ବାଙ୍କୀ (ମାନସ ରଞ୍ଜନ ସାହୁ): ବିଦ୍ୟାଳୟରେ ପିଲାଙ୍କ ପାଇଁ ମନୋରଂଜନଭିତ୍ତିକ କାର୍ଯ୍ୟକ୍ରମ ଜାରି ଥିବା ବେଳେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ‘ସୁରଭି’ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଜଣେ ଶିକ୍ଷକଙ୍କ ପରଲୋକ ଘଟିଛି। କଟକ ଜିଲ୍ଲା ବାଙ୍କୀ ଶିମିଳିପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିକ୍ଷକ ହେଲେ ମୃତ୍ୟୁଞ୍ଜୟ ମନ୍ତ୍ରୀ (୪୭)। ଏହି ଅପ୍ରୀତିକର ଅଘଟଣ ପରେ କାର୍ଯ୍ୟକ୍ରମ ଶୋକରେ ପରିଣତ ହୋଇଛି। ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ମନଦୁଃଖରେ ଘରକୁ ଫେରିଛନ୍ତି।
ମୃତ୍ୟୁଞ୍ଜୟ ମନ୍ତ୍ରୀଙ୍କ ଘର କଟକ ଜିଲ୍ଲା ଡମପଡ଼ା ବ୍ଲକ ଅଧୀନ ଭେଡ଼ାରାମଚନ୍ଦ୍ରପୁର। କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଖାଇବା ପିଇବା ଓ ସ୍ବାସ୍ଥ୍ୟ ନେଇ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ଆଜି ପିଲାମାନଙ୍କ ପାଇଁ ସୁରଭି କାର୍ଯ୍ୟକ୍ରମ ଥିବାରୁ ଶିମିଳିପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ଅପରାହ୍ଣ ପ୍ରାୟ ୨ଟାରେ କାର୍ଯ୍ୟକ୍ରମ ଜାରି ଥିବା ବେଳେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ବାଙ୍କୀସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେ ଆଖି ବୁଜିଥିଲେ।
ବାଙ୍କୀ ଶିମିଳିପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଚାଲିଥିଲା। ବରଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମୃତ୍ୟୁଞ୍ଜୟ ମନ୍ତ୍ରୀଙ୍କ ପରଲୋକ ଘଟିଛି। ମୃତ୍ୟୁଞ୍ଜୟ ମନ୍ତ୍ରୀ ପୂର୍ବରୁ ସିଆରସିସି ଭାବେ କାର୍ଯ୍ୟ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୭ବର୍ଷ ବୟସ ହୋଇଥିଲା ଓ ସେ ଅବିବାହିତ ଥିଲେ। ସ୍ୱର୍ଗତ ମନ୍ତ୍ରୀ ଜଣେ ଜଣାଶୁଣା କବି ଭାବେ ପରିଚିତ ଥିଲେ। ଶିମିଳିପୁର ବିଦ୍ୟାଳୟ ପରିସରରେ ସୁରଭି କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେ ହଠାତ୍ ପଡ଼ି ଯାଇଥିଲେ ଓ ତାଙ୍କୁ ସଂଗେ ସଂଗେ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
ମୃତ୍ୟୁଞ୍ଜୟଙ୍କ ପରଲୋକ ଖବର ପାଇ ଡମପଡ଼ା ବ୍ଲକ ଶିକ୍ଷା ଅଧିକାରୀ କାମରାଜ ସାହୁ, ସହକାରୀ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ସହକାରୀ ଶିକ୍ଷାଧିକାରୀ କାର୍ତ୍ତିକ ବେହେରା, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସରୋଜ କୁମାର ମହାପାତ୍ର, ଶିକ୍ଷକ ସଂଘ ଉପଦେଷ୍ଟା ବିଦ୍ୟାଧର ଖଟୁଆ, ମାନସ କୁମାର ନନ୍ଦ, ସନ୍ତୋଷ କୁମାର ପରମଗୁରୁଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଡାକ୍ତରଖାନାରେ ପହଞ୍ଚି ଶେଷ ଦର୍ଶନ କରିଥିଲେl
Cuttack | Teacher | Education | school
Follow Us