ସିଗ୍‌ନାଲ୍ ଲାଇଟ୍ ଲାଗିବା ଦିନରୁ ଜଳୁନି, ପୁଲିସ ଚୁପ୍ କାହିଁକି? ଦୋଳମୁଣ୍ଡାଇରୁ ରାଣୀହାଟ ଟ୍ରାଫିକ୍‌ର ବିକଳ ଚିତ୍ର

Advertisment

ପାର୍କିଂ ସ୍ଥାନରେ ଫଳ ଓ ଫାଷ୍ଟ୍‌ଫୁଡ୍‌ ବେପାର

ପାର୍କିଂ ସ୍ଥାନରେ ଫଳ ଓ ଫାଷ୍ଟ୍‌ଫୁଡ୍‌ ବେପାର

ସିଗ୍‌ନାଲ୍ ଲାଇଟ୍ ଲାଗିବା ଦିନରୁ ଜଳୁନି, ପୁଲିସ ଚୁପ୍ କାହିଁକି? ଦୋଳମୁଣ୍ଡାଇରୁ ରାଣୀହାଟ ଟ୍ରାଫିକ୍‌ର ବିକଳ ଚିତ୍ର

Sambad

କଟକ: ଦୋଳମୁଣ୍ଡାଇରୁ ରାଣୀହାଟ ଟ୍ରାଫିକ୍‌ ଛକ ସହରର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳ। ମାତ୍ର ଉକ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବେଆଇନ୍ ପାର୍କିଂ ପ୍ରତି ପୁଲିସ ଆଖି ତ ବୁଜି ଦେଇଛି, ଅନ୍ୟ ପଟେ ଚାରିଚକିଆ ଗାଡି ପାର୍କିଂ ପାଇଁ ଚିହ୍ନିତ ସ୍ଥାନରେ ବେପାର ଚାଲିଥିଲେ ବି ପୁଲିସ ନିରବଦ୍ରଷ୍ଟା ସାଜିଛି। ସହରର ଏଭଳି ଚିତ୍ର ଯୋଗୁଁ ସାଧାରଣ ଲୋକ ସମସ୍ୟାରେ ପଡୁଛନ୍ତି, ଟ୍ରାଫିକ ଜାମ୍ ହେଉଛି। ପୁଲିସର କର୍ତ୍ତବ୍ୟ କଣ କେବଳ ହେଲମେଟ୍ ଚେକିଂ ଆଉ ଜରିମାନା ଆଦାୟ କି ବୋଲି ଲୋକ ପ୍ରଶ୍ନ କରୁଛନ୍ତି। ଦୋଳମୁଣ୍ଡାଇ ଛକରୁ ରାଣୀହାଟ ଟ୍ରାଫିକ ଛକ ପର୍ଯ୍ୟନ୍ତ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ଏକ ମୁଖ୍ୟ ସମସ୍ୟା। ବାଦାମବାଡ଼ିରୁ ଏସ୍‌ସିବି, କଲେଜ ଛକ, ରେଳଷ୍ଟେସନ ଆଦି ସ୍ଥାନକୁ ଯାଉଥିବା ଅଟୋ ଯେଉଁଠି ପାରିଲେ ସେଠାରେ ଅଟକି ଯାତ୍ରୀ ଉଠାଉଛନ୍ତି। ସେପଟେ ଦୋକନକୁ ଆସୁଥିବା ଗ୍ରାହକଙ୍କ ଦୁଇଚକିଆ ଓ ଚାରିଚକିଆ ଗାଡ଼ି ରାସ୍ତା ଉପରେ ଛିଡ଼ା ହେଉଛି। ବଜ୍ରକବାଟୀ ରୋଡ୍‌ର ବିଏସ୍‌ଏନ୍‌ଏଲ୍‌ ଅଫିସ ପାଚେରି ନିକଟରେ ଥିବା ଖାଲିସ୍ଥାନରେ ଚାରି ଚକିଆ ଗାଡି ପାର୍କିଂ କରିବାକୁ ପ୍ରଶାସନିକ ଅନୁମତି ରହିଛି। ମାତ୍ର ଏଠାରେ ଗାଡି ରଖାଯିବ କ’ଣ, ଏହି ସ୍ଥାନରେ ଦିନ ବେଳା ଫଳ ବ୍ୟବସାୟୀ ଓ ସଂଧ୍ୟାରେ ଫାଷ୍ଟଫୁଡ୍‌ ବ୍ୟବସାୟୀ ନିଜ ପସରା ମେଲାଉଛନ୍ତି।

publive-image Sambad

ସେହିପରି ସେକେଣ୍ଡାରି ବୋର୍ଡ ଅଫିସ ଫାଟକର ବିପରୀତ ପାର୍ଶ୍ବରେ ସିଏମ୍‌ସି ପକ୍ଷରୁ ଦୁଇ ଚକିଆ ଗାଡି ପାର୍କିଂ ପାଇଁ ବୋର୍ଡ ଲଗାଯାଇଛି। ହେଲେ ସେଠାରେ ଚାରି ଚକିଆ ଗାଡ଼ି ଛିଡା ହେଉଛି। ସେପଟେ ଦୋ‌ଳମୁଣ୍ଡାଇ ଓ ଛତ୍ରବଜାର ପୋଲ ନିକଟରେ ଟ୍ରାଫିକ୍‌ ଲାଇଟ୍‌ ଲାଗିବା ପରଠାରୁ କେବେ ଜଳିବାର ଦେଖା ଯାଇନାହିଁ। ଏପରି କି ରାଣୀହାଟ ଟ୍ରାଫିକ୍‌ ଛକରେ ଲାଗିଥିବା ଟ୍ରାଫିକ୍‌ ଲାଇଟ ମାସର ୨୫ ଦିନ ଜଳୁ ନଥିବା ଅଭିଯୋଗ ‌ହୋଇଛି। ବିଶେଷ କରି ଶିକାରି ସାହିସ୍ଥିତ ଚନ୍ଦ୍ରଶେଖର ଶିବ ମନ୍ଦିରଠାରୁ ରାଣୀହାଟ ଟ୍ରାଫିକ୍‌ ଛକର ରାସ୍ତା ଅଣଓସାରିଆ ହୋଇଥିବାରୁ ଏଠାରେ ସବୁ ସମୟରେ ରାସ୍ତାରେ ଭିଡ ରହୁଛି। ପୁଲିସ ଏସବୁ ଦିଗ ପ୍ରତି ଗୁରୁତ୍ବ ନ ଦେଇ କେବଳ ଦୁଇ ଚକିଆ ଗାଡ଼ିରୁ ଜରିମାନା ଆଦାୟରେ ସୀମିତ ରହୁଥିବାରୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe