ବର୍ଷାରେ ତାଳଦଣ୍ଡାରେ ଚାଲିଛି ଦଳ ସଫେଇ

Advertisment
ବର୍ଷାରେ ତାଳଦଣ୍ଡାରେ ଚାଲିଛି ଦଳ ସଫେଇ

Sambad

କଟକ: ବର୍ଷା ଆସିଲେ ମନେପଡ଼େ ତାଳଦଣ୍ଡା କେନାଲ୍‌ ଦଳ‌ ସଫେଇ କରିବାକୁ। ବର୍ଷ ବର୍ଷ ଧରି ଏପରି ବ୍ୟବସ୍ଥାରେ ମହାନଦୀ ଦକ୍ଷିଣ ବିଭାଜନ-୧ ପକ୍ଷରୁ ଦଳ ସଫେଇ କାମ କରାଯାଉଥିବା ବେଳେ ଏଥିରେ ବଡ଼ଧରଣର ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ପ୍ରତିବର୍ଷ ମେସିନ୍‌ ଓ ଲୋକଙ୍କ ସାହାଯ୍ୟରେ ଦଳ ସଫେଇ କରିବାକୁ ଜୁନ୍‌ରେ ଟେଣ୍ଡର୍‌ ଡାକି ଜୁଲାଇ ମାସର ବର୍ଷା ସମୟରେ ଦଳ ସଫେଇ କାମ ବିଭାଗ ପକ୍ଷରୁ କରାଯାଏ। କେନାଲରେ ବର୍ଷା ଓ ମହାନଦୀ ପାଣି ପ୍ରବାହିତ ହେବା ସମୟରେ ଏହା କରାଯାଉଥିବାରୁ ପାଣିର ସ୍ରୋତରେ କେନାଲର ଅନେକ ଅଞ୍ଚଳର ଦଳ ଭାସିଯାଏ। ଏପରି ପରିସ୍ଥିତିରେ ଅଳ୍ପ କିଛି ଦଳ ମେସିନ୍‌ ଓ ଲୋକଙ୍କ ଦ୍ବାରା ସଫା କରି ବାକି ଟଙ୍କାକୁ ଆତ୍ମସାତ୍‌ କରାଯାଉଥିବା ଗୁରୁତର ଅଭିଯୋଗ ହୋଇଛି। ସହର ମଧ୍ୟ ଦେଇ ଯାଇଥିବା ତାଳଦଣ୍ଡା କେନାଲ୍‌ର ରକ୍ଷଣାବେକ୍ଷଣ ଦାୟିତ୍ବ ମହାନଦୀ ଦକ୍ଷିଣ ବିଭାଜନ, କଟକ-୧ ନିକଟରେ ରହିଛି। କେନାଲ୍‌ରେ ପାଣି ପ୍ରବାହର ସୁପରିଚାଳନା ପାଇଁ ପ୍ରତିବର୍ଷ ବିଭାଗ ପକ୍ଷରୁ ଏଥିରୁ ଦଳ ସଫା କରାଯାଏ।। ତେବେ ଖରାଦିନ ବଦଳରେ ପ୍ରତିବର୍ଷ ବର୍ଷାଦିନେବିଭାଗ ପକ୍ଷରୁ ଏହା କରାଯାଏ। ବିଭାଗ ପକ୍ଷରୁ ଚଳିତବର୍ଷ ଜୁନ୍‌ରେ ଦଳ ସଫେଇ ପାଇଁ ୫ ଲକ୍ଷ ଟଙ୍କାର ଟେଣ୍ଡର୍‌ ହୋଇଥିଲା। ଟେଣ୍ଡର୍‌ କାମ ଶେଷ ହେବା ପରେ ଜୁଲାଇ ୨ ତାରିଖରୁ ଦଳ ‌‌ସଫେଇ କାମ ଆରମ୍ଭ ହୋଇଛି।

ନୂଆବଜାରରୁ ମତ୍ତଗଜପୁର ଯାଏ, ସାଢେ ୩କିଲୋମିଟର କେନାଲ୍‌ରେ ଏହି ସଫେଇ କାମ ଚାଲିଛି। ଏହା ଚଳିତମାସ ଶେଷ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି। ଅନ୍ୟପଟେ ଚଳିତମାସ ୧୫ ତାରିଖରେ ତାଳଦଣ୍ଡା କେନାଲରେ ପାଣି ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ଏପରି ସ୍ଥିତିରେ ବର୍ଷା ଓ ମହାନଦୀ ପାଣିରେ କେନାଲରୁ ଦଳ ବହିଯିବ। ପ୍ରତିବର୍ଷ ବର୍ଷା ସମୟରେ ଏହା କରାଯାଉଥିବାରୁ କେନାଲ୍‌ର ଅଳ୍ପ କିଛି ସ୍ଥାନରୁ ମେସିନ୍‌ ଓ ଲୋକଙ୍କୁ ବ୍ୟବହାର କରି ଦଳ ସଫା କରାଯାଉଥିବା ସମୟରେ ବାକି ଅଞ୍ଚଳର ଦଳ ବର୍ଷା ଓ ନଦୀ ପାଣିରେ ତଳକୁ ଚାଲିଯାଉଛି। କେବଳ ନିଜ ଲାଭ ପାଇଁ ପ୍ରତିବର୍ଷ ଠିକାଦାର ଓ ବିଭାଗୀୟ ଅଧିକାରୀ ବର୍ଷା ସମୟରେ ଏପରି ସଫେଇ କାମର ବିଲ୍‌ କରୁଥିବା ଅଭିଯୋଗ ହୋଇଛି। ଦଳ ସଫେଇ ପାଇଁ ଗତମାସ ୫ ଲକ୍ଷ ଟଙ୍କାର ଟେଣ୍ଡର୍‌ ହୋଇଥିବା ବେଳେ ଚଳିତମାସ ସଫେଇ କାମ ଆରମ୍ଭ ହୋଇଛି। ମେସିନ୍‌ ଓ ଲୋକଙ୍କ ସାହାଯ୍ୟରେ ନୂଆବଜାରରୁ ମତ୍ତଗଜପୁର ପର୍ଯ୍ୟନ୍ତ ଦଳ ସଫେଇ କରାଯିବ। କେନାଲରେ ପାଣି ଛଡ଼ାଯିବା ପୂର୍ବରୁ ଏହାକୁ ଶେଷ କରାଯିବ ବୋଲି ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe