କଟକ ଭାଇଚାରା ସଂସ୍କୃତିର ଅନନ୍ୟ ଉଦାହରଣ, ମା’ ଦୁର୍ଗାଙ୍କ ମେଢ଼ ତିଆରିରେ ବ୍ୟସ୍ତ ତସ୍‌ଲିମା

କଟକ ଭାଇଚାରା ସଂସ୍କୃତିର ଅନନ୍ୟ ଉଦାହରଣ, ମା’ ଦୁର୍ଗାଙ୍କ ମେଢ଼ ତିଆରିରେ ବ୍ୟସ୍ତ ତସ୍‌ଲିମା

Sambad

କଟକ: ମା’ ଦୁର୍ଗାଙ୍କ ଜରି ମେଢ଼ ତିଆରିରେ ଏବେ ବ୍ୟସ୍ତ ଅଛନ୍ତି ବାଙ୍କା ବଜାର ଅଞ୍ଚଳର ଛାତ୍ରୀ ତସଲିମା ନସରିନ ଖାତୁନ। ଖ୍ରୀଷ୍ଟ କଲେଜରେ ଯୁକ୍ତ ୩ ପଢୁଥିବା ତସଲିମା ପରିବାର ଭରଣପୋଷଣ ପାଇଁ ପାଠ ପଢିବା ସହିତ ଏକ ଘରୋଇ ସଂସ୍ଥାରେ ବି କାର୍ଯ୍ୟ କରୁଛନ୍ତି। କିନ୍ତୁ ନିଜର କାରିଗରି କୌଶଳ ଦକ୍ଷତାକୁ ନେଇ ସେ ଏବେ ଦଶହରା ପାଇଁ ପ୍ରସ୍ତୁତ ଚାଲିଥିବା ଜରି ମେଢ ତିଆରିରେ ବି ଲାଗି ପଡିଛନ୍ତି। ସଂଖ୍ୟାଲଘୁ ସଂପ୍ରଦାୟର ତସଲିମାଙ୍କର ଏଭଳି କାର୍ଯ୍ୟ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଥିବା ବେଳେ କଟକର ବଳିଷ୍ଠ ଭାଇଚାରା ସଂସ୍କୃତିର ଆଉ ଏକ ପ୍ରମାଣ ଭାବେ ଉଭା ହୋଇଛି। କଟକ ଦଶହରାର ଅନ୍ୟତମ ଆକର୍ଷଣ ଜରି ମେଢ ପ୍ରସ୍ତୁତିରେ କାହିଁ କେଉଁ କାଳରୁ ସଂଖ୍ୟାଲଘୁ ବିଶେଷକରି ମୁସଲିମ୍ ସଂପ୍ରଦାୟର କାରିଗର ମାନଙ୍କର ପ୍ରମୁଖ ଅବଦାନ ରହି ଆସିଛି। କିନ୍ତୁ ଜଣେ ଛାତ୍ରୀ ହୋଇ ଏହି କାର୍ଯ୍ୟରେ ତସଲିମାଙ୍କ ଯୋଗଦାନ ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କଟକ ବାଙ୍କା ବଜାର ଅଞ୍ଚଳର ବାସିନ୍ଦା ସୟଦ ଅସଲମ ଅଲ୍ଲୀ ଓ ଫରିଦା ବେଗମଙ୍କ ଝିଅ ହେଉଛନ୍ତିତସଲିମା ନସରିନ ଖାତୁନ। ୧୨ ବର୍ଷ ବୟସରୁ ସେ ବାପାଙ୍କ ପାଖରେ ରହି ଏହି ଜରି ମେଢ କାମରେ ସାହାଯ୍ୟ କରି ଆସୁଥିଲେ। କିନ୍ତୁ ଏବେ ସେ ନିଜେ ସ୍ବତନ୍ତ୍ର ଭାବେ ଏହି କାମ କରି ପାରୁଛନ୍ତି। ଦେଢ଼ ବର୍ଷ ହେବ ସେ ପାଠପଢା ସହିତ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ବି ଦଶହରା ସମୟରେ ଜରି ମେଢ଼ ପ୍ରସ୍ତୁତିରେ ଲାଗିଛନ୍ତି।

ତସଲିମାଙ୍କ ବାପା ସୟଦ ଅସଲମ ଅଲ୍ଲୀ କିନ୍ତୁ ଦଶହରା ଜରି ମେଢ଼ ତିଆରି କାର୍ଯ୍ୟ ୩୦ ବର୍ଷ ହେଲା କରି ଆସୁଛନ୍ତି। ଏଥିରେ ତାଙ୍କର ପୁରା ପରିବାର ସାମିଲ ହୋଇ ଯାଇଛନ୍ତି। ନିଜନିଜ ଦକ୍ଷତା ଅନୁଯାୟୀ ତାଙ୍କ ପତ୍ନୀ, ପୁଅ, ଝିଅ, ସମ୍ପର୍କୀୟ ଭାଇ ବି ତାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି। କରିଥ‌ାନ୍ତି। ବାଙ୍କା ବଜାର ଅଞ୍ଚଳରେ ୬୦ରୁ ଅଧିକ ମୁସଲିମ ପରିବାର ରହୁଥିବା ‌ବେଳେ ଅଧିକାଂଶ ପରିବାର ଦଶହରା ସମୟ‌ରେ ଏହି ଜରି ମେଢ଼ ତିଆରିରେ ଲାଗି ପଡନ୍ତି। କେବଳ କଟକ ନୁହେଁ, ଦଶହରା ସମୟରେ ଜରି ମେଢ ପାଇଁ ସେମାନଙ୍କୁ ଭୁବନେଶ୍ବର, ଝାରସୁଗୁଡ଼ା, ପୁରୀ, ରାଉରକେଲା, ହାଇଦ୍ରାବାଦ ଅଞ୍ଚଳରୁ ବି ଅର୍ଡର ଆସେ। ଏହି କାମ ଦେଢ଼ ମାସ ପୂର୍ବରୁ ଆରମ୍ଭ ହୋଇଥାଏ। ଜରି ମେଢ଼ ତିଆରି ପାଇ ବାଉଁଶ, ମାଢ଼ୀ, ପେପର, ବୁଲିଆନ, ଚୁମକି ପ୍ଲେଟ, ଡ଼୍ରଇଂ ସିଟ୍‌, କାର୍ଡବୋର୍ଡ଼, ଭେଲଭେଟ, ମହମଅଠା, ରଙ୍ଗ, ଜିକ୍‌ଜାକ, ଷ୍ଟୋନ ଇତ୍ୟାଦି ଆବଶ୍ୟକ ପଡ଼ୁଥିବାବେଳେ ଏସବୁକୁ ସେମାନେ ଦିଲ୍ଲୀ, ସୁରଟ, କଲିକତା ଅଞ୍ଚଳରୁ ଆଣି ଏଠି ମେଢ଼ ପ୍ରସ୍ତୁତ କରନ୍ତି। ତସଲିମା କହିବା ଅନୁଯାୟୀ ସେ ‌ଏବେ ଏକ ଘରୋଇ ସଂସ୍ଥାରେ କାମ କରୁଥିବାରୁ ସେଠାରୁ କାମ ସରିବା ପରେ ପ୍ରତ୍ୟେକ ଦିନ ଦୁଇରୁ ତିନି ଘଣ୍ଟା ଓ ରବିବାର ଦିନ ସମ୍ପୂର୍ଣ୍ଣ ଭାବେ ଏହି ଜରି ମେଢ଼ କାମ କରନ୍ତି। ପିଲାବେଳୁ ବାପାଙ୍କୁ ଏହି ଜରି ମେଢ଼ କାମ କରିବା ଦେଖି ଆସିଥିବାରୁ ଏହି କାମ କରିବା ତାଙ୍କ ପାଇଁ ସହଜ ହୋଇ ଯାଇଛି ବୋଲି ତସଲିମା କୁହନ୍ତି। ସେହିପରି ତସଲିମାଙ୍କ ବାପା ସୟଦ ଅସଲମ ଅଲ୍ଲୀ କହିବା ଅନୁଯାୟୀ ତାଙ୍କ ଝିଅ ଏ କାମ ବହୁତ ସୁନ୍ଦର ଭାବେ କରି ପାରୁଥିବାରୁ ସେଥିପାଇଁ ସେ ଗର୍ବ ଅନୁଭବ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe