ସିଡିଏ ଅଞ୍ଚଳରେ ସିଏମ୍‌ସି ନିର୍ମାଣ କରିବ ୧୮ଟି ସ୍ମାର୍ଟ ପାର୍କ

Advertisment

୧୨ ଏକର ଜମିରେ ଖର୍ଚ୍ଚ ହେବ ୯ କୋଟି

୧୨ ଏକର ଜମିରେ ଖର୍ଚ୍ଚ ହେବ ୯ କୋଟି

ସିଡିଏ ଅଞ୍ଚଳରେ ସିଏମ୍‌ସି ନିର୍ମାଣ କରିବ ୧୮ଟି ସ୍ମାର୍ଟ ପାର୍କ

Sambad

କଟକ: କଟକ ମହାନଗର ନିଗମ ପକ୍ଷରୁ ସିଡିଏ ଅଞ୍ଚଳରେ ନିର୍ମାଣ ହେବ ୧୮ଟି ସ୍ମାର୍ଟ ପାର୍କ। ସିଡିଏ ଅଞ୍ଚଳବାସୀଙ୍କ ମନୋରଂଜନ ପାଇଁ ସିଏମ୍‌ସି ପକ୍ଷରୁ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ମୋଟ ୧୨ ଏକର ଜମି ଉପରେ ନିର୍ମାଣ ହେବାକୁ ଥିବା ଛୋଟ ବଡ଼ କରି ୧୮ଟି ପାର୍କ ପାଇଁ ୯ କୋଟିର ବ୍ୟୟ ଅଟକଳ କରାଯାଇଛି। ପାର୍କ ନିର୍ମାଣ ପାଇଁ ସିଡିଏ ପକ୍ଷରୁ ସିଏମ୍‌ସିକୁ ଜମି ହସ୍ତାନ୍ତର ହୋଇ ସାରିଥିବା ବେଳେ ୪ଟି ପାର୍କର ନିର୍ମାଣ କାମ ଆରମ୍ଭ ହୋଇଛି।

ସିଡିଏ ସେକ୍ଟର ୬ରୁ ୧୧ ମଧ୍ୟରେ ଏହି ୧୮ଟି ପାର୍କ ନିର୍ମାଣ ହେବ। ଏଥିପାଇଁ ଗଲା ଫେବ୍ରୁଆରି ମାସରେ ସିଡିଏ ୧୨ ଏକର ଜମି ସିଏମ୍‌ସିକୁ ହସ୍ତାନ୍ତର କରିଛି। ପ୍ରତି ଦୁଇ ଏକର ଜମି ପାଇଁ ‌ଅଢେଇ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବଜେଟ ପ୍ରସ୍ତୁତ ହୋଇଛି। ମହାନଗର ନିଗମ ପକ୍ଷରୁ ପ୍ରଥମ ପ୍ରର୍ଯ୍ୟାୟରେ ସେକ୍ଟର ୯ସ୍ଥିତ ଆମ୍ବ ତୋଟାରେ ପାର୍କ ନିର୍ମାଣ କାମ ଆରମ୍ଭ ହୋଇଛି। ଏଠାରେ ପାର୍କ ସହିତ ସିଏମ୍‌ସିର ଚାରା ଉଦ୍ୟାନ କରାଯିବ। ସେହିପରି ସିଡିଏ ସେକ୍ଟର ୮ ସ୍ଥିତ ‌ରିଭର ଇନ୍‌ ହସ୍ପିଟାଲ ନିକଟରେ ଦୁଇଟି ଓ ସେକ୍ଟର-୬ରେ ଗୋଟିଏ ପାର୍କ ନିର୍ମାଣ ଚାଲିଛି। ଉକ୍ତ ୪ଟି ପାର୍କ ୧୮ଟି ପା‌ର୍କ ମଧ୍ୟରେ ଆୟତନରେ ବଡ ହୋଇଥିବା ବେଳେ ମୋଟ ୫ ଏକର ଜମିରେ ସେଗୁଡିକ ତିଆରି ହେବ। ବାକି ୧୪ଟି ପାର୍କ ସିଡିଏର ବିଭିନ୍ନ ସ୍ଥାନରେ ଥିବା ୭ ଏକର ଜମିରେ ନିର୍ମାଣ ହେବ।

ନିର୍ମା‌ଣ ଚାଲିଥିବା ପାର୍କଗୁଡିକରେ ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ, ପିଇବା ପାଣି, ଆଲୋକ ପରି ମୌଳିକ ବ୍ୟବସ୍ଥା ହେବ। ସେଠାରେ ଜିମ୍‌ ଓ ଯୋଗ କରିବା ପାଇଁ ବିଶେଷ ବ୍ୟବସ୍ଥା ରହିବ। ଲୋକଙ୍କ ବସିବା ପାଇଁ ବେଞ୍ଚ୍‌ ଓ ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ଉପକରଣ ଲଗାଯିବ। ନିର୍ମାଣ ଚାଲିଥିବା ୪ଟି ପାର୍କ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖିଛି ସିଏମ୍‌ସି। ବାକି ୧୪ଟି ପାର୍କର ରୂପରେଖ ପ୍ରସ୍ତୁତ ଚାଲିଥିବା ବେଳେ ଦୁଇରୁ ତିନିମାସ ମଧ୍ୟରେ କାମ ଆରମ୍ଭ କରାଯିବ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe