୀହାଟରୁ ମାତୃଭବନ ମଧ୍ୟରେ ଥିବା ତାଳଦଣ୍ଡା କେନାଲର ବାମ ପାର୍ଶ୍ବର ମାଲଗୋଦାମ ଅର୍ବାନ ବ୍ୟାଙ୍କ ପଛରେ ଥିବା ଦେଢ ଏକରରୁ ଅଧିକ ଜାଗା ଉପରେ ଏହା ତିଆରି ହେବ।
ଅର୍ବାନ ହାଟ ପାଇଁ ୩ କୋଟି ୭୪ ଲକ୍ଷ ୪୧ ହଜାର ଟଙ୍କା ଖର୍ଚ୍ଚ ହେବ। ଏଠାରେ ୫୩୩ ଜଣ ପରିବା ବ୍ୟବସାୟୀଙ୍କ ବସିବା ପାଇଁ ପିଣ୍ଡି ହେବା ସହିତ ଏହା ଉପରେ କଂକ୍ରିଟର ଛାତ ରହିବ। ଜଣେ ବେପାରିଙ୍କୁ ୫ ଫୁଟରେ ୬ ଫୁଟର ସ୍ଥାନ ଦିଆଯିବ। ପରିବା ହାଟକୁ ପ୍ରବେଶ କରିବା ପାଇଁ ଗୋଟିଏ ମୁଖ୍ୟ ରାସ୍ତା ସହିତ ମୋଟ ତିନିଟି ରାସ୍ତା ରହିବ। ଏହା ମଧ୍ୟରେ ୪ଟି ଶୌଚାଳୟ ସହିତ, ଦୁଇଟି କମ୍ୟୁନିଟ୍ ସ୍ପେସ୍ ଓ ପିଇବା ପାଣିର ବ୍ୟବସ୍ଥା ରହିବ। ପରିବା ବ୍ୟବସାୟୀଙ୍କ ପାଇଁ ୧୫ଟି ସ୍ଥାନରେ ପାଣି କଳ ରହିବ। ଅର୍ବାନ ହାଟକୁ ଆସୁଥିବା ଗ୍ରାହକଙ୍କ ପାଇଁ ହାଟ ଆଗରେ ପାର୍କିଂର ବ୍ୟବସ୍ଥା କରାଯିବା ସହିତ ବ୍ୟବସାୟୀଙ୍କ ପାଇଁ ଏହା ମଧ୍ୟରେ ପାର୍କିଂ ସ୍ଥାନ ରହିବ। ରାସ୍ତା ପାର୍ଶ୍ବରେ ଥିବା ଗ୍ରାହକଙ୍କ ପାର୍କିଂ ସ୍ଥାନରେ ଯେପରି ପରିବା ବ୍ୟବସାୟୀ ବସି ନପାରିବେ ଏଥିପାଇଁ ସେଠାରେ ବୋଲାର୍ଡସ୍ ଲଗାଯିବା ସହିତ ହାଟ ମଧ୍ୟକୁ ବୁଲା ପଶୁଙ୍କ ନ ପଶିବା ପାଇଁ ଗେଟ୍ରେ କାଓ କ୍ୟାଚର୍ର ବ୍ୟବସ୍ଥା ହେବ। ନିର୍ମାଣ କାମ ଖୁବ ଶିଘ୍ର ଆରମ୍ଭ ହେବାକୁ ଥିବା ବେଳେ ଏହାର କାମ ୮ରୁ ୯ ମାସ ମଧ୍ୟରେ ଶେଷ କରିବାକୁ ନିଗମ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ରହିଛି।
Follow Us