ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର ମୃତ୍ୟୁ ମାମଲା: ପ୍ରେମିକାଙ୍କ ବଡ଼ ଭଉଣୀଙ୍କ ବନ୍ଧୁ ଓ ଧରମ ଭାଇ ଗିରଫ

Advertisment
ଖ୍ରୀଷ୍ଟ କଲେଜ ଛାତ୍ର ତୁଷାର ମୃତ୍ୟୁ ମାମଲା: ପ୍ରେମିକାଙ୍କ ବଡ଼ ଭଉଣୀଙ୍କ ବନ୍ଧୁ ଓ ଧରମ ଭାଇ ଗିରଫ

Sambad

କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କୁ ନିୟମିତ ମାନସିକ ନିର୍ଯାତନା ଦିଆଯାଇଥିଲା। ଶେଷରେ ତୁଷାର ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା କମିସନରେଟ୍ ପୁଲିସ ସ୍ପଷ୍ଟ କରିଛି। ଏହି ମୃତ୍ୟୁ ମାମଲାରେ ତାଙ୍କ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଜଗତପୁର ଥାନା ପୁଲିସ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତୁଷାରକାନ୍ତଙ୍କ ପ୍ରେମିକାଙ୍କ ବଡ଼ ଭଉଣୀଙ୍କ ପୁରୁଷ ବନ୍ଧୁ ଦରଘାବଜାର ଜୁବୁ ଓରଫ ଦିବ୍ୟରଞ୍ଜନ ବେହେରା (୨୨) ଓ ବଡ଼ ଭଉଣୀଙ୍କ ଧରମ ଭାଇ ଦୋଳମୁଣ୍ଡାଇର କୌଶଲ ପ୍ରଧାନ (୨୫)କୁ ପୁଲିସ ଗିରଫ କରିଛି। ତୁଷାରଙ୍କ ନାବାଳିକା ପ୍ରେମିକା ଓ ପ୍ରେମିକାଙ୍କ ବଡ଼ ଉଉଣୀଙ୍କୁ ପୁଲିସ ଅଭିଯୁକ୍ତ ଦର୍ଶାଇଥିବା ବେଳେ ସେମାନଙ୍କ ବିରୋଧରେ ବି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ବକ୍ସିବଜାର ଅଞ୍ଚଳର ହୃଷିକେଶ ସାହୁଙ୍କ ପୁଅ ତୁଷାରକାନ୍ତ ଖ୍ରୀଷ୍ଟ କଲେଜରେ ପଢ଼ୁଥିବା ବେଳେ ଉକ୍ତ କଲେଜରେ ଅନ୍ୟ ଜଣେ ନାବାଳିକା ସହପାଠୀଙ୍କ ସହିତ ଗଲା ଜାନୁଆରିରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଜୁନ୍ ବେଳକୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ତୁଷାରଙ୍କ ପ୍ରେମିକାଙ୍କ ପୂର୍ବରୁ ସାଲେପୁର ଅଞ୍ଚଳର ଅନ୍ୟ ଜଣେ ପ୍ରେମିକ ଥିବାରୁ ଏଭଳି ତ୍ରିକୋଣୀୟ ପ୍ରେମକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବତନ ପ୍ରେମିକ ଏଭଳି ଘଟଣା ସମ୍ପର୍କରେ ଜାଣିବା ପରେ ତୁଷାରଙ୍କ ପ୍ରେମରେ ପଡ଼ିଥିବା ନିଜ ପ୍ରେମିକାଙ୍କ ନିକଟରୁ ଦୂରେଇ ଯାଇଥିଲେ। ତୁଷାରଙ୍କ ପ୍ରେମିକା ମାନସିକ ଚାପରେ ରହିଥିଲେ। ଏଭଳି ପ୍ରେମ ସମ୍ପର୍କ ତୁଷାର ନିଜ ଆଡ଼ୁ ସୃଷ୍ଟି କରିଥିବା ଦେଖାଇବା ପାଇଁ ତୁଷାରଙ୍କୁ ତାଙ୍କ ପ୍ରେମିକା ସାଲେପୁରର ପ୍ରେମିକଙ୍କୁ ଭୁଲ ମାଗିବାକୁ ବାଧ୍ୟ କରିଥିଲେ। ଭୁଲ ନମାଗିଲେ ଅପରାଧିକ ମାମଲାରେ ଫସାଇଦେବାକୁ ମାନସିକ ଚାପ ପକାଇଥିଲେ। ତୁଷାର ବି ବାରମ୍ବାର ସାଲେପୁରର ସମ୍ପୃକ୍ତ ପ୍ରେମିକଙ୍କୁ ଭୁଲ ମାଗିଥିଲେ। କିନ୍ତୁ ସାଲେପୁରର ପ୍ରେମିକ କୌଣସି କଥା ଶୁଣି ନଥିଲେ। ଗଲା ଅଗଷ୍ଟ ୩ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ବେଳେ ତୁଷାରଙ୍କ ପ୍ରେମିକା, ପ୍ରେମିକାଙ୍କ ବଡ଼ ଭଉଣୀ, ବଡ଼ ଉଉଣୀଙ୍କ ପୁରୁଷ ବନ୍ଧୁ ଓ ଧରମ ଭାଇ ତୁଷାରଙ୍କୁ ଇଣ୍ଡୋର ଷ୍ଟାଡିୟମ ଡାକିଥିଲେ। ସେମାନେ ସେଠାରେ ତୁଷାରଙ୍କୁ ମାଡ଼ ମାରିଥିଲେ।

ତୁଷାର ପୂର୍ବରୁ ମାନସିକ ଚାପରେ ଥିବା ବେଳେ ମାଡ଼ ଖାଇବା ପରେ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ। ଘରୁ ନିଜ ଭଉଣୀଙ୍କ ସ୍କୁଟି ନେଇ ରାତି ପ୍ରାୟ ୮ଟା ବେଳକୁ ମଧୁସୂଦନ ସେତୁ ଆଡ଼କୁ ଯାଇଥିଲେ। ସେଠାରେ ବ୍ରିଜ ଉପରେ ସ୍କୁଟି ରଖି ତୁଷାର ପାଣିକୁ ଡେଇଁ ପଡ଼ିଥିଲେ। ଅଗଷ୍ଟ ୫ ତାରିଖରେ ଯୋବ୍ରା ବ୍ୟାରେଜରୁ ତୁଷାରଙ୍କ ଶବ ମିଳିବା ପରେ ଜଗତପୁର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ସେପ୍ଟେମ୍ବର ୯ ତାରିଖରେ ଅପମୃତ୍ୟୁ ମାମଲା ଅପରାଧିକ ମାମଲାକୁ ପରିବର୍ତ୍ତନ ହୋଇଥିଲା। ପୁଲିସ ଦଫା ୩୦୬, ୩୪ରେ ଏକ ମାମଲା ରୁଜୁ କରି ଜଗତପୁର ଥାନା ଏସଆଇ ପି.କେ ଦାସଙ୍କୁ ମାମଲାର ତଦନ୍ତଭାର ହସ୍ତାନ୍ତର କରାଯାଇଥିଲା।

ପୁଲିସ ତଦନ୍ତରୁ ତୁଷାରଙ୍କ ପ୍ରେମିକା, ପ୍ରେମିକାଙ୍କ ବଡ଼ ଉଉଣୀ, ବଡ଼ ଭଉଣୀଙ୍କ ପୁରୁଷ ବନ୍ଧୁ ଓ ଧରମ ଭାଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏମାନେ ନିୟମିତ ତୁଷାରଙ୍କୁ ମାନସିକ ନିର୍ଯାତନା ଦେଇଆସୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ତୁଷାର ନିଜ ବନ୍ଧୁ ସୌମ୍ୟ, ଭିକି, ହର୍ଷଦଙ୍କୁ ମୃତ୍ୟୁ ପୂର୍ବରୁ ଉପରୋକ୍ତ ଚାରି ଜଣଙ୍କ ନିର୍ଯାତନା ସମ୍ପର୍କରେ କହିଥିଲେ। ନିର୍ଯାତନା ଅସହ୍ୟ ହେଉଥିବାରୁ ସେ ଦିନେ ଆତ୍ମହତ୍ୟା କରିବା ନେଇ ବି ସେମାନଙ୍କୁ କହିଥିଲେ। ଶେଷରେ ଆତ୍ମହତ୍ୟା ଭଳି ନିଷ୍ପତ୍ତି ନେଇଥିବା ଜଗତପୁର ଥାନା ପୁଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe