Sambad
କଟକ: ଉତ୍କଳ ବାଳାଶ୍ରମରେ ସୋମବାର ବିଳମ୍ବିତ ରାତିରେ ଅଭାବନୀୟ କାଣ୍ଡ ଘଟିଛି। ଜଣେ ମାଟ୍ରିକ ଛାତ୍ର ଆଶ୍ରମ ଭିତରେ କୀଟନାଶକ ଔଷଧ ପିଇ ଦେଇଛନ୍ତି। ତାଙ୍କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ଆଶ୍ରମ ପକ୍ଷରୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ବାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ଥିବା ବେଳେ କେଉଁ ପରିସ୍ଥିତିରେ ଛାତ୍ର ଜଣକ ବିଷ ପିଇଲେ, ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ। ଘଟଣା ସଂକ୍ରାନ୍ତରେ ମଧୁପାଟଣା ଥାନାରେ ଆଶ୍ରମ ପକ୍ଷରୁ ଏତଲା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି। ମଧୁପାଟଣା ଥାନା ଅଧିନରେ ଥିବା ଉତ୍କଳ ବାଳାଶ୍ରମର ଜଣେ ଦଶମ ଶ୍ରେଣୀ ଛାତ୍ର କୀଟନାଶକ ଔଷଧ ପିଇ ଦେଇଛନ୍ତି। ଛାତ୍ର ଜଣକ କେନ୍ଦୁଝରର ଅନନ୍ତ ସିଂହ। ସୋମବାର ରାତିରେ ପ୍ରାଥମିକ ସ୍କୁଲର ଛାତ୍ରଙ୍କୁ ପାଠ ପଢ଼ାଇବା ପରେ ରାତ୍ରୀ ଭୋଜନ କରିଥିଲେ। ତାଙ୍କର ମାନସିକ ସ୍ତରରେ ସେଭଳି କୌଣସି ଅସ୍ବାଭାବିକ ଲକ୍ଷଣ ଦେଖିବାକୁ ମିଳି ନଥିଲା। କିନ୍ତୁ ବିଳମ୍ବିତ ରାତିରେ ଅନ୍ୟ ଅନ୍ତେବାସୀ ଶୋଇବା ଘରେ ସେ କୀଟନାଶକ ଔଷଧ ପିଇ ଦେଇଥିଲେ। ଭୋରୁ ସେ ବେଡରେ ଶୋଇ ଥରୁଥିବା ବେଳେ ତାଙ୍କୁ ଅନ୍ତେବାସୀ ଦେଖିବାକୁ ପାଇଥିଲେ। ଏ ସମ୍ପର୍କରେ ସେ ବାଳାଶ୍ରମର କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ଆଶ୍ରମ କର୍ତ୍ତୃପକ୍ଷ ଶୋଇବା ଘରେ ପହଞ୍ଚିଲା ବେଳକୁ ଅନନ୍ତ ବାନ୍ତି କରୁଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ଦିନ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟଙ୍କ ସମେତ ସିଡବ୍ଲୁସି, ଡିସିପିଓ ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଥିଲେ। ଏବେ ବି ଅନନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। କାହିଁକି ସେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିପାରୁ ନାହିଁ।
ପୁଅ ବିଷ ପିଇଥିବା ସମ୍ପର୍କରେ ତାଙ୍କ ମା’ଙ୍କୁ ବାଳାଶ୍ରମ ପକ୍ଷରୁ ଖବର ଦିଆଯାଇଥିଲା। କେନ୍ଦୁଝରରେ ରହୁଥିବା ତାଙ୍କ ମା’ ଡାକ୍ତରଖାନାରେ ପହଞ୍ଚିଛନ୍ତି। ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଅନ୍ୟତ୍ର ଚାଲିଯାଇଥିବାରୁ ପେଟ ପୋଷିବା ପାଇଁ ଦିନ ମଜୁରିଆ କାମ କରୁଥିଲେ। ପୁଅ ବାଳାଶ୍ରମରେ ରହି ପଢ଼ୁଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଆଇଟିଆଇ କରିବାକୁ ଯୋଜନା କରୁଥିଲେ। ତେବେ ୧୮ ବର୍ଷ ନ ହୋଇଥିଲେ କୌଣସି ଛାତ୍ରଙ୍କୁ ବାଳାଶ୍ରମ ପକ୍ଷରୁ ମୋବାଇଲ୍ ରଖିବାକୁ ଅନୁମତି ନଥିବାରୁ ଅନନ୍ତଙ୍କ ମୋବାଇଲକୁ ବାଳାଶ୍ରମ କର୍ତ୍ତୃପକ୍ଷ ନିଜ ହେପାଜତରେ ରଖିଥିଲେ। ମୋବାଇଲ୍ ରଖି ଦେଇଥିବାରୁ ସେହି ରାଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଗଲା ରଜ ଛୁଟିରେ ଅନନ୍ତ ନିଜ ଘରକୁ ଯାଇଥିଲେ। ତାଙ୍କୁ ରାଜ୍ୟ ସରକାରଙ୍କ ସାଇକେଲ୍ ବାବଦ ଟଙ୍କା ମିଳିଥିବାରୁ ସେହି ଟଙ୍କାରୁ କିଛି ତାଙ୍କ ମା’ଙ୍କୁ ଦେଇଥିଲେ। ଅବଶିଷ୍ଟ ଟଙ୍କା ନିଜ ପାଖରେ ରଖିଥିଲେ। ବାଳାଶ୍ରମକୁ ନିକଟରେ ଫେରିବା ପରେ ତାଙ୍କ ଫୋନ୍ ବାଳାଶ୍ରମ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଯାଇଥିଲେ। ନିଜ ପାଖରେ ଥିବା ଟଙ୍କାରୁ କୀଟନାଶକ ଔଷଧ ଅନନ୍ତ କିଣିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ବଡ଼ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ଥିବା ଅନନ୍ତଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଟେଣ୍ଡାଣ୍ଟ ଯୋଗାଇ ଦିଆଯାଇଛି। ସୁସ୍ଥ ହେଲା ପରେ ତାଙ୍କୁ କାଉନସେଲିଂ କରାଯାଇ ଘଟଣା ସମ୍ପର୍କରେ ଜାଣିବାକୁ ଉଦ୍ୟମ କରାଯିବ। ବାଳାଶ୍ରମ ପକ୍ଷରୁ ଏବେ ମଧୁପାଟଣା ଥାନାରେ ଲିଖିତ ଏତଲା ଦେବା ସହିତ ସିଡବ୍ଲୁସି ଓ ଡିସିପିଓଙ୍କୁ ଅବଗତ କରାଯିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କେଉଁ ପରିସ୍ଥିତିରେ ସେ ବିଷ ପିଇଲେ ସେନେଇ ସିଡବ୍ଲୁସି ପକ୍ଷରୁ ତଦନ୍ତ କରାଯିବାକୁ ମଙ୍ଗଳବାର ସିଡବ୍ଲୁସି ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।
Follow Us