ଏତେ ଦକ୍ଷ ଟ୍ରାଫିକ୍ ପୁଲିସ!

ଏତେ ଦକ୍ଷ ଟ୍ରାଫିକ୍ ପୁଲିସ!

Sambad

କଟକ: ମଧୁପାଟଣାରୁ ବାଦାମବାଡି ପର୍ଯ୍ୟନ୍ତ ରାସ୍ତାର ଦୁଇ ପଟେ ଧାଡ଼ି ଧାଡ଼ି ହୋଇ ବସ୍ ବେଆଇନ ଭାବେ ପାର୍କିଂ ହୋଇଛି। ବିଭିନ୍ନ ବଡ଼ ବଡ଼ ମଲ୍‌ ଆଗରେ ନୋ ପାର୍କିଂ ଜୋନ୍‌ରେ ମାଳମାଳ ଗାଡ଼ି ରଖା ହୋଇଛି। ମଦ ଦୋକାନ ଆଗରେ ବି ଗାଡ଼ି ଜମା ହୋଇଛି। ରାସ୍ତାର ଯେଉଁଠି ସେଠି ବସ୍‌ ଆଉ ଅଟୋ ଅଟକି ଲୋକଙ୍କୁ ଉଠାଉଛନ୍ତି। ସବୁଠୁ ସମ୍ବେଦନଶୀଳ ବାଦାମବାଡି ଛକ ଉପରେ ଥିବା ଥାନା ଆଗରେ ଜବତ୍ ଗାଡ଼ି ଜମା ହୋଇ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। କିନ୍ତୁ ଏ ଘଟଣା କଟକ ଟ୍ରାଫିକ ପୁଲିସ ପାଇଁ ଗୁରୁତ୍ବହୀନ। ଗୁରୁତ୍ବପୂର୍ଣ୍ଣ ହେଉଛି ଛୋଟଛୋଟ ଦୋକାନ ଓ ଅଫିସ ବାହାରେ ରାସ୍ତାଠାରୁ ବହୁ ଦୂରରେ ରଖା ଯାଇଥିବା ବାଇକ୍‌। କମିସନ‌ରେଟ ପୁଲିସ ଟ୍ରାଫିକ ଏସିପିଙ୍କ ନେତୃତ୍ବରେ ଆଜି ସଂଧ୍ୟାରେ ଟ୍ରାଫିକ ପୁଲିସର ‌ଟିମ୍‌ ନିଜର ଦକ୍ଷତା ଦେଖାଇବା ପାଇଁ ଯେଭଳି ରାସ୍ତାକୁ ଓହ୍ଲାଇଥିଲା, ତାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା। ଟ୍ରାଫିକ ଏସିପି ସୁଶାନ୍ତ କୁମାର ସିଂହ ଆଗରେ ଚାଲିଥିଲେ। ତାଙ୍କ ପଛରେ ଆଇଆଇସି କିଶୋର ଚନ୍ଦ୍ର ପ୍ରଧାନ, ୪ରୁ ଅଧିକ କନଷ୍ଟେବଳ, ଦୁଇଟି ଗାଡ଼ି ଚାଲିଥିଲେ। ବେଆଇନ ବସ୍ ପାର୍କିଂକୁ ଧ୍ୟାନ ଦିଆଯାଉ ନଥିଲା। ମଲ୍‌ ଆଡକୁ ପୁଲିସ ଚାହୁଁ ବି ନଥିଲା।

publive-image Sambad

ପୁଲିସ ଟିମ୍ ସାମନାରେ ବସ ଯେଉଁଠି ସେଠି ଅଟକି ଲୋକ ଉଠାଉ ଥିଲେ ବି ତାଗିଦ କରାଯାଉ ନଥିଲା। କିନ୍ତୁ ଛୋଟଛୋଟ ଦୋକାନ ଏବଂ ବିଭିନ୍ନ ଅଫିସ ଆଗରୁ ବିନା ଚେତାବନୀ ଅଥବା ପରାମର୍ଶ ନ ଦେଇ ଟ୍ରାକ୍ଟର ଡାଲାକୁ କନଷ୍ଟେବଳ ମାନେ ଦୁଇ ଚକିଆ ଗାଡ଼ିକୁ ଉଠାଇ ନେଉଥିଲେ। କଟକ ଟ୍ରାଫିକ ପୁଲିସ ଏଭଳି ଦକ୍ଷ ଆଉ ସକ୍ରୀୟ ହଠାତ କେମିତି ହେଲା ବୋଲି ଆଜି ସାଧାରଣରେ ପ୍ରଶ୍ନ ଉଠୁଥିବା ବେଳେ ଅନେକ ସ୍ଥାନରେ ପୁଲିସ ଓ ସାଧାରଣ ଲୋକଙ୍କ ଉଚ୍ଚବାଚ, କଥା କଟାକଟି ହୋଇ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଥିଲା। ସାଧାରଣ ଭା‌ବେ ପୁଲିସ ଏଭଳି ପଦକ୍ଷେପ ନେବା ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିଥାଏ। ଗାଡ଼ି ହଟାଇ ନେବାକୁ ପରାମର୍ଶ ଦେଇଥାଏ। ସଚେତନ ଆଉ ସତର୍କ କରିଥାଏ। କିନ୍ତୁ ସେଭଳି କିଛି ନକରି ହଠାତ ଏ ପ୍ରକାର ଅଭିଯାନରେ ଟ୍ରାଫିକ ପୁଲିସ ନିଜର ଦକ୍ଷତା ଦେଖାଉଛି, ନା ଆଉ କିଛି ସାବ୍ୟସ୍ତ କରୁଛି, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe