ବାରମ୍ବାର ମରାମତି ପରେ ବି ଠିକ୍‌ ହେଉନି ଟାଇମର୍‌, ରାତି ବଦଳରେ ଦିନରେ ଜଳୁଛି ହାଇମାଷ୍ଟ୍‌ ଲାଇଟ୍‌

Advertisment
ବାରମ୍ବାର ମରାମତି ପରେ ବି ଠିକ୍‌ ହେଉନି ଟାଇମର୍‌, ରାତି ବଦଳରେ ଦିନରେ ଜଳୁଛି ହାଇମାଷ୍ଟ୍‌ ଲାଇଟ୍‌

Sambad

କଟକ: ସହର ମଧ୍ୟରେ ମାସ ମାସ ଧରି ରାତିରେ ହାଇମାଷ୍ଟ୍‌ ଲାଇଟ୍‌ ଜଳୁ ନଥିବା ବେଳେ ଦିନରେ ଏହା ଆଲୋକିତ କରୁଛି ଅଞ୍ଚଳକୁ। ଦିନରେ ଆଲୋକ ଜଳି କୌଣସି କାମରେ ଆସୁନାହିଁ ସିଏମ୍‌ସିର ସହର ‌ଆଲୋକିକରଣ ଯୋଜନା। ସେପଟେ ମହାନଗର ନିଗମ ପକ୍ଷରୁ ଲାଇଟ୍‌ ମରାମତି ବାରମ୍ବାର କରାଯାଉଥିଲେ ବି ଏହା ଠିକ୍‌ ହୋଇପାରୁ ନାହିଁ। ସିଏମ୍‌ସିର ଶଗଡ଼ିଆସାହିର ମୁଖ୍ୟ ଛକରେ ଥିବା ହାଇମାଷ୍ଟ୍‌ ଲାଇଟ୍‌ ଦୀର୍ଘମାସ ଧରି ରାତି ବଦଳରେ ଦିନରେ ଜଳୁଛି। ଏ ନେଇ ବାରମ୍ବାର ଅଭିଯୋଗ ହେବା ପରେ ସିଏମ୍‌ସି ପକ୍ଷରୁ ଏହାର ମରାମତି କରାଯାଉଛି। ମାତ୍ର ମରାମତି ପରେ ତାହା ଠିକ୍‌ ହୋଇପାରୁ ନାହିଁ। ରାତିରେ ମୁଖ୍ୟ ଛକର ଲାଇଟ୍‌ ଜଳୁ ନଥିବାରୁ ସ୍ଥାନୀୟ ବାସିନ୍ଦା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସିଏମ୍‌ସି ୨୬ ନମ୍ବର ୱାର୍ଡର ଶଗଡ଼ିଆସାହିର ମୁଖ୍ୟଛକରେ ଥିବା ହାଇମାଷ୍ଟ୍‌ ଲା‌ଇଟ୍‌ ଗତ ୩ ମାସ ହେଲା ରାତି ବଦଳରେ ଦିନରେ ଜଳୁଛି।

ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଏହା ଜଳୁଥିବା ବେଳେ ରାତିରେ ଏହା ଲିଭିଯାଉଛି। ଏଥିରେ ସ୍ଥାନୀୟ ଅଞ୍ଚଳ ରାତି ସମୟରେ ଅନ୍ଧାର ରହିବାରୁ ଅନେକ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି।  ଏହାର ‌ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ଦୀର୍ଘଦିନ ଧରି ସିଏମ୍‌ସିର ଇଂଜିନିୟରିଂ ବିଭାଗକୁ ଜଣାଇଥିଲେ। ମାତ୍ର ଏହାକୁ ନିଗମ ପକ୍ଷରୁ ମରାମତି କରାଗଲା ନାହିଁ। ବାରମ୍ବାର ଅଭିଯୋଗ ‌ପରେ ଗତମାସରେ ଏହାକୁ ମରାମତି କରାଗଲା। ଗତ ଡିସେମ୍ବରରେ ଏହାର ଟାଇମର୍‌କୁ ତିନିଥର ସଜଡା ଯାଇଥିଲେ ବି ଏହା ଏବେ ପୂର୍ବପରି ରାତି ବଦଳରେ ଦିନରେ ଜଳୁଛି। ବିଭାଗର ଇଂଜିନିୟର ଓ କର୍ମଚାରୀ ଏହାକୁ ବାରମ୍ବାର ସଜାଡିବା ପରେ ବି ସମସ୍ୟାର ସମାଧାନ ନହେବା କାମର ମାନ ବା ଲାଗୁଥିବା ଯନ୍ତ୍ରାଶଂକୁ ନେଇ ଏବେ ପ୍ରଶ୍ନ ଉଠିଛି। ଗୋଟିଏ ହାଇମାଷ୍ଟ୍‌ ଲାଇଟ୍‌ ବାରମ୍ବାର ମରାମତି ପରେ ଏହା ଠିକ୍‌ ନହେବାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋ‌ଷ ବଢ଼ିବାରେ ଲାଗିଛି। ବାରମ୍ବାର ଅଭିଯୋଗ ପରେ ଗତ ମାସରେ ଏହାର ୩ଥର ମରାମତି କରାଯିବା ପରେ ମଧ୍ୟ ପୂର୍ବପରି ଏହା ରାତି ବଦଳରେ ଦିନରେ ଜଳୁଛି ବୋଲି ସ୍ଥାନୀୟ ବାସିନ୍ଦା ସମାଜସେବୀ ଗଗନ ଓଝା କହିଛନ୍ତି। ଅପରପକ୍ଷରେ ହାଇମାଷ୍ଟ୍‌ ଲାଇଟ୍‌ର ଟାଇମରରେ ସମସ୍ୟା ‌ରହିଛି। ଏହାର ମରାମତି କରାଯାଉଥିବା ବେଳେ ଏହା ପୁନର୍ବାର ଖରାପ ହୋଇଯାଉଛି। ଏହାକୁ ପୁନର୍ବାର ମରାମତି କରାଯିବ ବୋଲି ନିଗମ ଇଂଜିନିୟର ପ୍ରଭାସ ଚନ୍ଦ୍ର ବିଶ୍ବାଳ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe