ସିଡିଏ ସେକ୍ଟର-୧୧ରେ ରକ୍ଷଣାବେକ୍ଷଣର ଅଭାବ: ଅଧା ଷ୍ଟ୍ରିଟଲାଇଟ୍ ଅଚଳ, ସ୍ବେରେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

Advertisment
ସିଡିଏ ସେକ୍ଟର-୧୧ରେ ରକ୍ଷଣାବେକ୍ଷଣର ଅଭାବ: ଅଧା ଷ୍ଟ୍ରିଟଲାଇଟ୍ ଅଚଳ, ସ୍ବେରେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ

Sambad

କଟକ: ସିଡିଏ ସେକ୍ଟର-୧୧ ଅଞ୍ଚଳ ୯୯ ଏକର ଜମିରେ ପରିକଳ୍ପନା କରାଯାଇଥିଲା। ଏଠାରେ ୧୬୩୪ ଟି ପ୍ଲଟ ରହିଛି। ପାଖାପାଖି ୨୦ ହଜାର ଲୋକ ଏହି ସେକ୍ଟରରେ ବସବାସ କରୁଛନ୍ତି। ଯୋଜନା ଦୃଷ୍ଟିରୁ ଏହି ସେକ୍ଟରରେ ସବୁ ପ୍ରକାର ସୁବିଧା ରହିଛି। ଲୋକଙ୍କ ସୁବିଧା ପାଇଁ ୧୪ଟି ଖୋଲାସ୍ଥାନ( ଓପନ ‌‌ସ୍ପେସ୍) ରହିଛି। ପାର୍କ, ଖେଳ ପଡିଆ ସୁବିଧା ବି ଅଛି।  ମାତ୍ର ଏବେ ବି ଏହି ସେକ୍ଟରରେ ପାଖାପାଖି ୩୬ଟି ପ୍ଲଟ ଫାଙ୍କା ପଡିଛି। ଖାଲି ପଡିଥିବା ପ୍ଲଟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି।  ସିଡିଏ‌ ସେକ୍ଟର-୧୧ ବି ବିଭିନ୍ନ ସମସ୍ୟା ଭିତରେ ଛନ୍ଦି ହୋଇ ରହିଛି। ଭାଙ୍ଗି ଯାଇଥିବା ରାସ୍ତାର ମରାମତି କରାଯାଉନାହିଁ।

ସ୍ବରେଜ ବ୍ୟବସ୍ଥା‌ ଅତି କଦର୍ଯ୍ୟ ରହିଥିବା ବେଳେ ଜଳ ନିଷ୍କାସନ ବ୍ୟବସ୍ଥା ଆଦୌ ଠିକ୍ ନାହିଁ। ଏହି ସେକ୍ଟରକୁ ଏକ ପରତ୍ୟକ୍ତ ଭଙ୍ଗଲ କରି ଦିଆଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଏଠ‌ାରେ ବୁଦାକୁ ଆଦୌ କଟାଯାଉନାହିଁ। ଅଧାରୁ ଅଧିକ ଷ୍ଟ୍ରିଲ ଲାଇଟ୍ ଜଳୁନଥିବା ବେଳେ ବାରମ୍ବାର ଅଭିଯୋଗ କଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଏଠା‌ରେ ଘର କରିଥିବା ଲୋକ ଚୋରି ଭୟରେ ଘରେ ତାଲା ମାରି ନିରାପଦରେ ରହି ପାରୁ ନାହାନ୍ତି।

ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହୋଇଛି। ଅବସର ପରେ ସିଡିଏ ଅଞ୍ଚଳରେ ବହୁ ବରିଷ୍ଠ ନାଗରିକ ଘର କରି ରହୁଛନ୍ତି। ମାତ୍ର ସେମାନଙ୍କ ପାଖରେ ସର୍ବନିମ୍ନ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରୁନାହିଁ। ଏଠାରେ ଏକ ସ୍ବାସ୍ଥ୍ୟକେନ୍ଦ୍ରର ଆବଶ୍ୟକତା ରହିଛି। ନରାଜ ମାର୍ଥାପୁର ରେଲୱେ ‌‌‌ଷ୍ଟେସନ ଉନ୍ନତିକରଣ କରାଗ‌ଲେ ସିଡିଏବାସୀ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି ପ୍ରଭାକର ମହାନ୍ତି।

ସେହିଭଳି ଆଦର୍ଶନଗର ଆବାସିକ ସଂଘର ମୈତ୍ରିଜିତ ମହାନ୍ତି କହିଛନ୍ତି ଯେ, ମଧୁସୂଦନ ସେତୁ ନିକଟରେ ଏକ ଫାଣ୍ଡି ପ୍ରତିଷ୍ଠା ଅପରିହାର୍ଯ୍ୟ। ନିଜସ୍ବ ଜାଗାରେ ପୋଷ୍ଟ ଅଫିସ ପ୍ରତିଷ୍ଠା କରାଯାଉ। ସମସ୍ତ ବାସଗୃହ ‌‌ହୋଲଡିଂ ଟ୍ୟାକ୍ସ ମୁକ୍ତ କରାଗଲେ ସିଡିଏବାସୀ ଉପକୃତ ହେବେ। ସେକ୍ଟର-୧୧ ଦୁର୍ଗା ପୂଜା କମିଟିର ସଭାପତି ଲକ୍ଷ୍ମୀନାରାୟଣ ଦାଶ କହିଛନ୍ତି ଯେ, ୧୧ ନଂ ସେକ୍ଟରରେ କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରାଯାଇନାହିଁ। ତୁରନ୍ତ ଏହାକୁ ପ୍ରତିଷ୍ଠା କରିବା ଓ ଦୁର୍ଗା ପୂଜା ପାଇଁ ସ୍ବତନ୍ତ୍ର ଜାଗା ଦିଆଯାଉ। ସ୍ବେରେଜ ଟିକସ ଦେବା ପରେ ପାଇଖାନା ପାଇଁ ଟିକସ ଛାଡ କରାଯାଉ।

ବରିଷ୍ଠ ଆଇନଜୀବୀ ଜ୍ଞାନେଶ୍ବର ଶଥପଥୀ କହିଛନ୍ତି ଯେ, ସେକ୍ଟର ମଧ୍ୟରେ କିଛି ରାସ୍ତା ଖରାପ ରହିଛି। ଏହାର ମରାମତି କରାଯାଉନାହିଁ। ଏଠାରେ ବର୍ଷା ଜଳ ନିଷ୍କାସନର କୌଣସି ବ୍ୟବସ୍ଥା କରାଯାଉ ନାହିଁ। ଖାଲି ପଡିଥିବା ଜାଗା ସବୁ ବୁଦା ଜଙ୍ଗଲରେ ପରିଣତ ହେଉଛି। ଫଳରେ ଏହା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି।

ଆଦର୍ଶନଗର ଆବାସିକ ସଂଘର ସଂପାଦକ ଦ୍ବାରିକାନାଥ ମହାନ୍ତି କହିଛନ୍ତି ଯେ, ଘରୋଇ ସଂସ୍ଥା ହାତକୁ ବିଦ୍ୟୁତ୍ ବ୍ୟବସ୍ଥା ଗଲା ପରେ ଏବେ ଷ୍ଟ୍ରିଟ୍ ଲାଇଟ୍ ଓ ଘରୋଇ ଲାଇନ ସମସ୍ୟା ଉପୁଜିଛି। ଷ୍ଟ୍ରିଟ ଲାଇଟ୍ ଜଳୁ ନଥିବା ବେଳେ ବାରମ୍ବାର ବିଦ୍ୟୁତ୍ କାଟ ହେଉଛି। ସ୍ବେରେଜ ବ୍ୟବସ୍ଥା ମଧ୍ୟ ଅତି କଦର୍ଯ୍ୟ ହୋଇପଡିଛି। ୧୧ ନଂ ସେକ୍ଟରରେ ଦୋକାନ ଘର ପ୍ରତିଷ୍ଠା କରାଗଲେ ଲୋକେ ଉପକୃତ ହେବେ। ଦୁର୍ଗାପୂଜା କମିଟି ପକ୍ଷରୁ କୁହାଯାଇଛି ଯେ, କଟକ ପୌର ସଂସ୍ଥା ପକ୍ଷରୁ ଏକ ପେଟ୍ରୋଲ ପମ୍ପ ପ୍ରତିଷ୍ଠା କରିବା ଅପରିହାର୍ଯ୍ୟ ହୋଇପଡିଛି। ଲୋକେ ଇନ୍ଧନ ପାଇଁ ସମସ୍ୟାରେ ପଡୁଛନ୍ତି। ଦୂର ବାଟ ଯିବାକୁ ପଡୁଛି। ଏଠାରେ ଖେଳ ପଡିଆର ବିକାଶ ମଧ୍ୟ ଜରୁରୀ। ଏହା ସହ ବିଦ୍ୟାଳୟ ପଡିଆର ଉନ୍ନତି ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe