ନରାଜ ରେଳଷ୍ଟେସନ କେବେ ହେବ କଟକର ଦ୍ବିତୀୟ ବିକଳ୍ପ? ଦୁଇ ଲକ୍ଷ ଲୋକ ନେଇପାରୁ ନାହାନ୍ତି ରେଳ ସୁବିଧା

Advertisment
ନରାଜ ରେଳଷ୍ଟେସନ କେବେ ହେବ କଟକର ଦ୍ବିତୀୟ ବିକଳ୍ପ? ଦୁଇ ଲକ୍ଷ ଲୋକ ନେଇପାରୁ ନାହାନ୍ତି ରେଳ ସୁବିଧା

Sambad

କଟକ: କଟକ ବଢୁଛି। ମର୍କତନଗରଠାରୁ ଆରମ୍ଭ କରି ମୁଣ୍ଡଳି-ରାମଦାସପୁର ପର୍ଯ୍ୟନ୍ତ ଏବେ ପରିବର୍ଦ୍ଧିତ କଟକ ବିସ୍ତାରିତ ହୋଇଛି। କଟକ ସିଡିଏ ସେକ୍ଟର ୬ରୁ ଜନବସତି ଆରମ୍ଭ ହୋଇ ଏହା ସେକ୍ଟର ୧୫ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ସିଡିଏରେ ପାଖାପାଖି ୨ଲକ୍ଷ ଲୋକ ବସବାସ  କରୁଛନ୍ତି। ସାଟେଲାଇଟ୍ ସହରରେ ମେଡିକାଲ, ଆବାସିକ କଲୋନି, ଶିକ୍ଷାନୁଷ୍ଠାନମାନ ଗଢି ଉଠିଛି। କଟକର ନୂଆ ରୂପ କହିଲେ ସିଡିଏ-ତ୍ରିଶୂଳିଆ-ରାମଦାସପୁର ପର୍ଯ୍ୟନ୍ତ ଲମ୍ବିଛି। ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ରବିଶଙ୍କର ବିଶ୍ବବିଦ୍ୟାଳୟ ସମେତ ରେଭେନସା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସର ଭିତ୍ତିଭୂମି ଆରମ୍ଭ ହୋଇଛି। ଏପଟେ ରାମଦାସପୁର ଅଞ୍ଚଳରେ ଓମଫେଡ ସମେତ ପ୍ରାୟ ୬୦ଟି ଛୋଟବଡ଼ ଶିଳ୍ପ ଗଢି ଉଠୁଛି।

କଟକ ସହରର ଏହି ପରିବର୍ଦ୍ଧିତ ରୂପ ସିଡିଏରୁ ନରାଜ, ସେପଟେ ମଧୁସୂଦନ ସେତୁରୁ ନୂ୍ଆପଟଣା, ନରାଜରୁ ରାମଦାସପୁର, ବିଦ୍ୟାଧରପୁର ପର୍ଯ୍ୟନ୍ତ ରହିଛି। ଏ ଅଞ୍ଚଳରେ ବାସ କରୁଥିବା କର୍ମଜୀବୀ ଓ ସାଧାରଣ ଲୋକ ରେଳ ସୁବିଧା ପାଇପାରୁ ନାହାନ୍ତି। ଏମାନଙ୍କୁ ଦୀର୍ଘ ୧୫ କିମି ଦୂର କଟକ ରେଳଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଛି। ମାତ୍ର କଟକ ନରାଜରେ ଥିବା ନରାଜ ରେଳ‌ଷ୍ଟେସନର ବିକାଶ କରାଯାଉନାହିଁ। ସହରର ଏକ ସିଂହ ଭାଗ ବାସ କରୁଥିବା ଅଞ୍ଚଳ ପାଇଁ ଥିବା ରେଳ ଷ୍ଟେସନ (ନରାଜ-ମାର୍ଥାପୁର) ରେଲୱେ ଷ୍ଟେସନକୁ କଟକର ଏକ ବିକଳ୍ପ ରେଳଷ୍ଟେସନ ଭାବେ ଗଢି ତ‌ୋଳିବାର ଆବଶ୍ୟକତା ରହିଛି।

ବହୁବାର ଏହାର ବିକାଶ ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲେ ବି ଏହାର ବିକାଶ କରାଯାଉନାହିଁ। ନରାଜ ରେଳଷ୍ଟେସନ ଏକ ସାଧାରଣ ଷ୍ଟେସନ ଭଳି ରହିଛି। ଏକ ପରିତ୍ୟକ୍ତ ‌ରେଳଷ୍ଟେସନ ଭଳି ଏହା ରହିଛି। ଯାତ୍ରୀ ବିଶ୍ରାମାଗାର ସମେତ ଏଠାରେ ଏକ ବିକଶିତ ରେଳଷ୍ଟେସନ‌ରେ ଯେଉଁ ସବୁ ସୁବିଧା ରହିବା କଥା ତାହା ନାହିଁ। ଫଳରେ ଏହି ରେଳ‌ଷ୍ଟେନରେ ବ୍ୟବହାର ବଢିନାହିଁ। ଏଠାରେ କିଛି ପାସେଞ୍ଜର ରେଳ ‌ରହୁଥିବା ବେଳେ ଅଧିକାଂଶ ଏକ୍ପପ୍ରେସ ରହୁନାହିଁ। ଭୁବନେଶ୍ବର-ସମ୍ବଲପୁର-ଅନୁଗୁଳକୁ ଯାଉଥିବା କିଛି ଟ୍ରେନ ‌ଏଠାରେ ରହୁଛି। ତେବେ ଏଠାରେ ଓହ୍ଲାଉଥିବା ଯାତ୍ରୀଙ୍କ ପାଇଁ ପରିବହନ ସୁବିଧା ପାଇଁ ଏହି ରେଳଷ୍ଟେସନରେ ଓହ୍ଲାଇବାକୁ ଯାତ୍ରୀ ପସନ୍ଦ କରୁନାହାନ୍ତି। ନରାଜ ମାର୍ଥାପୁର ରେଳ ଷ୍ଟେସନରେ ବିକାଶ କରିବା ସହିତ ଏହାକୁ କଟକ ରେଳଷ୍ଟେସନ ଭଳି ଗଢି ତୋଳିବା, ରେଲୱେ ସଂରକ୍ଷଣ ସୁବିଧା, ସମସ୍ତ ଏକ୍ସପ୍ରେସ ଟ୍ରେନ ରହଣି ସହିତ କଟକ ସଦର ମହକୁମା ପର୍ଯ୍ୟନ୍ତ ରେଳଲାଇନକୁ ପରିବର୍ଦ୍ଧିତ ଯୋଜନା କରାଗଲେ ସାଟେଲାଇଟ ସହର କଟକର ରେଳ ସୁବିଧାରୁ ବଞ୍ଚିତ ଲୋକେ ଏହି ସୁବିଧା ପାଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ରେଳ ବିଭାଗ ନରାଜ ରେଳ ଷ୍ଟେସନକୁ କଟକ ‌ରେଳଷ୍ଟେସନର ବିକଳ୍ପ ରେଳଷ୍ଟେସନ ଭାବେ ଗଢି ତୋଳିବା ସହିତ ସମସ୍ତ ବ୍ୟବସ୍ଥ‌ା କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe