ଦୟନୀୟ ସ୍ଥିତିରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା, ରାଜ୍ୟରେ ୩ ଶହ ଭିଏଏସ୍‌ ପଦ ଖାଲି

Advertisment
ଦୟନୀୟ ସ୍ଥିତିରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା, ରାଜ୍ୟରେ ୩ ଶହ ଭିଏଏସ୍‌ ପଦ ଖାଲି

Sambad

କଟକ: ରାଜ୍ୟରେ ଗୋ ସଂପଦର ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ଘରକୁ ଘର ବୁଲି ପ୍ରାଣୀ ଚିକିତ୍ସା ମିଳିବ ବୋଲି ପ୍ରଚାର କରୁଛନ୍ତି। ମାତ୍ର ଏ ସବୁ କେବଳ ପ୍ରଚାର ସର୍ବସ୍ବ ଥିବା ବେଳେ ବାସ୍ତବତା କିନ୍ତୁ ଭିନ୍ନ। ରାଜ୍ୟରେ ପ୍ରାଣୀ ଚିକିତ୍ସ‌ା‌ ଯୋଗାଇ ଦେବା ପାଇଁ ଆବଶ୍ୟକ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ରହିଛି। ରାଜ୍ୟରେ ପାଖାପାଖି ୩୭୦ ଭିଏଏସ ପଦବି ଖାଲି ପଡିଛି। ଭିଏସ ଅଭାବରୁ ପ୍ରାଣୀ ସଂପଦଙ୍କୁ ଉପଯୁକ୍ତ ଚିକିତ୍ସ‌ା ମିଳି ପାରୁନାହିଁ। ରାଜ୍ୟରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ଓ ଏଲ୍‌ଆଇ ସେଣ୍ଟରମାନଙ୍କରେ କାମ କରୁଥିବା ପ୍ରାଣୀ ଚିକିତ୍ସକମାନେ ଉପଯୁକ୍ତ ଚିକିତ୍ସ‌ା ପହଞ୍ଚାଇବ‌ାରେ ବିଫଳ ହେଉଛନ୍ତି।
ପ୍ରାଣୀ ଗଣନା ତଥ୍ୟ ଆଧାରରେ କଟକ ଜିଲ୍ଲାରେ ୩ ଲକ୍ଷ ୫୪ ହଜାର ୪୩ ଗାଈ (ଦେଶୀ), ୧ ଲକ୍ଷ ୮୦ ହଜାର ୫୫୮ (ବିଦେଶୀ, ହାଇବ୍ରିଡ) ରହିଛନ୍ତି। ସେହିଭଳି ୨୨୫୨୬ ମଇଁଷି, ୨ଲକ୍ଷ ୧୬ ହଜାର ୮୧୬ ଛେଳି, ୭୭ ହଜାର ୭୦୧ ମେଣ୍ଢା, ୯୫୬ ଘୁଷୁରି ଓ ୧ କୋଟି ୩୨ ଲକ୍ଷ କୁକୁଡା ଥିବ‌ା ଗଣନା କରାଯାଇଛି। ତେବେ ଏହି ସରକାରୀ ହିସାବଠାରୁ ଢେର ଅଧିକ ପ୍ରାଣୀ ସଂପଦ ରହିଛନ୍ତି। ମାତ୍ର ଏମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତର ଅଭାବରୁ ଏଭଳି ସ୍ଥିତି ଉପୁଜିଛି।

ସୂଚନାଯୋଗ୍ୟ ରାଜ୍ୟରେ ୩୭୦ ଭିଏଏସ (ଭେଟେନାରୀ ଆସିଷ୍ଟାଣ୍ଟ୍ ସର୍ଜନ) ପଦବି ଖାଲି ପଡିଥିଲ‌ା। ସେଥିରୁ ୨୫୪ ପଦବି ପୂରଣ କରିବାକୁ ୨୦୧୯ରେ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତିନି ବର୍ଷ ପରେ ବି ଏହି ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇ ପାରିନି। ତେବେ ସହରାଞ୍ଚଳରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ସ୍ଥିତି ଆହୁରି ଦୟନୀୟ। କଟକ ଭୁବନେଶ୍ବର ମହାନଗରରେ ଥିବା ବହୁ ଭିଏଏସ ପଦବି ଖାଲି ପଡିଛି। ମହାନଗରରେ ୪୦ ଲାଇଭ୍ ଷ୍ଟକ୍ ଇନସପେକ୍ଟର(ଏଲଆଇ) ପଦବି ଖାଲି ପଡିଥିଲେ ବି ତାହା ପୂରଣ କରାଯାଉ ନାହିଁ। ଦୁଇ ମହାନଗରରେ ଥିବା ପ୍ରାଣୀ ଚିକିତ୍ସାଳୟରେ ଇଂଜେକସନ ଦେବାକୁ ବି କର୍ମଚାରୀ ନାହାନ୍ତି। ପ୍ରତି ମେଡିକାଲରେ ନିଯୁକ୍ତି ପାଇଥିବା ଜଣେ ଲେଖାଏ ଭିଏସ ସବୁ ଦାୟିତ୍ବ ତୁଲାଉଛନ୍ତି। ନିଜେ କୁକୁରକୁ ଧରି ଇଂଜେକସନ ବି ଡାକ୍ତର ଦେଉଛନ୍ତି। ସେମାନଙ୍କ ଅନୁପସ୍ଥିତିରେ ଅଫିସ ଆଟେଣ୍ଡାଣ୍ଟମାନେ ମଧ୍ୟ କାମ ଚଳାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe